କଠୋର ହେଲା ବିଏମ୍‌ସି : ବିକ୍ଷୋଭକାରୀଙ୍କ ବିରୋଧରେ ଏତଲା

ଭୁବନେଶ୍ବର : କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ୫ଟି ରାଜ‌ନୈତିକ ଓ ସ୍ବେଚ୍ଛାସେବୀ ସଂଗଠନ ନାଁରେ ବିଏମ୍‌ସି ପକ୍ଷରୁ ବିଭିନ୍ନ ଥାନାରେ ଏତଲା ଦିଆଯାଇଛି। ଏଥିରେ ବିଜେପି, ଛାତ୍ର କଂଗ୍ରେସ, ନବନିର୍ମାଣ କୃଷକ ସଂଗଠନ, ସ୍ବେଚ୍ଛାସେବୀ ପ୍ରଦୀପ ପ୍ରଧାନ ଓ ଶ୍ରମିକ ସଂଗଠନ ନେତା ଜନର୍ଦ୍ଦାନ ପତି, ନେତା ନାରାୟଣ ରେଡ୍ଡୀ ଓ ଅନ୍ୟମାନଙ୍କ ନାଁରେ ବିଏମ୍‌ସି ପକ୍ଷରୁ ଅଭିଯୋଗ ହୋଇଛି। ଆଗାମୀ ଦିନରେ ଯେପରି କୋଭିଡ୍‌ ନିୟମର ଉଲ୍ଲଂଘନ ନ ହୁଏ, ସେଥିପାଇଁ ମଧ୍ୟ ବିଏମ୍‌ସି ପକ୍ଷରୁ ଏକ ନିର୍ଦେଶାବଳି ଜାରି କରାଯିବ। କୋଭିଡ୍‌ ଯୁଦ୍ଧ ସମୟରେ ରାଜଧାନୀବାସୀ ଏଭଳି ବିକ୍ଷୋଭରେ ସାମିଲ ନ ହେବା ଲାଗି ବିଏମ୍‌ସି ଅନୁରୋଧ କରିଛି। ତେବେ ଯେଉଁ କାରଣ ଦର୍ଶାଇ ବିଏମ୍‌ସି ପକ୍ଷରୁ ଏତଲା ଦିଆଯାଇଛି, ତାହା ଆଶ୍ଚର୍ଯ୍ୟଜନକ। ସରକାର ବିରୋଧରେ ସ୍ଲୋଗାନ୍ ଦେବାରୁ ନବନିର୍ମାଣ କୃଷକ ସଂଗଠନ ବିରୋଧରେ ଏତଲା ଦିଆଯାଇଛି।

 

ବିଏମ୍‌ସି କମିସନର ପ୍ରେମ ଚନ୍ଦ୍ର ଚୌଧରୀ ଆଜି ସାମ୍ବାଦିକ ସମ୍ମିଳନୀରେ କହିଲେ, ଗତ ମାସ ଓ ଜୁଲାଇର ଏ ପର୍ଯ୍ୟନ୍ତ ୫ଟି ସଂଗଠନ ଧାରଣା ଓ ବିକ୍ଷୋଭ ସମୟରେ କୋଭିଡ୍‌ ନିୟାମବଳିର ଉଲ୍ଲଂଘନ କରିଥିବା ନଜରକୁ ଆସିଛି। କୋଭିଡ୍‌ ନିୟମ ଅନୁଯାୟୀ, ୭ରୁ ଅଧିକ ଲୋକ ଏକାଠି ନ ହେବା ପାଇଁ କୁହାଯାଇଥିବା ବେଳେ ଏସବୁ ସଂଗଠନରେ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଥିଲେ।

ଜୁନ୍ ୧୨ତାରିଖରେ ନବନିର୍ମାଣ କୃଷକ ସଂଗଠନ ସିବିଆଇ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଥିଲେ। ସଂଗଠନର ଜାତୀୟ ସଂଯୋଜକ ଅକ୍ଷୟ କୁମାର, ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ଦୁର୍ଗା ଦାସ ଓ ମନୱର ଅଲ୍ଲୀଙ୍କ ବିରୋଧରେ ନୂଆପଲ୍ଲୀ ଥାନାରେ ଏତଲା ଦିଆଯାଇଛି। ସେମାନଙ୍କ ବିରୋଧରେ ଆଇପିସିର ୨୬୯, ୨୭୦ ଓ ୩୪ ଦଫା ଲାଗିଛି। ସେହିପରି ୨୬ ତାରିଖରେ କ୍ୟାପିଟାଲ ଥାନାରେ ଛାତ୍ର କଂଗ୍ରେସର ସଭାପତି ସ୍ମୃତିରଂଜନ ଲେଙ୍କା ଓ ଅନ୍ୟମାନଙ୍କ ବିରୋଧରେ ଏତଲା ଦିଆଯାଇଛି। ସେମାନେ କଂଗ୍ରେସ ଭବନ ସମ୍ମୁଖରେ ତୈଳ ଦରବୃଦ୍ଧି ବିରୋଧରେ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କ ବିରୋଧରେ ଆଇପିସିର ୧୪୩, ୩୪୧, ୨୯୪, ୩୫୩, ୨୬୯, ୨୭୦, ୫୦୬, ୧୪୯ ଦଫା ମାମଲା ପଞ୍ଜୀକୃତ ହୋଇଛି।

ଗତ ୨ତାରିଖରେ ବିଜେପି ପକ୍ଷରୁ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସେମାନଙ୍କ ବିରୋଧରେ ବଡ଼ଗଡ଼ ଥାନାରେ ମହାମାରୀ ଆଇନର ୧୮୯୭ ଓ ଆଇପିସିର ଧାରା ୨୬୯ ଓ ୨୭୦ରେ ମାମଲା ରୁଜୁ ହୋଇଛି। ଆଜି ସିଆଇଟିୟୁ, ଆଇଏନ୍‌ଟିୟୁସି, ଏଆଇଟିୟୁସି, ଏଆଇସିସିଟିୟୁ, ଏଆଇୟୁଟୟୁସି ବ୍ୟାନର୍‌ରେ ବିଭିନ୍ନ ଦଫା ଦାବି ନେଇ ଜନାର୍ଦ୍ଦନ ପତି ଓ ନାରାୟଣ ରେଡ୍ଡି ଓ ଅନ୍ୟମାନଙ୍କ ବିରୋଧରେ ଖାରବେଳ ଥାନାରେ ଏତଲା ଦେଇଛି ବିଏମ୍‌ସି। ସେମାନେ ମାଷ୍ଟରକ୍ୟାଣ୍ଟିନ୍ ଛକ ଉପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେହିପରି ସ୍ବେଚ୍ଛାସେବୀ ପ୍ରଦୀପ ପ୍ରଧାନ, ଶ୍ରୀକାନ୍ତ ପାତ୍ର ଓ ଅନ୍ୟମାନଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। ସେମାନେ କଂଗ୍ରେସ ଭବନ ସମ୍ମୁଖରେ ବିକ୍ଷୋଭ କରିଥିଲେ।

ସମ୍ବନ୍ଧିତ ଖବର