ତରଭୁଜ ଓ ପଇଡ଼ର ଭାରି ଚାହିଦା

ଭୁବନେଶ୍ୱର: ପ୍ରଚଣ୍ଡ ଖରା ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ସକାଳ ୧୧ଟା ବାଜିବା କ୍ଷଣି ଘରୁ ପାଦ କାଢ଼ିବା ଲୋକଙ୍କ ପକ୍ଷେ ଅସମ୍ଭବ ପାଲଟିଛି। ଏଭଳି ପରିସ୍ଥିତିରେ ପାଟିକୁ ସୁଆଦିଆ ଆଉ ପେଟକୁ ଥଣ୍ଡା କରୁଥିବା ଖରାଦିନିଆ ପାନୀୟ ଓ ଫଳର ଚାହିଦା ଏବେ ବଢି ଯାଇଛି। ପୁଦିନା ଲେମ୍ବୁ, ଆଖୁରସ, ମିଶ୍ରିପାଣି, ନଣ୍ଡା ବଗୁଲି ସର୍ବତ, ବେଲପଣା, ତରଭୁଜ, ପଇଡ ଇତ୍ୟାଦିକୁ ଭଳିକିଭଳି ଢଙ୍ଗରେ ଏବେ ଦୋକାନୀମାନେ ସହରର ପ୍ରମୁଖ ସ୍ଥାନରେ ବିକୁଥିବା ଦେଖିବାକୁ ମିଳିଛି। ଏବେ ତରଭୁଜର ଚାହିଦା ମଧ୍ୟ ଭାରି ବଢ଼ି ଯାଇଛି। ଚାହିଦାକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ଢେଙ୍କାନାଳ, କାକଟପୁର, ଅନୁଗୁଳ, ଯାଜପୁର ଓ ଦେବଗଡ଼ ଆଦି ସ୍ଥାନରୁ ତରଭୁଜ ଭୁବନେଶ୍ବରକୁ ଆଣୁଛନ୍ତି। ତରଭୁଜର ବିଭିନ୍ନ ପ୍ରକାର ଯେପରିକି ଆରୋହୀ, ସରସ୍ୱତୀ, ହଳଦିଆ ଆଦି ତରଭୁଜ ବଜାରରେ ବିକ୍ରି ହେଉଛି। ବର୍ତ୍ତମାନ ଏହାର ମୂଲ୍ୟ କିଲୋକୁ ୩୦ଟଙ୍କା ପାଖାପାଖି ରହିଛି। କିଛି ଦୋକାନୀ ଏହାକୁ କାଟି ଖଣ୍ଡ ଖଣ୍ଡ କରି ବିକ୍ରି କରୁଛନ୍ତି। ପ୍ରତିଖଣ୍ଡର ଦାମ୍‌ ୧୦ଟଙ୍କା ରହିଛି। ସକାଳ ଠାରୁ ଆରମ୍ଭ କରି ସନ୍ଧ୍ୟା ପର୍ଯ୍ୟନ୍ତ ଏହାର ବେପାର ହେଉଛି ବୋଲି ଇନ୍ଦ୍ରଧନୁ ମାର୍କେଟର ବ୍ୟବସାୟୀ ରଘୁନାଥ ସାହୁ କହିଛନ୍ତି। କଳ୍ପନା, ଇନ୍ଦ୍ରଧନୁ ମାର୍କେଟ, ରାଜମହଲ, ପ୍ରଦର୍ଶନୀ ପଡ଼ିଆ, ସିଆର୍‌ପି, ନୂଆପଲ୍ଲୀ, ଗୋପବନ୍ଧୁ ଛକ ଆଦି ସ୍ଥାନରେ ତରଭୁଜର ବଡ଼ ପସରା ମେଲିଛି। ଏପରିକି ପ୍ରତିଛକରେ ଥିବା ଫଳ ଦୋକାନୀମାନେ ମଧ୍ୟ ତରଭୁଜ ରଖୁଛନ୍ତି।

ସେହିପରି ଖରାରେ ଲୋକେ ପଇଡ଼ ପାଣି ମଧ୍ୟ ପୂର୍ବ ଅପେକ୍ଷା ଅଧିକ ପିଉଛନ୍ତି। ପ୍ରତି ଛକ ଓ ବଜାରରେ ବେପାରୀମାନେ ପଇଡ଼ ଧରି ଠିଆ ହେବାର ଦୃଶ୍ୟ ଦେଖିବାକୁ ମିଳୁଛି। ଯଦିଓ ପଇଡ଼ ପ୍ରାୟ ସବୁ ସମୟରେ ଭଲ ବିକ୍ରି ହୁଏ, କିନ୍ତୁ ଏବେ ଏହାର ଚାହିଦା ଖୁବ୍‌ ବଢ଼ିଯାଇଛି। ଗୋଟେ ପଇଡ଼ ପ୍ରାୟ ୪୦ରୁ ୫୦ଟଙ୍କାରେ ବିକ୍ରି ହେଉଛି। ପିପିଲି, ସାକ୍ଷୀଗୋପାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା ସହିତ ରାଜ୍ୟ ବାହାରୁ ଆନ୍ଧ୍ରପ୍ରଦେଶ ଓ ବେଙ୍ଗାଲୁରୁ ମଧ୍ୟ ଭୁବନେଶ୍ବରକୁ ପଇଡ଼ ଆସୁଛି। ଆଇଜି ପାର୍କ ନିକଟରେ ପଇଡ଼ ବିକ୍ରି କରୁଥିବା ସୁରେଶ ପ୍ରଧାନ କହିଲେ, ‘‘ସକାଳରୁ ପଇଡ଼ ବେପାର ଭଲ ହେଉଛି। ଖରା ବଢ଼ିବାପରେ ଲୋକେ ଘରୁ ପ୍ରାୟ ବାହାରୁ ନଥିବାରୁ ବେପାର କମି ଯାଉଛି, କିନ୍ତୁ ଉପର ଓଳି ପରେ ପୁଣି ବିକ୍ରି ବଢୁଛି।’’

ସମ୍ବନ୍ଧିତ ଖବର