ଭାରତରେ କରୋନା ପ୍ରକୋପ : ୫୪୮ ଜିଲ୍ଲା ତାଲା ବନ୍ଦ

୫୧୯ ଆକ୍ରାନ୍ତ, ୧୦ ମୃତ, ମହାରାଷ୍ଟ୍ରରେ ୧୦୭

ନୂଆଦିଲ୍ଲୀ : ଭାରତ ସମେତ ପୂରା ବିଶ୍ବରେ କରୋନା ଭାଇରସ୍‌ ଯୋଗୁଁ ଭୟାନକ ସ୍ଥିତି ଉପୁଜିଛି। ଭାରତରେ ଏ ପର୍ଯ୍ୟନ୍ତ ୫୧୯ଟି ମାମଲା ସାମ୍ନାକୁ ଆସିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି। କରୋନା ବିପତ୍ତିର ମୁକାବିଲା କରିବା ପାଇଁ ୩୦ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳରେ ଲକ୍‌ଡାଉନ୍‌ କାର୍ଯ୍ୟକାରୀ ହୋଇଛି। ଦେଶର ମୋଟ ୫୪୮ଟି ଜିଲ୍ଲାରେ କଠୋର କଟକଣା ଲାଗୁ ହୋଇଛି ଏବଂ ଏହି ପ୍ରକ୍ରିୟାରେ ୯୦ ପ୍ରତିଶତ ଭାରତୀୟ ଲକ୍‌ଡାଉନ୍‌ରେ ଅଛନ୍ତି। ଆନ୍ତରାଜ୍ୟ ବସ୍‌ ସେବା, ପାସେଂଜର ଟ୍ରେନ୍‌ ସେବା, ମେଟ୍ରୋ ସେବା, ଘରୋଇ ବିମାନ ସେବା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଛି। ଜନସାଧାରଣଙ୍କ ଯାତାୟତରେ ମଧ୍ୟ କଟକଣା ଲାଗଯାଇଛି ଏବଂ ଯେଉଁଠି ଲୋକେ କଟକଣା ମାନୁନାହାନ୍ତି ସେଠାରେ କାର୍ଯ୍ୟାନୁଷ୍ଠାନ ହେଉଛି। କଟକଣାରୁ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଲୋକଙ୍କୁ ବାଦ୍‌ ଦିଆଯାଇଛି। କରୋନା ଆକ୍ରାନ୍ତମାନଙ୍କୁ ଯେଉଁ ହସ୍ପିଟାଲରେ ଚିକିତ୍ସା କରାଯିବ ସେଗୁଡ଼ିକୁ ଚିହ୍ନଟ କରି ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଆଜି କେନ୍ଦ୍ର ସରକାର ରାଜ୍ୟମାନଙ୍କୁ କହିଛନ୍ତି।

ମହାରାଷ୍ଟ୍ରରେ ଆଜି ୬ଟି ନୂଆ କରୋନା ଆକ୍ରାନ୍ତ ମାମଲା ସାମ୍ନାକୁ ଆସିବା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୭ରେ ପହଞ୍ଚିଛି। ଆଜି ନଏଡ଼ାରେ ଆଉ ଏକ ମାମଲା ଜଣାପଡ଼ିବା ପରେ ଉତ୍ତର ପ୍ରଦେଶରେ ଏହି ସଂଖ୍ୟା ୩୫ରେ ପହଞ୍ଚିଛି। ୨୭ ମାର୍ଚ୍ଚ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶ ସଂପୂର୍ଣ୍ଣ ଲକ୍‌ଡାଉନ୍‌ରେ ରହିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି। ଉତ୍ତର ପ୍ରଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୩୫ରେ ପହଞ୍ଚିଛି। ରାଜସ୍ଥାନ, ହିମାଚଳ ପ୍ରଦେଶ, ପଂଜାବ ଏବଂ ମହାରାଷ୍ଟ୍ରରେ କର୍ଫ୍ୟୁ ଜାରି ହୋଇଥିବା ବେଳେ ମଧ୍ୟପ୍ରଦେଶରେ ମଧ୍ୟ କଟକଣା ବଢ଼ାଇ ଦିଆଯାଇଛି ଏବଂ ଭୋପାଳରେ ଆଜି ସକାଳୁ କର୍ଫ୍ୟୁ ଲାଗୁ ହୋଇଛି। ପଶ୍ଚିମବଂଗରେ ଆଜି ସନ୍ଧ୍ୟାରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଲାଗୁ ହେବ ଏବଂ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଛି।

