୨୧ ଦିନ ପାଇଁ ଭାରତ ବନ୍ଦ, ସାରା ଦେଶରେ ଲକ୍ ଡାଉନ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଆଉ ଘରୁ ବାହାରନ୍ତୁ ନାହିଁ
ଯିଏ ଯେଉଁଠି ଅଛ ସେଇଠି ରୁହ
ଜନତା କର୍ଫ୍ୟୁଠୁ ବି ଅଧିକ କଠୋର
ସତର୍କ ନ ରହିଲେ ଭାରତବର୍ଷ ୨୧ ବର୍ଷ ପଛକୁ ଚାଲିଯିବ

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ୍‌ ସଂକ୍ରମଣ ମାମଲା‌ ଦ୍ରୁତ ଗତିରେ ବଢ଼ୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ଆଗାମୀ ୨୧ ଦିନ ପାଇଁ ପୂରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ୨୧ ଦିନ ଜନସାଧାରଣ ଘରୁ ନ ବାହାରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଆଜି ରାତି ୮ଟାରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ଏହି ଲକ୍‌ଡାଉନ୍‌ ଜନତା କର୍ଫ୍ୟୁଠାରୁ ଅଧିକ କଡ଼ାକଡ଼ି ଏବଂ କଠୋର ହେବ ବୋଲି ସ୍ପଷ୍ଟ କରିଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି- ଏହି ସଙ୍କଟ ସମୟରେ ପ୍ରତ୍ୟେକ ଭାରତୀୟ ସରକାର ଏବଂ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବେ। ୨୧ ଦିନର ଲକ୍‌ ଡାଉନ୍‌ ଲମ୍ବା ସମୟ ଅଟେ, କିନ୍ତୁ ଆପଣଙ୍କ ଜୀବନ ରକ୍ଷା ପାଇଁ ଏବଂ ଆପଣଙ୍କ ପରିବାରର ଜୀବନ ରକ୍ଷା ପାଇଁ ଏହା ଅତି ଗୁରୁତ୍ବପୂର୍ଣ୍ଣ। ଏହି ସମୟରେ ସତର୍କ ନରହିଲେ ଆପଣମାନଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିବ। ଆପଣ କ୍ଷତିଗ୍ରସ୍ତ ହେବେ, ଆପଣଙ୍କ ପରିବ‌ାର କ୍ଷତିଗ୍ରସ୍ତ ହେବ ଏବଂ ଦେଶ ୨୧ ବର୍ଷ ପଛୁଆ ହୋଇଯିବ।

ପ୍ରଧାନମନ୍ତ୍ରୀ କହିଲେ, ୨୧ ଦିନ ବାହାରକୁ ଯିବା ଭୁଲି ଯାଆନ୍ତୁ। ଯେଉଁଠି ଅଛନ୍ତି ସେହିଠି ରୁହନ୍ତୁ। ଆପଣମାନେ ଲକ୍ଷ୍ମଣ ରେଖା ଅତିକ୍ରମ କରି ଭାଇରସକୁ ଘରକୁ ଆଣନ୍ତୁ ନାହିଁ। ଜଣେ ଆକ୍ରାନ୍ତ ଲୋକ ସପ୍ତାହ ଭିତରେ ଶହ ଶହ ଲୋକଙ୍କୁ ସଂକ୍ରମିତ କରିଦେବ। ଆରମ୍ଭରେ ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ଥାଏ ଏବଂ ତା ପାଖରେ ଭାଇରସର କୌଣସି ଲକ୍ଷଣ ଦେଖାଯାଏ ନାହିଁ। କିଛି ଦିନ ପରେ ଏହା ଜଣାପଡ଼େ। ଥରେ ଏହା ବ୍ୟାପିଲା ମାତ୍ରେ ଜଙ୍ଗଲ ନିଆଁ ଭଳି ଦ୍ରୁତ ଗତିରେ ବ୍ୟାପିଯାଏ। ପ୍ରଧାନମନ୍ତ୍ରୀ କହିଲେ, ମୁଁ ଆପଣଙ୍କୁ ପ୍ରାର୍ଥନା କରୁଛି ଏହି ରୋଗର ଲକ୍ଷଣ ସମୟରେ ଡାକ୍ତରଙ୍କ ପରାମର୍ଶ ବିନା କୌଣସି ଔଷଧ ଗ୍ରହଣ କରନ୍ତୁ ନାହିଁ। ଏ କ୍ଷେତ୍ରରେ କୌଣସି ପ୍ରକାର ବେପରୁଆ କାର୍ଯ୍ୟ ଆପଣଙ୍କ ଜୀବନକୁ ବିପଦଗ୍ରସ୍ତ କରିଦେବ।ଏଭଳି ସଙ୍କଟ ସମୟରେ ମଧ୍ୟ ଅନେକ ବିଭ୍ରାନ୍ତି ଏବଂ ଗୁଜବ ବ୍ୟାପିଥାଏ। ତେଣୁ ଏଭଳି ଗୁଜବ ଏବଂ ଅନ୍ଧବିଶ୍ବାସରୁ ଆପଣଙ୍କୁ ଦୂରେଇ ରହିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାରମାନଙ୍କୁ ଏବେ କେବଳ ସ୍ବାସ୍ଥ୍ୟ ଉପରେ ହିଁ ସର୍ବାଧିକ ପ୍ରାଥମିକ ଦେବାକୁ କୁହାଯାଇଛି ଏବଂ ଲୋକଙ୍କ ସ୍ବାସ୍ଥ୍ୟ ରକ୍ଷା ହିଁ ସରକାରଙ୍କର ସବୁଠାରୁ ବଡ଼ ଦାୟିତ୍ବ । କରୋନା ଭାଇରସ୍‌ ମହାମାରୀ ଯୋଗୁଁ ଉପୁଜିଥିବା ବିପଦର ପ୍ରଭାବକୁ ଆମେ କେତେ କମ୍‌ କରିପାରିବା ସେଥିପାଇଁ ଆମକୁ ସଂକଳ୍ପ ନେଇ କାର୍ଯ୍ୟ କରିବାକୁ ହେବ ଏବଂ ଆମ ସଂକଳ୍ପକୁ ବାରମ୍ବାର ମଜବୁତ କରିବାକୁ ହେବ। ଲକ୍‌ଡାଉନ୍‌ ଯୋଗୁଁ ଦେଶର ଅର୍ଥନୀତି ମଧ୍ୟ ପ୍ରଭାବିତ ହେବ ଏବଂ ଦେଶ ଏହି ଭାରକୁ ଉଠାଇବ। ତେବେ ପ୍ରତ୍ୟେକ ଭାରତୀୟଙ୍କ ଜୀବନକୁ ବଞ୍ଚାଇବା ଏହି ସମୟରେ ମୋର, ଭାରତ ସରକାରଙ୍କର, ଦେଶର ପ୍ରତ୍ୟେକ ରାଜ୍ୟ ସରକାରଙ୍କର ଏବଂ ସ୍ଥାନୀୟ ପ୍ରଶାସନର ସବୁଠାରୁ ବଡ଼ ପ୍ରାଥମିକତା। ଲକ୍‌ଡାଉନ୍‌କୁ ସଫଳ କରିବା ପାଇଁ ପ୍ରତ୍ୟେକ ଭାରତୀୟ ଏହି ସମୟରେ ଯେଉଁଠି ଅଛନ୍ତି ସେଠାରେ ହିଁ ରହିବା ଆବଶ୍ୟକ।

ଅନେକ ସମୟରେ ସଂକ୍ରମିତ ବ୍ୟକ୍ତି ପ୍ରଥମେ ସୁସ୍ଥ ଲାଗୁଥାନ୍ତି ଏବଂ ତାଙ୍କ ସଂକ୍ରମଣ ନେଇ ଜଣାପଡ଼ିନଥାଏ। ତେଣୁ ସତର୍କତା ଅବଲମ୍ବନ କରି ଘରେ ରହିବା ନିତାନ୍ତ ଜରୁରୀ। ପ୍ରଥମେ ୧ ଲକ୍ଷ ଲୋକ ସଂକ୍ରମିତ ହେବାକୁ ୬୭ ଦିନ ଲାଗିଲା ଏବଂ ପରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨ ଲକ୍ଷରେ ପହଞ୍ଚିବାକୁ ମାତ୍ର ୧୧ ଦିନ ଲାଗିଛି। ଏହା ୩ ଲକ୍ଷରେ ପହଞ୍ଚିବାକୁ ମାତ୍ର ୪ ଦିନ ଲାଗିଲା। ତେଣୁ ଭାରତ ଏବେ ଯେଉଁ ସ୍ଥିତିରେ ରହିଛି, ସେଠାରେ ସଂକ୍ରମଣକୁ ରୋକିବା ପାଇଁ ଏଭଳି କଠୋର ପଦକ୍ଷେପ ଅତି ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର