ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ-୨୦୧୯: ସମାଜ ପାଇଁ ଓଡ଼ିଆ ବୈଜ୍ଞାନିକଙ୍କ ଅବଦାନ ଅତୁଳନୀୟ

ଭୁବନେଶ୍ବର: ବିଶ୍ବ ସମୁଦାୟ ପାଇଁ ଓଡ଼ିଆ ବୈଜ୍ଞାନିକମାନଙ୍କ ଅବଦାନ ଅତୁଳନୀୟ। ବିଶେଷକରି ସ୍ବାସ୍ଥ୍ୟ କ୍ଷେତ୍ରରେ ଓଡ଼ିଆ ବୈଜ୍ଞାନିକମାନେ ସର୍ବଭାରତୀୟସ୍ତରରେ ସୁନା‌ମ ଅର୍ଜନ କରି ଓଡ଼ିଶାକୁ ଗୌରବାନ୍ବିତ କରିଛନ୍ତି। ଓଡ଼ିଶା ବିଜ୍ଞାନ ଏକାଡେମି ପକ୍ଷରୁ ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ-୨୦୧୯ରେ ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଜ୍ଞାନ ଓ ବୈଷୟିକ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା ଯୋଗ ଦେଇ କହିଥିଲେ ଯେ ବିଜ୍ଞାନକୁ ଅଧିକ ଲୋକାଭିମୁଖୀ କରିବା ଦିଗରେ ବିଜ୍ଞାନ ଏକାଡେମି ପରି ଅନୁଷ୍ଠାନଗୁଡ଼ିକ ଉତ୍ସାହଜନକ କାର୍ଯ୍ୟ କରୁଛନ୍ତି।

ଓଡ଼ିଶାରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି। ଆଗକୁ ଓଡ଼ିଶାରେ ଆଉ ୫ଟି ପ୍ଲାନେଟୋରିୟମ୍‌ ନିର୍ମାଣ କରିବାକୁ ଯୋଜନା ରହିଥିବା ବେଳେ ସମସ୍ତ ଜିଲ୍ଲାରେ ସାଇନ୍ସ ପାର୍କ ଖୋଲିବା ପାଇଁ ଯୋଜନା ରହିଛି ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି। ବିଜ୍ଞାନ ଓ ବୈଷୟିକ ବିଭାଗ ଶାସନ ସଚିବ ମନୋଜ କୁମାର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ ଯେ ବିଜ୍ଞାନ କ୍ଷେତ୍ରରେ ଭାରତର ସଫଳତା ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି। ଓଡ଼ିଶାରେ ବିଭିନ୍ନ ଟିକା ଉତ୍ପାଦନ ହେଉଛି ଓ ଏହା ଓଡ଼ିଆ ବୈଜ୍ଞାନିକମାନଙ୍କ ବଡ଼ ସଫଳତା ବୋଲି ଶ୍ରୀ ମିଶ୍ର କହିଥିଲେ। ଏହି ଅବସରରେ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଫେସର ମମତା ଶତପଥୀ, ବିଷ୍ଣୁଚରଣାବିନ୍ଦ ମହାନ୍ତି, ନିରଞ୍ଜନ ବାରିକ, ହେମନ୍ତ କୁମାର ପାତ୍ର, ଚିତ୍ତରଞ୍ଜନ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଅମର କୁମାର ମହାନ୍ତିଙ୍କୁ ‘ବିଜୁ ପଟ୍ଟନାୟକ ବୈଜ୍ଞାନିକ ଉତ୍କର୍ଷ’ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରଫେସର ମୃତ୍ୟୁଞ୍ଜୟ ସୁଆର, ସୁଶାନ୍ତ କୁମାର ସାହୁ ଓ ଗୋପବନ୍ଧୁ ଜେନାଙ୍କୁ ‘ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ପୁରସ୍କାର’ ଡ. ନମ୍ରତା ମିଶ୍ର, ମନସ୍ବିନୀ ବେହେରା ଓ ସୁନିଲ ମନୋହରଙ୍କୁ ‘ଯୁବ ବୈଜ୍ଞାନିକ ପୁରସ୍କାର’, ଡା. ଦ୍ବିଜେଶ କୁମାର ପଣ୍ଡାଙ୍କୁ ‘ପ୍ରାଣକୃଷ୍ଣ ପରିଜା’ ପୁରସ୍କାର ପ୍ରଦାନ କରାଯାଇଥିଲା। ଏକାଡେମିର ସଭାପତି ପ୍ରଫେସର ବିଭୂତି ଭୂଷଣ ମିଶ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ସଂପାଦକ ଇଂ ନରେନ୍ଦ୍ର କୁମାର ପଣ୍ଡା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର