ଜାତିସଂଘ କୋପ-୨୭ ଜଳବାୟୁ ସମ୍ମିଳନୀ: ବିଶ୍ବ ତାପନରେ ପ୍ରଭାବିତ ଦେଶଙ୍କ ପାଇଁ ସ୍ବତନ୍ତ୍ର ପାଣ୍ଠି

କାଏରୋ : ବିଶ୍ବ ତାପନ ଦ୍ବାରା ଅଧିକ ମାତ୍ରାରେ ପ୍ରଭାବିତ ହେଉଥିବା ଦେଶଗୁଡ଼ିକ ପାଇଁ ସ୍ବତନ୍ତ୍ର ପାଣ୍ଠି ବ୍ୟବସ୍ଥାକୁ ଜାତିସଂଘ ଦ୍ବାରା ଆୟୋଜିତ ସିଓପି ୨୭ ଜଳବାୟୁ ସମ୍ମିଳନୀ ମଞ୍ଜୁରି ଦେଇଛି। ଦୀର୍ଘ ସମୟ ଆଲୋଚନା ପରେ ମଧ୍ୟରାତ୍ରିରେ ଉକ୍ତ ପାଣ୍ଠିକୁ ମଞ୍ଜୁରି ମିଳିବା ପରେ ସମ୍ମିଳନୀରେ ଯୋଗଦେଇଥିବା ପ୍ରତିନିଧିମାନେ ଖୁସି ବ୍ୟକ୍ତ କରିଥିଲେ। ଜାମ୍ବିୟା‌ର ସବୁଜ ଅର୍ଥନୀତି ଓ ପରିବେଶ ମନ୍ତ୍ରୀ କଲିନ୍ସ ଜୋବୁ ଏଥିରେ ଅତ୍ୟଧିକ ଉତ୍ସାହିତ ବୋଲି ମତ ରଖିଛନ୍ତି।

ପ୍ଲିନାରି ଅଧିବେଶନରେ ଅନେକ ଗୁଡ଼ିଏ ବିତର୍କିତ ବିଷୟ ଉପରେ ଆଲୋଚନା ହୋଇ ଚୂଡ଼ାନ୍ତ ବିବୃତି ପ୍ରକାଶ କରାଯିବ। ଏହି ବିବାଦୀୟ ପ୍ରସଙ୍ଗ ଗୁଡ଼ିକ ମଧ୍ୟରେ ବିଶ୍ବ ତାପନକୁ ପ୍ରାକ୍‌ ଶିଳ୍ପାୟନ ସ୍ତରର ତାପମାତ୍ରାଠାରୁ ୧.୫ ଡିଗ୍ରି ମଧ୍ୟରେ ରଖିବା ଅତ୍ୟତମ। ଏଥିପାଇଁ ଗ୍ୟାସ ନିର୍ଗମନ ମାତ୍ରାରେ ବ୍ୟାପକ ହ୍ରାସ କରିବାକୁ ପଡ଼ିବ। ଉକ୍ତ ପ୍ରସ୍ତାବର ସମୀକ୍ଷା ପାଇଁ ସୁଇଜରଲାଣ୍ଡ ଅଧିକ ସମୟ ମାଗିବାକୁ ଏହି ଅଧିବେଶନକୁ ସ୍ଥଗିତ ରଖାଯାଇଛି। ସମ୍ମିଳନୀରେ ଖରାପ ନିଷ୍ପତ୍ତି କିଛି ନିଆଗଲେ ସେ ଆଲୋଚନାରୁ ବାହାରି ପଳାଇବ ବୋଲି ୟୁରୋପୀୟ ସଂଘ ଶନିବାର ଧମକ ଦେଇଛି। ମନଇଚ୍ଛା କୋଇଲା ଶକ୍ତିର ବ୍ୟବହାର ଏବଂ ଜୀବାଶ୍ମ ଇନ୍ଧନ ଉପରେ ପ୍ରଦାନ କରାଯାଉଥିବା ସବ୍‌ସିଡିକୁ ହ୍ରାସ କରିବା ପାଇଁ ସଦ୍ୟ ଚିଠା ପ୍ରସ୍ତାବରେ ବ୍ୟବସ୍ଥା ହୋଇଛି।

ବିକାଶଶୀଳ ଦେଶଗୁଡ଼ିକ ସମ୍ମିଳନୀରେ ଏପ୍ରକାର ପାଣ୍ଠି ସୃଷ୍ଟି ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଥିଲେ। ଶେଷରେ ମାତ୍ରାଧିକ ପ୍ରଦୂଷିତ କରୁଥିବା ଧନୀ ଦେଶମାନଙ୍କର ସମର୍ଥନ ମଧ୍ୟ ଏଥିପ୍ରତି ମିଳିଥିଲା।

ବିଶ୍ବ ତାପନ ଯୋଗୁ ବିଶ୍ବରେ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ମାନ ଦେଖିବାକୁ ମିଳୁଛି। ଏଥିସହିତ ଶକ୍ତି ଏବଂ ଖାଦ୍ୟ ସଂକଟ ସମେତ ଦେଶଗୁଡ଼ିକର ଋଣ ପରିମାଣ ବଢ଼ୁଛି।

ଚଳିତବର୍ଷ ପାକିସ୍ତାନରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ୩୦ ବିଲିଅନ ଡଲାରର ଆର୍ଥିକ କ୍ଷତି ହୋଇଛି ବୋଲି ବିଶ୍ବବ୍ୟାଙ୍କ ଆକଳନ କରିଛି।

ଆଲୋଚନାବେଳେ ୟୁରୋପୀୟ ସଂଘ ଦାବି କରିଥିଲା ଯେ ଚୀନ ଭଳି ଧନୀ ବିକାଶଶୀଳ ଦେଶ ଯିଏକି ବିଶ୍ବର ଦ୍ବିତୀୟ ବୃହତ୍ ଅର୍ଥନୀତିରେ ପରିଣତ ହୋଇଛି ସେ ଯେଭଳି ‌ଏହି ପାଣ୍ଠିର ହିତାଧିକାରୀ ନହେବ ସେ ନେଇ ଯୁକ୍ତି ବାଢ଼ିଥିଲା। ତେବେ ପାଣ୍ଠିକୁ କିଭଳି କାର୍ଯ୍ୟକାରୀ କରାଯିବ ସେ ସଂପର୍କରେ ଆସନ୍ତାବର୍ଷ ଦୁବାଇରେ ହେବାକୁ ଥିବା ଜଳବାୟୁ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର