ରକ୍ତରେ ଭିଜିଲା ଶିଶୁପାଳଗଡ଼ ଜମାଣ ଶୋଭାଯାତ୍ରା: ନାବାଳକଙ୍କ ତଣ୍ଟିରେ ଖୁର ମାରିଦେଲେ

ଧଉଳି : ଗତରାତିରେ ଶିଶୁପାଳଗଡ଼ ଗାଁ ଜମାଣ ଶୋଭାଯାତ୍ରା ରକ୍ତରଞ୍ଜିତ ହୋଇଛି। ଶୋଭାଯାତ୍ରା ଚାଲିଥିବା ବେଳେ କିଛି ଦୁର୍ବୃତ୍ତ ସ୍ମୃତିରଞ୍ଜନ ପାତ୍ର(୧୭)ଙ୍କ ବେକରେ ଖୁର ଚଳାଇ ଦେଇଛନ୍ତି। ସ୍ମୃତିରଂଜନ ଅଳ୍ପକେ ବର୍ତ୍ତି ଯାଇଥିଲେ ବି ତାଙ୍କ ବେକରେ ୧୮ଟି ଷ୍ଟିଚ୍‌ ପଡ଼ିଛି ଓ ଏବେ ସେ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଘଟଣା ପରେ ଦୁର୍ବୃତ୍ତମାନେ ଫେରାର୍ ହୋଇଯାଇଥିଲେ। ଏହାକୁ ନେଇ ଗାଁରେ ପ୍ରବଳ ଉତ୍ତେଜନା ଲାଗି ରହିଛି। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ପୁଲିସ ଉପରେ ଚାପ ପକାଯାଉଥିବା ବେଳେ ପ୍ରତିଶୋଧ ପାଇଁ ଗୋଟିଏ ଗୋଷ୍ଠୀ ସଜବାଜ ହୋଇ ଅଛନ୍ତି। ତେଣୁ କୌଣସି ମୁହୂର୍ତ୍ତରେ ବଡ଼ଧରଣର ଗଣ୍ଡଗୋଳ ଘଟିବା ଆଶଙ୍କା ରହିଛି। ତେବେ ଗଣ୍ଡଗୋଳକୁ ନିୟନ୍ତ୍ରଣ କରିବାକୁ ଗାଁରେ ପୁଲିସ ମୁତୟନ କରାଯାଇଛି। କମିସନରେଟ୍‌ ପୁଲିସ ପକ୍ଷରୁ ଗାଁରେ ଆଜିଠାରୁ ୩ ଦିନ ବ୍ୟାପୀ ହେବାକୁ ଥିବା ଅପେରା ପ୍ରଦର୍ଶନକୁ ବନ୍ଦ କରାଯାଇଛି।

ଗତକାଲି ରାତି ସାଢ଼େ ୧୦ଟା ବେଳେ ଗ୍ରାମର ଜମାଣ ଉତ୍ସବ ଆରମ୍ଭ ହୋଇଥିଲା। ରାତି ପ୍ରାୟ ସାଢ଼େ ୧୨ଟା ସୁଦ୍ଧା ପତିତପାବନ ମନ୍ଦିର ନିକଟରେ ଜମାଣ ଶୋଭାଯାତ୍ରା ପହଞ୍ଚିଥିଲା। ଆଉ କିଛି ସମୟ ପରେ ଜମାଣ ସରିଥାଆନ୍ତା। ମାତ୍ର ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଯୋଗମାୟା ସାହିର କିଛି ଯୁବକ ହଠାତ୍ ସ୍ମୃତିରଞ୍ଜନଙ୍କୁ ଆକ୍ରମଣ କଲେ। ଡିଜେ ପଛରେ ଏକୁଟିଆ ଥିବା ମଉକାରେ ସେମାନେ ସ୍ମୃତିରଞ୍ଜନଙ୍କ ବେକକୁ ଖୁରରେ କାଟି ଦେଇଥିଲେ। ସେ ତଳେ ପଡ଼ିଯିବା ପରେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ସ୍ମୃତିଙ୍କ ଚିତ୍କାର ଶୁଣି ଡିଜେ ଆଗରେ ଥିବା ଗାଁ ଯୁବକମାନେ ଧାଇଁ ଆସିବା ବେଳକୁ ଆକ୍ରମଣକାରୀମାନେ ଫେରାର୍ ହୋଇଯାଇଥିଲେ। ଗାଁଲୋକେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସ୍ମୃତିକୁ ଉଦ୍ଧାର କରି ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ଏଣେ ଗାଁରେ ଅନ୍ୟମାନେ ଆକ୍ରମଣକାରୀଙ୍କୁ ଖୋଜି ଯୋଗମାୟା ସାହି ପର୍ଯ୍ୟନ୍ତ ଯାଇଥିବା ବେଳେ ଗାଁ ମୁରବିମାନେ ସେମାନଙ୍କୁ ବୁଝାସୁଝା କରି ଫେରାଇଥିଲେ। ଖବର ପାଇ ଏସିପି ଅନିରୁଦ୍ଧ ରାଉତ, ଧଉଳି ଥାନା ଓ ଶ୍ରୀଲିଙ୍ଗରାଜ ଥାନା ପୁଲିସ ସହ ଶିଶୁପାଳଗଡ଼ରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଗଣ୍ଡଗୋଳ ପରେ ଜମାଣ ଶୋଭାଯାତ୍ରାକୁ ବିନା ବାଜାବାଣରେ ମେଳଣ ପଡ଼ିଆ ପର୍ଯ୍ୟନ୍ତ ନିଆଯାଇଥିଲା।
ସୂଚନାନୁସାରେ ପୂର୍ବରୁ ଉଭୟ ଗୋଷ୍ଠୀର ଯୁବକମାନଙ୍କ ମଧ୍ୟରେ ଅନେକଥର ଗଣ୍ଡଗୋଳ ହୋଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଅଭିଯୁକ୍ତ ଯୁବକମାନେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଓ ନୂଆ ବର୍ଷ ରାତିରେ ଗଣ୍ଡଗୋଳ କରିଥିଲେ। ସେମାନଙ୍କ ନାମରେ ଧଉଳି ଥାନାରେ ମାମଲା ରୁଜୁ ହୋଇଥିଲା। ସେହି ସମୟରୁ ଉଭୟ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ତେବେ ଏଥର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ହାପି ଭୋଇକୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର