ଛତାବର ପଞ୍ଚାୟତରେ ‘ଆୟୁଷ ଗ୍ରାମ’ ଉଦ୍‌ଘାଟିତ

ମେଣ୍ଢାଶାଳ: ଆଜି ରାଜଧାନୀ ଉପକଣ୍ଠ ଛତାବର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ‘ଆୟୁଷ ଗ୍ରାମ’ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି। ଜାତୀୟ ଆୟୁଷ ମିସନ ଆନୁକୂଲ୍ୟରେ ଓ ପୂର୍ବାଞ୍ଚଳ ମଣ୍ଡଳ ଜିଲ୍ଲା ଆୟୁର୍ବେଦ ଚିକିତ୍ସାଧିକାରୀ ଭୁବନେଶ୍ୱରଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମଟି ଆରମ୍ଭ ହୋ‌ଇଛି। ଏହି କାର୍ଯ୍ୟକ୍ରମରେ ଆଗାମୀ ବର୍ଷକ ପାଇଁ ପଞ୍ଚାୟତରେ ଆୟୁଷ ସମ୍ପର୍କିତ କାର୍ଯ୍ୟକ୍ରମସବୁ ସମ୍ପାଦିତ ହେବ। ଏଥିରେ ନିଃଶୁଳ୍କ ହୋମିଓପ୍ୟାଥି ଓ ଆୟୁର୍ବେଦ ଔଷଧ ବିତରଣ, ରକ୍ତ ପରୀକ୍ଷା, ଯୋଗ ପ୍ରଶିକ୍ଷଣ, ଔଷଧୀୟ ବୃକ୍ଷ ବଣ୍ଟନ, ବୃକ୍ଷ ରୋପଣ, ଔଷଧୀୟ ଉଦ୍ୟାନ ପ୍ରତିଷ୍ଠା, ବିଦ୍ୟାଳୟରେ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ସାଧାରଣ ଔଷଧୀୟ ଗୁଳ୍ମ ଏବଂ ଘରୋଇ ଔଷଧର ବ୍ୟବହାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ମୁଖ୍ୟ ଅତିଥି ଭାବେ ଆୟୁଷର ନିର୍ଦ୍ଦେଶକ ଭୂମେଶ ଚନ୍ଦ୍ର ବେହେରା ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଜାତୀୟ ଆୟୁଷ ମିସନ୍‌ ନୋଡାଲ ଅଫିସର ଡା. ପ୍ରମୋଦ ବିହାରୀ ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଜଟଣୀ ବ୍ଲକ୍‌ ଅଧ୍ୟକ୍ଷା ଜୟନ୍ତୀ ଛୋଟରାୟ, ଛତାବର ସରପଞ୍ଚ ବିଷ୍ଣୁ ପ୍ରସାଦ ଡେଙ୍ଗ, ସମିତି ସଭ୍ୟ ବ୍ରଜବନ୍ଧୁ ପ୍ରଧାନ, ନାଏବ ସରପଞ୍ଚ ବାସପ୍ରଭା ସ୍ୱାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲା ଆୟୁର୍ବେଦ ଚିକିତ୍ସାଧିକାରୀ ଡାକ୍ତର ରେଣୁପ୍ରଭା ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ। ଜିଲ୍ଲା ହୋମିଓପ୍ୟାଥିକ ଚିକିତ୍ସାଧିକାରୀ ଡା. ଆଭାମୟୀ ନାୟକ ଧନ୍ୟବାଦ ଦେଇଥିଲେ। ବରିଷ୍ଠ ଆୟୁର୍ବେଦିକ ଚିକିତ୍ସାଧିକାରୀ ଡା. ଗୌରୀ ଶଙ୍କର ପ୍ରସାଦ ମିଶ୍ର, ସାରଦା ପ୍ରସନ୍ନ ବିଶ୍ୱାଳ, ସଞ୍ଜୟ କୁମାର ମହାପାତ୍ର, ରାଜୀବ ଲୋଚନ ସେଠୀ, ସୁଜାତା ମିଶ୍ର, ବରିଷ୍ଠ ହୋମିଓପ୍ୟାଥିକ ଚିକିତ୍ସାଧିକାରୀ ଡା. ଅରୁଣ କୁମାର ମଲ୍ଲିକ, ସତ୍ୟେନ୍ଦୁ ମଲ୍ଲିକ, କାଳିନ୍ଦୀ ଚରଣ ସେଠୀ, ଚିନ୍ମୟ ସାହୁ, ସସ୍ମିତା ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଅଭିନ୍‌ ଚନ୍ଦ୍ର ଭେଷଜ ମହାବିଦ୍ୟାଳୟର ଅଧ୍ୟାପକ ଡା. ରାଜେନ୍ଦ୍ର କୁମାର ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର