ମମତା ସରକାର ଉପରେ ବର୍ଷିଲେ ସୁପ୍ରିମ୍‌କୋର୍ଟ: ଜଣେ ବ୍ୟକ୍ତିର ସ୍ବାର୍ଥରକ୍ଷା ପାଇଁ ଏତେ ବ୍ୟଗ୍ର କାହିଁକି?

କୋଲକାତା: ସନ୍ଦେଶଖାଲି ମାମଲାରେ ସିବିଆଇ ତଦନ୍ତକୁ ବିରୋଧ କରିଥିବାରୁ ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମ୍‌କୋର୍ଟ କଡ଼ା ସମାଲୋଚନା କରିବା ସହ ଜଣେ ବ୍ୟକ୍ତିଙ୍କ ସ୍ୱାର୍ଥ ରକ୍ଷା ପାଇଁ ରାଜ୍ୟ ସରକାର କିପରି ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇପାରିବେ ବୋଲି ପ୍ରଶ୍ନ କରିଛନ୍ତି। ଲୋକଙ୍କ ଟିକସ ଅର୍ଥରେ ଜଣେ ବ୍ୟକ୍ତିର ସ୍ବାର୍ଥ ସାଧନ ପାଇଁ ରାଜ୍ୟ ସରକାର ଏତେ ବ୍ୟଗ୍ର କାହିଁକି ବୋଲି କୋର୍ଟ ପ୍ରଶ୍ନ କରିବା ସହ ତଦନ୍ତକୁ ବିରୋଧ ପଛର କାରଣ କ’ଣ ବୋଲି ପଚାରିଛନ୍ତି। ଜଷ୍ଟିସ୍ ବିଆର୍ ଗବାଇ ଓ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ସିବିଆଇ ତଦନ୍ତ ନିର୍ଦ୍ଦେଶ ଉପରେ ହାଇକୋର୍ଟ ଦେଇଥିବା ଆଦେଶ ଉପରେ କୌଣସି ସ୍ଥଗିତାଦେଶ ଜାରି କରିବାକୁ ମନା କରି ଦେଇଛନ୍ତି। ସନ୍ଦେଶଖାଲିରେ ମହିଳାଙ୍କ ବିରୋଧରେ ଅପରାଧ ଓ ଜମି ଜବରଦଖଲ ମାମଲାରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ପୂର୍ବତନ ତୃଣମୂଳ ନେତା ଶେଖ ଶାହାଜାହାନ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ କହିଛନ୍ତି ଯେ, ରାଜ୍ୟ ବିରୋଧରେ ମନ୍ତବ୍ୟ ଦିଆଯାଇଥିବାରୁ ସେମାନେ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିଛନ୍ତି। ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ସରକାର ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ କରିଥିବା ଆବେଦନରେ ଦର୍ଶାଇଛନ୍ତି ଯେ ଏପ୍ରିଲ ୧୦ରେ ହାଇକୋର୍ଟଙ୍କ ଆଦେଶ ପୁଲିସ ବାହିନୀ ସମେତ ସମଗ୍ର ରାଜ୍ୟ ବ୍ୟବସ୍ଥାକୁ ନିରାଶ କରିଛି। ହାଇକୋର୍ଟ ଏକ ସାଧାରଣ ଆଦେଶରେ ସିବିଆଇକୁ ବିନା କୌଣସି ଗାଇଡଲାଇନରେ ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହା କି ସନ୍ଦେଶଖାଲି ଅଞ୍ଚଳରେ କୌଣସି ଦଣ୍ଡନୀୟ ଅପରାଧର ତଦନ୍ତ ପାଇଁ ରାଜ୍ୟ ପୁଲିସର କ୍ଷମତାକୁ ହଡ଼ପ କରିବା ସହ ସମାନ। ତେବେ ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ ଯଦି ସେମାନେ କେବଳ ମନ୍ତବ୍ୟରେ ଅସନ୍ତୁଷ୍ଟ ତେବେ ରାଜ୍ୟ ସରକାର ହାଇକୋର୍ଟଙ୍କ ରେକର୍ଡରୁ ସେହି ମନ୍ତବ୍ୟଗୁଡ଼ିକୁ ହଟାଇବା ପାଇଁ ଆବେଦନ କରିପାରିବେ। ଗ୍ରୀଷ୍ମ ଛୁଟି ପରେ ସର୍ବୋଚ୍ଚ ଅଦାଲତ ଏହି ମାମଲାର ପୁଣି ଶୁଣାଣି କରିବେ।

ସମ୍ବନ୍ଧିତ ଖବର