ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ମାମଲା: ସିବିଆଇ ତଦନ୍ତ ଉପରେ ରୋକ୍
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଆଜି ରାଜ୍ୟ ସରକାରକୁ ବଡ଼ ଅଶ୍ବସ୍ତି ମିଳିଛି। ଏହି ନିଯୁକ୍ତି ଦୁର୍ନୀତିରେ ରାଜ୍ୟର ସରକାରୀ ଅଧିକାରୀଙ୍କ ବିରୋଧରେ ଚାଲିଥିବା ସିବିଆଇ ତଦନ୍ତ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ। ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ୨୪ ହଜାର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତିକୁ କୋଲକାତା ହାଇକୋର୍ଟ ରଦ୍ଦ କରିବା ପରେ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପର୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ସିବିଆଇ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ବିରୋଧରେ ଅଧିକ ତଦନ୍ତ କରିବ ବୋଲି ଯେଉଁ ନିର୍ଦ୍ଦେଶ ଦିଆଯାଇଛି ତାହା ଉପରେ ଆମେ ରୋକ୍ ଲଗାଉଛୁ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ସ୍କୁଲ ସେବା ଆୟୋଗ (ଡବ୍ଲୁବିଏସ୍ସିସି) ଦ୍ୱାରା ଗଠିତ ସ୍କୁଲ ଶିକ୍ଷକମାନଙ୍କ ପାଇଁ ୨୦୧୬ର ନିଯୁକ୍ତି ପ୍ୟାନେଲକୁ ଏପ୍ରିଲ ୨୬ରେ ହାଇକୋର୍ଟ ବାତିଲ କରିଥିଲେ। ହାଇକୋର୍ଟ ସିବିଆଇକୁ ଏହି ମାମଲାର ଅଧିକ ତଦନ୍ତ କରି ତିନି ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆବଶ୍ୟକ ପଡ଼ିଲେ ସିବିଆଇ ଏହି ମାମଲାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ହାଜତକୁ ନେଇ ପଚରାଉଚରା କରିପାରିବ ବୋଲି କୋର୍ଟ କହିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶର ଦୁଇ ଦିନ ପରେ ତୃଣମୂଳ କଂଗ୍ରେସ ସରକାର ଏହି ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମମତା ସରକାର ଅଭିଯୋଗ କରିଛନ୍ତି ଯେ ହାଇକୋର୍ଟ ସରକାରଙ୍କୁ ଆବଶ୍ୟକ ବ୍ୟବସ୍ଥା କରିବା ପାଇଁ ପର୍ଯ୍ୟାପ୍ତ ସମୟ ନ ଦେଇ ମନଇଚ୍ଛା ସମଗ୍ର ଚୟନ ପ୍ରକ୍ରିୟାକୁ ବାତିଲ କରିଛନ୍ତି। ମୌଖିକ ଯୁକ୍ତି ଆଧାରରେ ଏହା କରାଯାଇଥିବା ରାଜ୍ୟ ସରକାର କହିଛନ୍ତି। ଏହି ମାମଲାରେ ସୁପ୍ରିମ୍କୋର୍ଟରେ ମେ ୬ ତାରିଖ ଦିନ ପରବର୍ତ୍ତୀ ଶୁଣାଣି ହେବ।