ଆକର୍ଷଣ ହରାଉଛି ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର: ପୁରୁଣା ସୋ’କୁ ମୁହଁ ମୋଡ଼ୁଛନ୍ତି ଦର୍ଶକ

ଆରମ୍ଭ ହେବ କଳିଙ୍ଗ ଯୁଦ୍ଧକୁ ନେଇ ପାନୋରମା ବିଲ୍ଡିଂ

ଭୁବନେଶ୍ୱର: ଦିନକୁ ଦିନ ଆକର୍ଷଣ ହରାଇବାକୁ ଲାଗିଛି ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର। ବିଜ୍ଞାନ ପ୍ରତି ପିଲାମାନଙ୍କୁ ଆକୃଷ୍ଟ କରିବା ପାଇଁ କେନ୍ଦ୍ରରେ ଯେଉଁ ସୋ’ ପ୍ରଦର୍ଶିତ ହେଉଛି ତାହା ପୁରୁଣା ହୋଇଗଲାଣି। ଅନେକ ପ୍ରକଳ୍ପ ବନ୍ଦ ହୋଇଯାଇଥିଲେ ହେଁ ଏହାର ମରାମତି ଉପରେ ଗୁରୁତ୍ୱ ଦିଆଯାଉନାହିଁ। କେନ୍ଦ୍ରରେ ଥିବା ପାର୍କ ମଧ୍ୟ ଦିନକୁ ଦିନ ତାର ସୌନ୍ଦର୍ଯ୍ୟ ହରାଇବାରେ ଲାଗିଛି। ନୂଆ ପ୍ରକଳ୍ପ ନିର୍ମାଣ କରାଯାଉଛି ହେଲେ ପୁରୁଣାକୁ ଗୁରୁତ୍ୱ ଦିଆଯାଉ ନ ଥିବାରୁ ତାହା ଧୀରେ ଧୀରେ ଆକର୍ଷଣ ହରାଉଛି। କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ‘ନ୍ୟାସନାଲ କାଉନସିଲ୍‌ ଅଫ ସାଇନ୍ସ ମ୍ୟୁଜିୟମ୍‌’ ପକ୍ଷରୁ ୮ ଏକର ଜାଗା ଉପରେ ନିର୍ମିତ ହୋଇଛି ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର। ଏଥିରେ ଥ୍ରିଡି ସୋ’ ସହିତ ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ’ର ବ୍ୟବସ୍ଥା କରାଯାଇଛି। ମୁଖ୍ୟ ଉଦ୍ଦେଶ୍ୟ ହେଲା ଏପରି କାର୍ଯ୍ୟକ୍ରମ କରି ମନୋରଞ୍ଜନ ଛଳରେ ବିଜ୍ଞାନକୁ ଲୋକପ୍ରିୟ କରାଇବା। ବର୍ଷ ବର୍ଷ ଧରି ସମାନ ସୋ’ ଚାଲି ଆସୁଛି। ଯାହାକି ଛାତ୍ରଛାତ୍ରୀଙ୍କୁ ଅକୃଷ୍ଟ କରିପାରୁନି। ଦିନକୁ ଦିନ ଆକର୍ଷଣ ହରାଉଥିବା ସାଇନ୍ସ ପାର୍କ କିନ୍ତୁ ପ୍ରେମୀଯୁଗଳଙ୍କ ପାଇଁ ମନପସନ୍ଦ ଜାଗା ପାଲଟିଛି। ପୂର୍ବାହ୍ଣ ୧୦ଟା ବାଜିଲେ ପ୍ରେମୀ ଯୁଗଳଙ୍କ ଭିଡ଼ ଦେଖିବାକୁୁ ମିଳୁଛି। ସାଇନ୍ସ ପାର୍କର ପଛ ପଟେ ଅଳିଆ ଆବର୍ଜନା ଗଦା ହେଉଥିବାରୁ କେନ୍ଦ୍ରର ସୌନ୍ଦର୍ଯ୍ୟ ହ୍ରାସ ପାଉଛି।