କର୍ଣ୍ଣାଟକ ସରକାର ଧାରା ୧୪୪ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରାଜ୍ୟର ସମସ୍ତ ପ୍ରମୁଖ ସହରରେ କର୍ଫ୍ୟୁ କଡ଼ାକଡ଼ି ପାଳନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜି ଶ୍ରୀନଗରରେ ୨ଟି ନୂଆ କରୋନା ଆକ୍ରାନ୍ତ ମାମଲା ସାମ୍ନାକୁ ଆସିଛି। ତାମିଲନାଡ଼ୁରେ ଆଜି ସନ୍ଧ୍ୟା ୬ଟାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଧାରା ୧୪୪ ଜାରି ହେବାକୁ ଥିବାରୁ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ ପାଇଁ ବଜାରରେ ଭିଡ଼ ଲଗାଇଥିବା ଦେଖିବାକୁ ମିଳିଛି। ତେଲେଙ୍ଗାନାରେ ୩ଟି ନୂଆ କରୋନା ମାମଲା ସହିତ ଆକ୍ରାନ୍ତଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି।

ଗୁଜରାଟରେ ୧୧,୧୦୮ ଲୋକଙ୍କୁ ୧୪ ଦିନ ପାଇଁ କ୍ବାରାଣ୍ଟିନ୍‌ରେ ରଖାଯାଇଛି । କ୍ବାରାଣ୍ଟିନ୍‌ରେ ଅବହେଳା କରିଥିବା ୨୧ ଜଣଙ୍କ ବିରୋଧରେ ସରକାର ଏଫ୍‌ଆଇଆର୍‌ ରୁଜୁ କରିଛନ୍ତି। ଲଦାଖ୍‌ରେ ଏ ପର୍ଯ୍ୟନ୍ତ ୧୧ଟି ମାମଲା ସ୍ପଷ୍ଟ ହୋଇଥିବା ବେଳେ ସମଗ୍ର ଅଂଚଳ ଲକ୍‌ଡାଉନ୍‌ରେ ରହିଛି। ଦିଲ୍ଲୀରେ ୨୪ ଘଣ୍ଟା ମଧ୍ୟରେ କୌଣସି ନୂଆ ମାମଲା ସାମ୍ନାକୁ ଆସିନାହିଁ। ଦିଲ୍ଲୀ, ପଂଜାବ ଏବଂ ହରିୟାଣାରେ ଲକ୍‌ଡାଉନ୍‌ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି ଏବଂ କଟକଣା ମାନୁନଥିବା ଲୋକଙ୍କ ବିରୋଧରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ହେଉଛି। ନିର୍ମାଣ ଶ୍ରମିକଙ୍କ ପାଇଁ ଦିଲ୍ଲୀ ସରକାର ୫ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି।

ଆଜି ବିଦେଶ ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି ଯେ କରୋନା ଭାଇରସ୍‌ର ମିଳିତ ମୁକାବିଲା ପାଇଁ ଚୀନ୍‌ ବିଦେଶ ମନ୍ତ୍ରୀ ୱାଙ୍ଗ୍‌ ୱିଙ୍କ ସହିତ ସେ ଆଲୋଚନା ଆରମ୍ଭ କରିଛନ୍ତି। ଦୁଇ ଦେଶ ଏହି ସଙ୍କଟର ମିଳିତ ମୁକାବିଲା କରିବା ପାଇଁ ସହମତି ପ୍ରକାଶ କରିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର