ଭୁବନେଶ୍ବର : ବଡ଼ଗଡ଼ ଥାନା ମେଡିକାଲ୍ ବସ୍ତିରୁ ମୋବାଇଲ ଫୋନ୍‌ ଲୁଟି ଚମ୍ପଟ ମାରିବା ବେଳେ ସ୍ଥାନୀୟ ଲୋକେ ଜଣେ ଲୁଟେରାକୁ ଧରି ନିସ୍ତୁକ ମାଡ଼ ମାରିଛନ୍ତି। ପରେ ତାକୁ ପୁଲିସ ଜିମା ଦିଆଯାଇଛି। ଅଭିଯୁକ୍ତ ହେଲା ଅମିତ କୁମାର ଗୌଡ଼। ତେବେ ଲୋକେ କାବୁ କଲାବେଳେ ଘଟଣାସ୍ଥଳରୁ ଅମିତ୍‌ର ସହଯୋଗୀ ଫେରାର୍ ହୋଇଯାଇଛି।

Advertisment

ସୂଚନାନୁସାରେ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ବିଜୟ କୁମାର ଗାଆଣ ଫୋନ୍‌ରେ ଗପିଗପି ରାସ୍ତାରେ ଯାଉଥିବା ବେଳେ ଅମିତ ଓ ତା’ ସହଯୋଗୀ ତାଙ୍କ ମୋବାଇଲ ଫୋନ୍ ଝାମ୍ପି ନେଇ ଫେରାର୍ ହୋଇଯାଇଥିଲେ। ଏତିକିବେଳେ ବିଜୟ ପାଟି କରିବାରୁ ଆଗରେ ଥିବା କିଛି ସ୍ଥାନୀୟ ଲୋକେ ଲୁଟେରାଙ୍କ ବାଇକ୍‌କୁ ଜଗି ଦେଇଥିଲେ। ବାଇକ୍‌ ଛାଡ଼ି ସେମାନେ ଦୌଡ଼ି ପଳାଉଥିବାବେଳେ ଲୋକେ ଅମିତ୍‌କୁ ମାଡ଼ି ବସିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଲୋକେ ଅମିତକୁ ପୁଲିସ ଜିମା ଦେଇଥିଲେ ଓ ପୁଲିସ ଗ୍ଲାମର ବାଇକ୍(ଓଡି୦୨-ଡବ୍ଲୁ-୬୯୨୧) ଓ ଲୁଟ୍ ହୋଇଥିବା ମୋବାଇଲ ଫୋନ୍ ଜବତ କରିଥିଲା।