ରିମାଣ୍ଡରେ ୨ବନ୍ଧୁକ ମାଫିଆଙ୍କୁ ମାରାଥନ୍‌ ଜେରା: ସୁପାରି କିଲରଙ୍କ ସହ ଡିଲ୍‌ ଘଟଣା

ଏବେ ବି ଅପହଞ୍ଚ ବବୁଲ୍‌

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ରାଜଧାନୀରେ ବନ୍ଧୁକ ମାଫିଆ ସକ୍ରିୟ ହୋଇ ଉଠିଛନ୍ତି। ଏହାକୁ କମିସନରେଟ୍‌ ପୁଲିସ ଗୁରୁତର ସହ ନେଇଛି। ସୁପାରି କିଲରଙ୍କ ସହ ବନ୍ଧୁକ କାରବାର ପାଇଁ ଡିଲ୍‌ରେ ଗିରଫ ହୋଇଥିବା ଖଣ୍ଡଗିରି ଥାନା ସରକନ୍ତରା ଅଞ୍ଚଳର ସୂରଜ ପରିଡ଼ା ଓ ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳର ତପୁଧର ନାୟକକୁ ୩ ଦିନିଆ ରିମାଣ୍ଡରେ ଆଣିବାକୁ କମିସନରେଟ୍‌ ପୁଲିସ ଆବେଦନ କରିଥିବା ବେଳେ ଦିନିକିଆ ରିମାଣ୍ଡ ପାଇଁ ଅନୁମତି ମିଳିଥିଲା। ଫଳରେ ଆଜି ଉଭୟଙ୍କୁ ରିମାଣ୍ଡରେ ଆଣିବା ପରେ ସ୍ପେସାଲ କ୍ରାଇମ୍‌ ୟୁନିଟ୍‌(ଏସ୍‌ସିୟୁ) ଉଭୟଙ୍କୁ ବନ୍ଧୁକ କିଣା ବିକା ଠାରୁ ଆରମ୍ଭ କରି ମୁଙ୍ଗେର ଲିଙ୍କ୍‌ ନେଇ ମାରାଥନ୍‌ ଜେରା କରିଛି। ଜଣେ ଏଡିସିପି ରୢାଙ୍କର ଅଧିକାରୀଙ୍କ ନେତୃତ୍ବରେ ଗଠିତ ଟିମ୍‌ ଜେରା କରିଥିବା ଜଣାପଡ଼ିଛି। ଜେରା ସମୟରେ ଉଭୟଙ୍କ ଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା ମିଳିଛି। ଆସନ୍ତାକାଲି (ବୁଧବାର) ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ। ଅନ୍ୟପଟେ ଗ୍ୟାଙ୍ଗର ମୁଖ୍ୟ କୁହାଯାଉଥିବା କୁଖ୍ୟାତ ସଞ୍ଜୟ ଖୁଣ୍ଟିଆର ଭାଇ ବବୁଲ୍‌ ଖୁଣ୍ଟିଆ ଏବେ ବି ଫେରାର୍‌ ଅଛି। ନିର୍ବାଚନ ସମୟରେ ସେ ଫେରାର ରହିବା ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ତାକୁ ଗିରଫ ପାଇଁ ଏସ୍‌ସିୟୁ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ପ୍ରକାଶ ଥାଉ କି, ଗତ ୨୭ ତାରିଖ ଦିନ ସ୍ପେସାଲ କ୍ରାଇମ୍‌ ୟୁନିଟ୍‌ କଳିଙ୍ଗବିହାର ସ୍ଥିତ ବବୁଲ୍‌ ଘରୁ ୩ଟି ଓ ଦୁଇ ସହଯୋଗୀଙ୍କ ଠାରୁ ଦୁଇଟି ବନ୍ଧୁକ ଓ ୨୪ ରାଉଣ୍ଡ ଗୁଳି ଜବତ କରିଥିଲା। ସହଯୋଗୀ ଧରାପଡ଼ିବା ଓ ତା’ ଘରୁ ବନ୍ଧୁକ ଜବତ ପରେ ସେ ଅନ୍ୟ କୌଣସି ଯୋଜନା କରୁଥାଇ ପାରେ। ତେଣୁ ତା’ ସମ୍ପର୍କରେ ଅଧିକ ତଥ୍ୟ ପାଇଁ ଗିରଫ ହୋଇଥିବା ମୁଙ୍ଗେରର ବନ୍ଧୁକ ମାଫିଆ ଗୋଲ୍ଡେନ୍‌ ସିଂକୁ ଜଗତପୁର ଥାନା ପୁଲିସ ଦୁଇ ଦିନିଆ ରିମାଣ୍ଡରେ ଆଣିଥିବା ବେଳେ ୨୯ ତାରିଖ ଦିନ ‌ସ୍ପେସାଲ କ୍ରାଇମ୍‌ ୟୁନିଟ୍‌ର ଏକ ୬ଜଣିଆ‌ ଟିମ୍‌ ଜେରା କରିଥିଲା।

ସମ୍ବନ୍ଧିତ ଖବର