ରାଜସ୍ଥାନରେ କିଏ ହେବେ ମୁଖ୍ୟମନ୍ତ୍ରୀ ? ମହାରାଣୀ, ଶେଖାଓ୍ବତ ନା ଯୋଗୀ ବାଳକନାଥ?

ଜୟପୁର: ରାଜସ୍ଥାନରେ ବିଜେପି ବିପୁଳ ସଂଖ୍ୟାଗରିଷ୍ଠତା ଆଡ଼କୁ ଦ୍ରୁତ ଗତିରେ ଅଗ୍ରସର ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚେହେରାକୁ ନେଇ ଦଳ ଏହି ନିର୍ବାଚନ ଲଢୁଥିଲା । ଦଳ ଏଥର କୌଣସି ନେତାଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଉପସ୍ଥାପନ କରିନଥିଲା।

ଏବେ ପ୍ରଶ୍ନ ଉଠୁଛି ଏବେ କ୍ଷମତାକୁ ଆସିବା ପରେ କିଏ ହେବ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ? ରାଜ୍ୟରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ ଓ ଯୋଗୀ ବାଳକନାଥ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଆଗୁଆ ଅଛନ୍ତି ।

ତେବେ ରାଜ୍ୟ ରାଜନୀତିରେ ମହାରାଣୀ ବସୁନ୍ଧରାଙ୍କ ଉଚ୍ଚତା ରାଜସ୍ଥାନର ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଠାରୁ ଅଧିକ। ରାଜନୀତିର ଅଭିଜ୍ଞତା ବିଷୟରେ କହିବାକୁ ଗଲେ ବସୁନ୍ଧରା ଦୁଇ ଥର ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଛନ୍ତି । ଅଟଳଜୀଙ୍କ ସରକାରରେ ସେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ବସୁନ୍ଧରା ରାଜେ ବର୍ତ୍ତମାନ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଅଛନ୍ତି। ଏହାଛଡ଼ା ସେ ଗତ କିଛିଦିନ ହେଲା ଆରଏସଏସ ନେତୃବୃନ୍ଦଙ୍କୁ ଭେଟିବା ଜାରି ରଖିଛନ୍ତି । ଏଣୁ ସେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଆଗୁଆ ଅଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଖେଖାଓ୍ବତ ଓ ଲୋକସଭା ବାଚସ୍ପତି ଓମ ବିରଳା ବି ଦୌ଼ଡ଼ରେ ଥିବା କୁହାଯାଉଛି ।

ସେପଟେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଉ ଏକ ବଡ଼ଦାବିଦାର ହେଲେ ଯୋଗୀ ବାଳକନାଥ । ଏବେ ସାଂସଦ ଥିବା ବାଳକନାଥଙ୍କୁ ରାଜସ୍ଥାନର ଯୋଗୀ ଆଦିତ୍ୟନାଥ ବୋଲି କୁହାଯାଏ । ତାଙ୍କ ପଛରେ ବି ଏକ ବଡ଼ ଜନସମର୍ଥନ ଥିବା କୁହାଯାଉଛି ।

 

ସମ୍ବନ୍ଧିତ ଖବର