ଖୁଚୁରା ବ୍ୟବସାୟୀ ଓ କୋଠାବାଡ଼ି ନିର୍ମାଣ ପେସାଦାରମାନଙ୍କୁ ଏମଏସଏମଇ ଭାବେ ପଞ୍ଜୀକରଣ ପ୍ରସ୍ତାବକୁ ଅନୁଧ୍ୟାନ କରାଯିବ: ଗଡ଼କରୀ

ନୂଆଦିଲ୍ଲୀ : କେନ୍ଦ୍ର ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଏବଂ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ ଗଡ଼କରୀ ଆଜି ଭାରତୀୟ ଖୁଚୁରା ବିକ୍ରେତା ସଂଘ ଏବଂ ପ୍ରାକ୍ଟିସିଂ ଇଞ୍ଜିନିୟର୍ସ, ଆର୍କିଟେକ୍ଟସ ଓ ଟାଉନ ପ୍ଲାନର୍ସ ସଂଘର ପ୍ରତିନିଧିମାନଙ୍କ ସହିତ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି। ସେମାନଙ୍କୁ ଏମଏସଏମଇ ଭାବେ ପଞ୍ଜିକୃତ କରିବା ଲାଗି କରାଯାଇଥିବା ଅନୁରୋଧକୁ ତୁରନ୍ତ ବିଚାର କରାଯିବ ବୋଲି ଶ୍ରୀ ଗଡ଼କରୀ ପ୍ରତିଶ୍ରୁତି ଦେଇଥିଲେ। ଜନବହୁଳ ସ୍ଥଳରେ ଗହଳି ଏଡ଼ାଇବା ଏବଂ ଗ୍ରାମୀଣ, ଜନଜାତି ଓ ପଛୁଆ ଅଞ୍ଚଳର ବିକାଶ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା, ବିଶେଷ କରି ନୂଆ ଦିଲ୍ଲୀ-ମୁମ୍ବାଇ ଦ୍ରୁତଗାମୀ ରାଜପଥ ଭଳି ସବୁଜ ରାଜପଥ କ୍ଷେତ୍ରର ବିକାଶ ଦିଗରେ ଇଞ୍ଜିନିୟର, ଆର୍କିଟେକ୍ଟ ଓ ଟାଉନ ପ୍ଲାନରମାନେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ।

ଖୁଚୁରା ବିକ୍ରେତା, ରେସ୍ତୋରାଁ, ଆର୍କିଟେକ୍ଚର ଫାର୍ମଗୁଡ଼ିକୁ ଏମଏସଏମଇ ଭାବେ ପଞ୍ଜିକୃତ କରିବା, କୋଭିଡ-୧୯ ପାଇଁ ଆବଶ୍ୟକ ସତର୍କତା ଅବଲମ୍ବନ କରି ମଲ ଖୋଲିବା, ଅଣଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଇ-କମର୍ସ କାରବାର ଆରମ୍ଭ କରିବା, ଖୁଚୁରା ବ୍ୟବସାୟୀଙ୍କ ପାଇଁ ଭଡ଼ା ସ୍ଥଗିତ ରଖିବା, ୯ ମାସ ପର୍ଯ୍ୟନ୍ତ ଋଣସ୍ଥଗନ ସୁବିଧା ପ୍ରଦାନ କରିବା, ଘରୋଇ ବ୍ୟାଙ୍କଗୁଡ଼ିକ ଦ୍ବାରା ଆରବିଆଇ ଗାଇଡଲାଇନ ଅନୁଯାୟୀ ଲାଗୁ ସୁଧ ହାରକୁ ୧୦% ରୁ ୪-୫%କୁ ହ୍ରାସ କରିବା, କେବଳ ଗ୍ରହଣ ହେଉଥିବା ସାମଗ୍ରୀରେ ଜିଏସଟି ପ୍ରଯୋଗ କରିବା, ରେରା ଆଇନ ଅନୁଯାୟୀ ପଞ୍ଜିକୃତ ହୋଇଥିବା ବିଲ୍‌ଡରମାନଙ୍କୁ ଏମଏସଏମଇ ଭାବେ ପଞ୍ଜୀକରଣ କରିବା ଆଦି ପ୍ରସ୍ତାବ ଦିଆଯାଇଥିଲା।

ସମ୍ବନ୍ଧିତ ଖବର