ହରଦୀପ ସିଂହ ନିଜାର୍‌ ହତ୍ୟାକାଣ୍ଡରେ କାନାଡାର ତଦନ୍ତକୁ ସମର୍ଥନ ଜଣାଇଲା ଆମେରିକା

ୱାସିଂଟନ୍‌ ଡି. ସି.: କାନାଡାର ସରି ଅଞ୍ଚଳରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂହ ନିଜାର୍‌ଙ୍କ ହତ୍ୟାକାଣ୍ଡରେ ଭାରତର ସମ୍ପୃକ୍ତି ଥିବା ଅଭିଯୋଗ ଉପରେ କାନାଡା କରିବାକୁ ଥିବା ତଦନ୍ତ ଉଦ୍ୟମକୁ ସମର୍ଥନ କରୁଛି ବୋଲି ଗୁରୁବାର ଦିନ ଆମେରିକା କହିଛି।

ଏଥି ସହିତ ଆମେରିକା କହିଛି ଯେ, ଏଭଳି କାର୍ଯ୍ୟକଳାପ ଲାଗି କୌଣସି ‌ଦେଶ କ‌ିଛି ‘ବିଶେଷ ଆଶ୍ବସ୍ତି’ ପାଇବେ ନାହିଁ।

କାନାଡା ଓ ଭାରତର କୂଟନୈତିକ ତିକ୍ତତା ସମ୍ବନ୍ଧରେ ରାଷ୍ଟ୍ରପତି ବାଇଡେନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କିଛି କହିବାକୁ ଚାହୁଁଛନ୍ତି କି, ବୋଲି ପଚାରା ଯିବାରୁ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ୍‌ ସୁଲିଭାନ୍‌ ସାମ୍ବାଦିକମାନଙ୍କୁ କହିଲେ, ଏ ବିଷୟରେ ହୋଇସାରିଥିବା କି, ହେବାକୁ ଥିବା ବ୍ୟକ୍ତିଗତ କୂଟନୈତିକ ଆଳାପଆଲୋଚନା ପ୍ରସଙ୍ଗରେ ମୁଁ ହସ୍ତକ୍ଷେପ କରିବି ନାହିଁ। ଏ ପ୍ରସଙ୍ଗରେ ଆମେ ଭାରତ ସହିତ ଉଚ୍ଚସ୍ତରୀୟ ଯୋଗାଯୋଗରେ ରହିଛୁ ଓ ରହିବୁ ମଧ୍ୟ।

Image Courtesy of India Today

ସେ ଆହୁରି ମଧ୍ୟ କହିଛନ୍ତି, ଏହା ଆମ ପାଇଁ ଚିନ୍ତାର କାରଣ। ଏ କଥାକୁ ଆମେ ଗୁରୁତ୍ବର ସହିତ ବିଚାର କରୁଛୁ। ଏ ବିଷୟରେ ଆମେ ଅନୁଧ୍ୟାନ କରିବୁ। ଏହି ମାମଲାରେ ଭାରତ ପ୍ରତି କୌଣସି ବିଶେଷ ଆଶ୍ବସ୍ତି ନାହିଁ।

କିନ୍ତୁ, ଭାରତ ସହିତ ସମ୍ପର୍କ ସୁଦୃଢ଼ କରିବାକୁ ଚାହୁଁଥିବାରୁ ଆମେରିକା କାନାଡାର ଅଭିଯୋଗ ପ୍ରତି ଗୁରତ୍ବ ଦେବ ନାହିଁ ବୋଲି ଉଠିଥିବା କଥାକୁ ଅଗ୍ରାହ୍ୟ କରି ସୁଲିଭାନ କହିଲେ ଯେ, ବାଇଡେନ୍‌ ପ୍ରଶାସନ କାନାଡାର ଅଭିଯୋଗକୁ ଗରୁତ୍ବ ସହକାରେ ଗ୍ରହଣ କରିଛି ଓ ଅଟାୱା ସହିତ ଯୋଗାଯୋଗ ରଖିଛି।

ସେ କହିଛନ୍ତି, ଏଭଳି କାର୍ଯ୍ୟକଳାପ ପାଇଁ କାହାକୁ ଆଶ୍ବସ୍ତି ମିଳିବ ନାହିଁ। ସେ ଯେଉଁ ଦେଶ ହୋଇଥାଉ ନା କାହିଁକି, ଆମେ ପ୍ରତିବାଦ କରି ଆମର ମୌଳିକ ନୀତିକୁ ସୁରକ୍ଷା ଦେବୁ। ଏଥିପାଇଁ ଆମେ ସବୁବେଳେ କାନାଡା ସହିତ ପରାମର୍ଶ କରିଛୁ। ସେମାନେ ବି ସେମାନଙ୍କର ଆଇନ ପ୍ରବର୍ତ୍ତନ ଓ କୂଟନୈତିକ ପ୍ରକ୍ରିୟା ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର