ବ୍ରେନ୍‌ଷ୍ଟ୍ରୋକ୍ ପୀଡ଼ିତା ସ୍ତ୍ରୀକୁ ବଞ୍ଚାଇବାକୁ ସ୍ବାମୀଙ୍କ ଆକୁଳ ନିବେଦନ

ଭୁବନେଶ୍ବର: ବ୍ରେନ୍‌ଷ୍ଟ୍ରୋକ୍‌ରେ ପୀଡ଼ିତ ଥାଇ ଜୀବନମରଣ ସହ ସଂଘର୍ଷ କରୁଥିବା ସ୍ତ୍ରୀଙ୍କ ପାଇଁ ଘରଡିହ, ଜମିବାଡ଼ି ବନ୍ଧକ ରଖି ପ୍ରାୟ ୫୫ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି। ଆହୁରି ୧୫ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହେବ ବୋଲି ଡାକ୍ତରମାନେ କହିଛନ୍ତି। କିନ୍ତୁ ଏତେ ଟଙ୍କା ଯୋଗାଡ଼ କରିବା ପାଇଁ ଆଉ କିଛି ବି ସମ୍ବଳ ନାହିଁ। ତଥାପି ଆଶା ଛାଡ଼ିନାହାନ୍ତି ସ୍ବାମୀ। ସ୍ତ୍ରୀଙ୍କୁ ମୃତ୍ୟୁ ମୁହଁରୁ ଛଡ଼ାଇ ଆଣିବାକୁ ସଂଘର୍ଷ ଜାରି ରଖିଛନ୍ତି। ସାଙ୍ଗସାଥୀ ଓ ସମ୍ପର୍କୀୟମାନଙ୍କୁ ନିବେଦନ କରିଚାଲିଛନ୍ତି। ଏହା ହେଉଛି ଭୁବନେଶ୍ବର ପ୍ରଶାନ୍ତିବିହାରରେ ରହୁଥିବା ଅନୁଗୁଳର ତୁଷାର ଜ୍ୟୋତିଷଙ୍କ ସଂଘର୍ଷର କାହାଣୀ।

ତୁଷ‌ାର ଏକ ଘରୋଇ କମ୍ପାନିରେ ସ୍ବଳ୍ପ ଦରମାରେ କାମ କରୁଛନ୍ତି। ଦୁଇ ବର୍ଷ ତଳେ ସେ ନିରୁପମା ଖଡ଼ିରତ୍ନଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ୩ ମାସ ପୂର୍ବେ ନିରୁପମା ଏକ କନ୍ୟାସନ୍ତାନର ମା’ ହୋଇଛନ୍ତି। ଝିଅ ଜନ୍ମ ନେବା ପରେ ସ୍ବାମୀ-ସ୍ତ୍ରୀଙ୍କ ଆନନ୍ଦର ସୀମା ନଥିଲା। କିନ୍ତୁ ସେମାନଙ୍କ ଖୁସି ବେଶି ଦିନ ତିଷ୍ଠିଲା ନାହିଁ। ହଠାତ୍ ନିରୁପମା ଅସୁସ୍ଥ ହୋଇପଡ଼ିଲେ। ତୁଷାର ତାଙ୍କୁ ନେଇ ଅନୁଗୁଳ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରୀକ୍ଷା ପରେ ଜଣାପଡ଼ିଲା ଯେ ନିରୁପମାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହୋଇଛି। ତୁରନ୍ତ ତାଙ୍କୁ କଟକ ଏସ୍‌ସିବିକୁ ରେଫର୍ କରିଦିଆଯାଇଥିଲା। ମାତ୍ର ଏସ୍‌ସିବିରେ ଶଯ୍ୟା ନମିଳିବାରୁ ତୁଷାର ବାଧ୍ୟ ହୋଇ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ଅପରେସନ୍ ଦରକାର ହେବାରୁ ନିରୁପମା‌ଙ୍କୁ ଭୁବନେଶ୍ବର କିମସ୍ ହସ୍ପିଟାଲକୁ ନିଆଯାଇଥିଲା। ଅପରେସନ୍ ବାବଦକୁ ପାଖାପାଖି ୨ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ମାତ୍ର ପୁଣି କିଛି ଦିନ ପରେ ହସ୍ପିଟାଲରେ ଥିବା ଅବସ୍ଥାରେ ତାଙ୍କର ଦ୍ବିତୀୟ ବ୍ରେନ୍ ଷ୍ଟ୍ରୋକ୍ ହେଲା। ତେଣୁ ପୁଣି ଥରେ ଅପରେସନ୍ କରାଯାଇଥିଲା। ଏମିତିରେ ହସ୍ପିଟାଲରେ ରହି ଚିକିତ୍ସା ଚାଲିବାରୁ ତୁଷାର ପ୍ରାୟ ୫୫ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରିବାକୁ ବାଧ୍ୟ ହୋଇଥିଲେ।

ଏଥିପାଇଁ ତୁଷାରଙ୍କୁ ନିଜର ଘରବାଡ଼ି ଓ ଜମି ବନ୍ଧକ ରଖିବାକୁ ପଡ଼ିଥିଲା। ଦ୍ବିତୀୟ ଅପରେସନ୍ ପରେ ଡାକ୍ତର ତାଙ୍କୁ ଘରକୁ ଫେରାଇ ଦେଇଛନ୍ତି ଓ ଶଯ୍ୟାଶାୟୀ ଅବସ୍ଥାରେ ଔଷଧ ସେବନ କରୁଛନ୍ତି। ଆହୁରି ବର୍ଷ‌େ ତାଙ୍କୁ ଏମିତି ଶଯ୍ୟାଶାୟୀ ଅବସ୍ଥାରେ ରହିବାକୁ ପଡ଼ିବ ବୋଲି ଡାକ୍ତରମାନେ କହିଛନ୍ତି। ତେବେ ଏହା ଭିତରେ ପ୍ରତିଦିନର ମେଡିସିନ୍ ଓ ବିଭିନ୍ନ ଟେଷ୍ଟ ପାଇଁ ବହୁ ଅର୍ଥ ଆବଶ୍ୟକ। ଡାକ୍ତରଙ୍କ ହିସାବ ଅନୁସାରେ ନିରୁପମା ସୁସ୍ଥ ହେବା ପାଇଁ ଆହୁରି ୧୫ ଲକ୍ଷ ଟଙ୍କା ଆବଶ୍ୟକ। ଏହା ଜାଣିବା ପରେ ତୁଷାରଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ୫୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିବା ପରେ ସେ ଏକପ୍ରକାର ନିଃସ୍ବ ହୋଇପଡ଼ିଛନ୍ତି। ଗୋଟିଏ ପଟେ ୩ ମାସର ଝିଅ ଓ ଅନ୍ୟ ପଟେ ଶଯ୍ୟାଶାୟୀ ସ୍ତ୍ରୀ ନିରୁପମା। ଏହି ପରିସ୍ଥିତିରେ ସ୍ତ୍ରୀକୁ ବଞ୍ଚାଇବା ପାଇଁ ତୁଷାର ବାହାର ସହଯୋଗ ଲୋଡ଼ିଛନ୍ତି। ‌ସରକାରୀ ସହାୟତା ହେଉ କିମ୍ବା କୌଣସି ସହୃଦୟ ବ୍ୟକ୍ତିଙ୍କ ସହଯୋଗ ଲୋଡ଼ି ଆକୁଳ ନିବେଦନ କରିଛନ୍ତି। ସହାୟତା କରିବା ପାଇଁ ଚାହୁଥିବା ସହୃଦୟ ବ୍ୟକ୍ତି ତାଙ୍କୁ ୯୯୮୭୪୬୬୧୦୨ ନମ୍ବରରେ ଯୋଗାଯୋଗ କରିବା ସହ ଆକାଉଣ୍ଟ ନମ୍ବର ୩୨୯୯୯୬୪୮୨୪୩ ରେ ଫୋନ୍ ପେ/ଗୁଗୁଲ୍‌ ପେ’ କରିବାକୁ ସେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର