ବରଜରେ ଶଢ଼ୁଛି ପାନ, ଭଙ୍ଗା ଗୋଟାକୁ ପାଞ୍ଚ

ଖଣ୍ଡଗିରି: ତାଲା ବନ୍ଦ ଯୋଗୁଁ ପାନ ଚାଷ ଓ ଚାଷୀ ବିପୁଳ କ୍ଷତି ସହୁଛନ୍ତି। ତୋଳିବା ଓ ବଜାରକୁ ନେବା ସମସ୍ୟା ପାଇଁ ବରଜରେ ପାନ ସଢ଼ୁଛି। ବଜାରକୁ ଯାଇ ପାରୁନଥିବାରୁ ଭଙ୍ଗା ପାନ ଦର ଆକାଶଛୁଆଁ ହୋଇଛି। ଗତ ଦୁଇ ଦିନ ହେଲା ଭଙ୍ଗା ପାନ ଖଣ୍ଡକୁ ପାଞ୍ଚ ଟଙ୍କା ହୋଇଛି। ପାନ ଅଭାବରୁ ଲୋକେ ଗୁଟ୍‌ଖା ଓ ଖଇନି ଉପରେ ନିର୍ଭର କରୁଛନ୍ତି। ତେଣୁ ସ୍ବତଃ ଗୁଟ୍‌ଖା ଦର ୫ ଟଙ୍କାରୁ ବଢ଼ି ୭ ଟଙ୍କାରେ ପହଞ୍ଚି ଯାଇଛି। ତାଲା ବନ୍ଦ କାରଣରୁ ବଜାରରେ କେବଳ ପରିବା, ତେଜରାତି, ଦୁଗ୍‌ଧ, ଅଣ୍ଡା, ମାଛ ଓ ମାଂସ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହୁଛି। ଓଡ଼ିଶାର ଉପକୂଳ ଅଞ୍ଚଳର ଲୋକେ ପ୍ରଚୁର ପାନ ଖାଉଥିଲେ ହେଁ ତାହା ସେହି ବର୍ଗର ସାମଗ୍ରୀରେ ଗଣା ହେଉନାହିଁ। ତେଣୁ ପିପିଲି ଭଳି ବହୁ ପାନ ହାଟ ବନ୍ଦ ରହିଛି। ବଜାରରେ ମଧ୍ୟ ପାନ ଦୋକାନ ସବୁକୁ ବନ୍ଦ କରାଯାଇଛି। ତେଣୁ ବରଜରୁ ପାନ ତୋଳିବା ଆପେ ଆପେ ବନ୍ଦ ହୋଇ ଯାଇଛି। ଏହାଦ୍ବାରା ପାନ ବରଜରେ ନିର୍ଭର କରୁଥିବା ଉଭୟ ଚାଷୀ ଓ ଶ୍ରମିକ ଏବେ ବେରୋଜଗାର ହୋଇପଡ଼ିଛନ୍ତି। ନିୟମିତ ବ୍ୟବଧାନରେ ପାନ ତୋଳା ହେଉନଥିବାରୁ ବରଜରେ ଲକ୍ଷ ଲକ୍ଷ ଟଙ୍କାର ପାନ ସଢ଼ୁଛି। ଅପରପକ୍ଷେ ପାନ ଦୋକାନ ବନ୍ଦ ହୋଇଥିଲେ ହେଁ ପାନ ଅଭ୍ୟସ୍ତ ଲୋକେ ଗଳାବାଟରେ ପାନ କିଣୁଛନ୍ତି ଓ ପାନ ଦୋକାନୀମାନେ ସେମାନଙ୍କ ଗରାଖଙ୍କୁ ନିରାଶ କରୁନଥିବା ଦେଖିବାକୁ ମିଳୁଛି। କିନ୍ତୁ ପାନ ଖଣ୍ଡ ପାଞ୍ଚ ଟଙ୍କା ହୋଇଛି। ସବୁଦିନିଆ ମୁହଁଚାହାଁ ଗରାଖ ହୋଇଥିଲେ, ୧୦ଟଙ୍କାରେ ୩ ଖଣ୍ଡ ପୁଣି ଛୋଟ ସାଇଜ୍‌ର ଦିଆଯାଉଛି। ପାନବଜାରରେ ଏଭଳି ଅଭାବ ସୃଷ୍ଟି ହୋଇଥିବାରୁ ଗୁଟ୍‌ଖା ଆଡ଼କୁ ଲୋକେ ଢ଼ଳିଛନ୍ତି। ତେଣୁ ପ୍ୟାକେଟ୍‌କୁ ୫ଟଙ୍କା ପଡ଼ୁଥିବା ଗୁଟ୍‌ଖା ଏବେ ୭ଟଙ୍କା ହୋଇଯାଇଛି।

ସମ୍ବନ୍ଧିତ ଖବର