୫ରୁ ଖୋଲିବ ଜରୁରୀକାଳୀନ ଓଟି, କ୍ୟାପିଟାଲ ହସ୍ପିଟାଲରୁ କମିବ ରୋଗୀ ରେଫର୍‌

୧୦ରେ ପରିଦର୍ଶନରେ ଆସିବେ ଏନ୍‌କ୍ବାସ୍‌ ଟିମ୍‌

ଭୁବନେଶ୍ୱର : ସଙ୍ଗେସଙ୍ଗେ ଅସ୍ତ୍ରୋପଚାର ଆବଶ୍ୟକ କରୁଥିବା ଦୁର୍ଘଟଣାଗ୍ରସ୍ତ ସଂକଟାପନ୍ନ ବ୍ୟକ୍ତି କିମ୍ବା ହୃଦ୍‌ଘାତ ଭଳି ରୋଗୀଙ୍କୁ ଏଣିକି କ୍ୟାପିଟାଲ ହସ୍ପିଟାଲରେ ତ୍ବରିତ୍‌ ସ୍ବାସ୍ଥ୍ୟସେବା ମିଳିବ। ସେତେ ବେଶି ଆବଶ୍ୟକ ନ ପଡ଼ିଲେ, ଡାକ୍ତର ଅଭାବ କିମ୍ବା ଭିତ୍ତିଭୂମି ଅଭାବର ବାହାନା ଦେଖାଇ ସେମାନଙ୍କୁ ଆଉ କଟକ ବଡ଼ ଡାକ୍ତରଖାନା କିମ୍ବା ଏମ୍‌ସକୁ ସ୍ଥାନାନ୍ତର କରାଯିବ ନାହିଁ। ଏଥିପାଇଁ ଆସନ୍ତା ୫ ତାରିଖରେ ହସ୍ପିଟାଲ‌ରେ ଏକ ଜରୁରୀକାଳୀନ ଅପରେସନ୍‌ ଥିଏଟର୍‌ (ଓଟି) କାର୍ଯ୍ୟକ୍ଷମ ହେବ। ଏହି ଓଟି ୨୪x୭ କାର୍ଯ୍ୟ କରିବ। ତୁରନ୍ତ ଅସ୍ତ୍ରୋପଚାର ପାଇଁ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀମାନଙ୍କୁ ନେଇ ପାଳି କରି ୩ଟି ଦଳ ସବୁବେଳେ ପ୍ରସ୍ତୁତ ରହିବେ। ଏହାବ୍ୟତୀତ, ହସ୍ପିଟାଲକୁ ଦୈନିକ ବହୁ ସଂଖ୍ୟାରେ ଆହତ ଆସୁଥିବାରୁ ତ୍ବରିତ୍‌ ତଥା ଉନ୍ନତମାନର ସେବା ଯୋଗାଇଦେବା ପାଇଁ ହସ୍ପିଟାଲରେ ଆଉ ଗୋଟିଏ ଡ୍ରେସିଂ ରୁମ୍‌ କାର୍ଯ୍ୟକ୍ଷମ ହୋଇଛି ବୋଲି ହସ୍ପିଟାଲର ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ହସ୍ପିଟାଲ‌ରେ ରୋଗୀ ଚିକିତ୍ସାର ମାନ ନିର୍ଦ୍ଧାରଣ ପାଇଁ ନ୍ୟାସନାଲ୍‌ କ୍ବାଲିଟି ଆସ୍ୟୁରାନ୍ସ ଷ୍ଟାଣ୍ଡାର୍ଡସ୍‌ (ଏନ୍‌କ୍ବାସ୍‌)ର ଏକ ପ୍ରତିନିଧିଦଳ ଦୁଇ ଦିନିଆ ଗସ୍ତରେ ଆସନ୍ତା ୧୦ ତାରିଖରୁ କ୍ୟାପିଟାଲ ହସ୍ପିଟାଲକୁ ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି କ୍ୟାପିଟାଲ ହସ୍ପିଟାଲରେ ଦୀର୍ଘ ଦିନ ଧରି ବାକିଥିବା କାମଗୁଡ଼ିକ ସାରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ହସ୍ପିଟାଲ ପକ୍ଷରୁ ଏକ ଟିମ୍ ଗଠନ କରାଯାଇଛି। ଆଜି ଉକ୍ତ ଟିମ୍‌ ହସ୍ପିଟାଲ ବୁଲି ତଦାରଖ କରିଛନ୍ତି। ବିଶେଷକରି ସ୍ବଚ୍ଛତା ଓ ରୋଗୀ ଚିକିତ୍ସାରେ ଅବହେଳା କରାନଯିବାକୁ ଦୃଷ୍ଟି ଦିଆ ଯାଉଥିବା ଟିମ ସଦସ୍ୟ କହିଛନ୍ତି।

ଏହାସହ ହସ୍ପିଟାଲର ଆଉ ଏକ ସ୍ବତନ୍ତ୍ର ଗୃହରେ ନୂଆ ଅଲଟ୍ରାସାଉଣ୍ଡ ମେସିନ୍‌ ସ୍ଥାପନ କରାଯାଇଛି। ଏହି ମେସିନ୍‌ ଦ୍ବାରା ଦୈନିକ ହାରାହାରି ୭୦ଜଣଙ୍କ ଅଲଟ୍ରାସାଉଣ୍ଡ କରାଯାଉଛି। ଅଲଟ୍ରାସାଉଣ୍ଡ ପାଇଁ ପୂର୍ବରୁ ରୋଗୀମାନେ ମାସ ମାସ ଧରି ଅପେକ୍ଷା କରୁଥିଲେ। କିନ୍ତୁ ଏହି ନୂଆ ମେସିନ୍‌ ସ୍ଥାପନ ହେବା ପରେ ସେମାନଙ୍କ ଅପେକ୍ଷାର ସମୟସୀମା ବହୁମାତ୍ରାରେ ହ୍ରାସ ପାଇଛି। ସେହିପରି ହସ୍ପିଟାଲରେ ଚାଲିଥିବା ମଡ୍ୟୁଲାର ଓଟି କାମ ପ୍ରାୟ ସରିଆସିଲାଣି। ଆସନ୍ତାକାଲି ଏଥିପାଇଁ ଏକ ବୈଠକ କରାଯିବ। ବୈଠକରେ ମଡ୍ୟୁଲାର୍‌ ଓଟି ପାଇଁ ଆବଶ୍ୟକ ସରଞ୍ଜାମ ଯୋଗାଇ ଦିଆଯିବା ସହ ଖୁବ୍‌ଶୀଘ୍ର ତାହାକୁ କାର୍ଯ୍ୟକ୍ଷମ କରିବାକୁ ଉକ୍ତ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ଡା. ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର