ଷଟ୍‌ତିଳା ଏକାଦଶୀ

ଭଗବାନ ବିଷ୍ଣୁ ଏକାଦଶୀ ତିଥିର ପୂଜନୀୟ ଦେବତା। ବିଷ୍ଣୁଙ୍କୁ ସନ୍ତୁଷ୍ଟ କରି ବିଷ୍ଣୁଲୋକ ପ୍ରାପ୍ତି ନିମିତ୍ତ ଏକାଦଶୀ ବ୍ରତ ପାଳନ କରାଯାଇ ଥାଏ। ପ୍ରତ୍ୟେକ ଏକାଦଶୀର ଏକ ଏକ ସ୍ୱତନ୍ତ୍ର ନାମ ରହିଛି। ସେହି ଅନୁସାରେ ସେମାନଙ୍କର ମହତ୍ତ୍ୱ ପ୍ରତିପାଦିତ।

ମାଘ କୃଷ୍ଣ ଏକାଦଶୀର ନାମ ‘ଷଟ୍‌ତିଳା ଏକାଦଶୀ’। ‘ଷଟ୍‌’ର ଅର୍ଥ ‘ଛଅ’ ଓ ‘ତିଳ’ର ଅର୍ଥ ରାଶି। ଏହି ଏକାଦଶୀରେ ବ୍ରତଧାରୀମାନେ ତିଳ ବୀଜକୁ ଛଅ ପ୍ରକାରରେ ବ୍ୟବହାର କରି ବ୍ରତ ପାଳନ କରୁ ଥିବାରୁ ଏପରି ନାମ ହୋଇଛି। ସେହି ଛଅ ପ୍ରକାରର ବ୍ୟବହାର ହେଉଛି- ୧. ତିଳ ଜଳରେ ସ୍ନାନ, ୨. ତିଳରେ ଲେପ ତିଆରି କରି ଶରୀରରେ ଲେପନ, ୩. ତିଳାଞ୍ଜଳି ଦେଇ ହୋମ ସଂପାଦନ, ୪. ତିଳ ମିଶ୍ରିତ ଜଳପାନ, ୫. ତିଳଦାନ ଏବଂ ୬. ତିଳରେ ପ୍ରସ୍ତୁତ ମିଷ୍ଟାନ୍ନ ଦେବତାଙ୍କୁ ଅର୍ପଣ। ଏଣୁ ଏ ଏକାଦଶୀ ‘ଷଟ୍‌ତିଳା’।

ତିଳ ଏକ ପବିତ୍ର ବୀଜ। ପୁରାଣର ବର୍ଣ୍ଣନା ଅନୁସାରେ, ଏହା ଋଷି କଶ୍ୟପଙ୍କ ଅଙ୍ଗରୁ ଜାତ ହୋଇଥିଲା। ‘ତୃପ’ ଅର୍ଥ ତୃପ୍ତି। ଏଥରୁ ନିଷ୍ପନ୍ନ ଶବ୍ଦ ‘ତର୍ପଣ’। ଏକ ପବିତ୍ର ବୀଜ ଭାବରେ ପରିଗଣିତ ହେଉଥିବାରୁ, ତିଳାଞ୍ଜଳିରେ ଦେବତା ଓ ତିଳ ତର୍ପଣରେ ପିତୃପୁରୁଷ ସନ୍ତୁଷ୍ଟ ହୋଇଥାଆନ୍ତି।

ପ୍ରାୟ ୫୫୦୦ ବର୍ଷ ପୂର୍ବରୁ ଭାରତରେ ତିଳ ଚାଷ କରାଯାଉ ଥିବା ଜଣାଯାଏ। ତେଣୁ ଏହାକୁ ପ୍ରାଚୀନତମ ତୈଳବୀଜ ଭାବରେ ଗ୍ରହଣ କରାଯାଇଛି। ଏହାର ବିଶେଷତ୍ୱ ହେଉଛି, ଅନାବୃଷ୍ଟି ଦେଖାଦେଲେ ମଧ୍ୟ ଏହି ଉଦ୍ଭିଦ ବଢ଼ିଥାଏ। ବୋଧହୁଏ ଏଥିପାଇଁ ପ୍ରାଚୀନ କାଳରୁ ମୁନିଋଷିମାନେ ଏହି ବୀଜକୁ ଏତେ ମହତ୍ତ୍ୱ ଦେଇଛନ୍ତି।

‘ମହାଭାରତ’ର ‘ଅନୁଶାସନ ପର୍ବ’ରେ ତିଳଦାନର ମହତ୍ତ୍ୱ ସଂପର୍କରେ ବିସ୍ତୃତ ବର୍ଣ୍ଣନା ଦେଖାଯାଏ। ‘ପଦ୍ମପୁରାଣ’ର ନିର୍ଦ୍ଦେଶ ଅନୁସାରେ, ମାଘ କୃଷ୍ଣ ଏକାଦଶୀ ତିଥିରେ ଶକ୍ତି ଅନୁରୂପେ ଗୋଦାନ ଏବଂ ତିଳପୂର୍ଣ୍ଣ ପାତ୍ର କୌଣସି ବେଦଜ୍ଞ ବ୍ରାହ୍ମଣଙ୍କୁ ଦାନ କଲେ ଦଶଯଜ୍ଞର ଫଳ ମିଳିଥାଏ। ଏହା ମଧ୍ୟ କୁହାଯାଇଛି ଯେ ସେହି ପାତ୍ରରେ ଥିବା ତିଳକୁ ବୁଣି ଦେଲେ ସେଥିରୁ ଯେତେ ଶାଖାଯୁକ୍ତ ତିଳଗଛ ଉତ୍ପନ୍ନ ହେବ, ସେତିକି ହଜାର ବର୍ଷ ମଣିଷ ସ୍ୱର୍ଗଲୋକରେ ବାସ କରିବ।

ଡକ୍ଟର ତୁଳସୀ ଓଝା

ସମ୍ବନ୍ଧିତ ଖବର