ରାଜଧାନୀର ୪୧ ହାଟ ଖୋଲା ସ୍ଥାନକୁ ଉଠିଲା, ବୁଲିଲା ପରିବା ଗାଡ଼ି

ଭୁବନେଶ୍ବର : ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ରାଜଧାନୀର ସବୁ ହାଟ ଓ ବଜାରରେ ଲୋକଙ୍କ ଭିଡ଼ ଜମୁଛି। ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରହିବ, ସେଥିପାଇଁ ବିଏମ୍‌ସି ପକ୍ଷରୁ ରାଜଧାନୀର ଛୋଟ ବଡ଼ ୪୧ଟି ହାଟ/ବଜାରକୁ ସ୍ଥାନାନ୍ତର କରାଯାଇଛି। ଏହି ହାଟଗୁଡ଼ିକୁ ନିକଟସ୍ଥ ରାସ୍ତା, ଖୋଲା ପଡ଼ିଆ, ପାର୍କିଂ ଅଞ୍ଚଳକୁ ସ୍ଥାନାନ୍ତର କରାଯାଇଛି। ଏଠାରେ ଯେପରି ବ୍ୟବସାୟୀଙ୍କ ମଧ୍ୟରେ ୮ରୁ ୧୦ ମିଟର ଦୂରତା ରହିବ, ଗ୍ରାହକଙ୍କ ମଧ୍ୟରେ ଅତି କମ୍‌ରେ ଗୋଟିଏ ମିଟର ଦୂରତା ରହିବ ଏବଂ କୌଣସି ପ୍ରକାରର ଜନସମାଗମ ହେବନି, ସେଥିପାଇଁ ପଦକ୍ଷେପ ନେବାକୁ ବିଏମ୍‌ସିର ଜୋନାଲ ଡେପୁଟି କମିସନରମାନଙ୍କୁ କୁହାଯାଇଛି। ସେହିପରି ଲୋକଙ୍କ ପାଖରେ ସଉଦା ଓ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ପାଇଁ ବିଏମ୍‌ସି ୨୮ଟି ମଲ୍‌ ଓ ଦୋକାନକୁ ନିୟୋଜିତ କରିବା ପରେ ଏବେ ଲୋକଙ୍କ ପାଖରେ ଯେପରି ପରିବା ପହଞ୍ଚିବ, ସେନେଇ ଯୋଜନା କରିଛି। କିଛି ପରିବା ବ୍ୟବସାୟୀଙ୍କୁ ଗାଡ଼ିରେ ପରିବା ନେଇ ବିକିବାକୁ ପ‌ାସ୍‌ ଦେଇଛି। ଆଜି ଚନ୍ଦ୍ରଶେଖରପୁର ଅଞ୍ଚଳରେ ବିଏମ୍‌ସିର ଉତ୍ତର ଜୋନ୍‌ ପକ୍ଷରୁ ପରିବା ଗାଡ଼ି ବୁଲିଛି। ଆସନ୍ତାକାଲିଠାରୁ ଏହି ଜୋନ୍‌ରେ ଆଉ ୪ଟି ଗାଡ଼ି ବୁଲିବ। ଏହାବାଦ୍ ବିଏମ୍‌ସିର ଦକ୍ଷିଣ-ପୂର୍ବ ଜୋନ୍ ଓ ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ଆସନ୍ତାକାଲିଠାରୁ ପରିବା ଗାଡ଼ି ବୁଲିବ। ଆଜି ଏନେଇ ବିଭିନ୍ନ ଲୋକଙ୍କୁ ପାସ୍‌ ଦିଆଯାଇଛି।

ସମ୍ବନ୍ଧିତ ଖବର