କେନ୍ଦ୍ରରେ ଯେଉଁ ସୋ’କୁ ମୁଖ୍ୟ ଆକର୍ଷଣ କହି ପ୍ରଚାର କରାଯାଉଛି ସେଥିରେ ନୂତନତ୍ୱ ଦେଖିବାକୁ ମିଳୁନି ବୋଲି କିଛି ଦର୍ଶକ ମତ ଦେଇଛନ୍ତି। ପ୍ରି ହିଷ୍ଟୋରି ଲାଇଫ୍‌ ପାର୍କ ଓ ତାରାମଣ୍ଡଳ ସୋ’ ଲୋକଙ୍କ ପ୍ରଶଂସା ସାଉଁଟିବାରେ ବିଫଳ ହେଉଛି। ଫଳରେ ଛାତ୍ରଛାତ୍ରୀମାନେ ଏଠାକୁ ଯିବାକୁ ପସନ୍ଦ କରୁ ନାହାନ୍ତି। ‘ମର୍ମର ଶ୍ରାବ୍ୟ ବଗିଚା’ ସହିତ ‘ଶ୍ରବଣ ମୂର୍ତି’, ଯାହାର ବିଶେଷତ୍ୱ ଥିଲା ଦୁଇ ମୂର୍ତି ସମ୍ମୁଖରେ ଦୁଇ ଜଣ ଠିଆ ହୋଇ କଥାବାର୍ତା କରିବେ। ଜଣେ ଯାହା କହିବ ଆଉ ଶୁଣି ଶୁଣିପାରିବ। ତାହା କିଛି ବର୍ଷ ହେବ ଖରାପ ହୋଇପଡ଼ିଛି। ସେହିପରି ଅନ୍ୟ ଏକ ଆକର୍ଷଣ ଥିଲା ‘ନନ୍‌ ଫଲ୍‌ ବାଇସକେଲ୍‌’। ଯେଉଁଥିରେ ରଶି ଉପରେ ବସି ଜଣେ ଶୂନ୍ୟରେ ସାଇକଲ୍‌ ଚଳାଇବ। ଆଗକୁ ପଛକୁ ସାଇକଲ୍‌ ଚଲାଇବାର ମଜା ଉଠାଉଥିବା ଏହି ଉପକରଣରେ ଦର୍ଶକ ନିରାଶ ହେଉଛନ୍ତି। ଏହି ଉପକରଣ ଚଲାଇବାରେ ସାହାଯ୍ୟ କରୁଥିବା ଦକ୍ଷ ବ୍ୟକ୍ତି ବିଜ୍ଞାନ କେନ୍ଦ୍ରରେ ନାହାନ୍ତି। ବ୍ୟବହାର ହେଉ ନ ଥିବାରୁ ଏଥିରେ କଳଙ୍କି ଲାଗି ଗଲାଣି। ରଶି ଉପରେ ଗଛ ଡାଳ ମାଡ଼ି ଗଲାଣି। ଭାରଦଣ୍ଡଗୁଡ଼ିକ ଥିବା ସ୍ଥାନରେ ଘାସ ଉଠିଗଲାଣି। ରକ୍ଷଣାବେକ୍ଷଣା ଅଭାବରୁ ପାର୍କର ବାହାର ଦୃଶ୍ୟଗୁଡ଼ିକ ମଧ୍ୟ ଦିନକୁ ଦିନ ଆକର୍ଷଣ ହରାଇ ବସୁଛି। ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରକୁ ବୁଲିବାକୁ ଆସିଥିବା ସନ୍ତୋଷ କୁମାର ବେହେରା କହିଛନ୍ତି, ‘ନନ୍‌ ଫଲ୍‌ ବାଇସକେଲ୍‌’ ଓ ଶ୍ରବଣ ମୂର୍ତି କିପରି କାମ କରୁଛି ଦେଖିବାର ବହୁତ ଇଚ୍ଛା ଥିଲା। କିନ୍ତୁ ଏସବୁ ଚାଲୁ ନ ଥିବାରୁ କିଛି ଜାଣି ହେଲାନି। ଏନେଇ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର କ୍ୟୁରେଟର୍‌ ଅମିତ କୁମାର ମଣ୍ଡଳ ସ୍ୱୀକାର କରିଛନ୍ତି ଯେ, ନୂଆ ପ୍ରକଳ୍ପ ହାତକୁ ନିଆଯାଉଛି। ତେଣୁ ପୁରୁଣା ଜିନିଷଗୁଡ଼ିକ ଅଣଦେଖା ହେଉଛି। ସେ କହିଛନ୍ତି, ଗ୍ୟାଲେରିର ପଛ ପଟେ ରହି ଯାଉଥିବାରୁ ଏହା ଲୋକଙ୍କ ନଜରକୁ ଆସିପାରୁ ନାହିଁ। ଏମିତିକି ଏହାକୁ ଚଲେଇବାରେ ସାହାଯ୍ୟ କରିବା ପାଇଁ ୪ରୁ ୫ଜଣ ଦକ୍ଷ ଲୋକ ଦରକାର। ସେଥିପାଇଁ ଏହି ସବୁ ଉପକରଣଗୁଡ଼ିକୁ ସାମ୍ନା ପାର୍କକୁ ଖୁବ୍‌ ଶୀଘ୍ର ସ୍ଥାନାନ୍ତରିତ କରାଯିବ। ଖୁବଶୀଘ୍ର କିଛି ଲୋକଙ୍କୁ ମଧ୍ୟ ନିଯୁକ୍ତି ଦିଆଯିବ। ନିକଟରେ ଇନୋଭେସନ ହବ୍‌ଠାରୁ ଆରମ୍ଭ କରି ମିରର୍‌ ଗ୍ୟାଲେରି ପ୍ରତିଷ୍ଠା ହୋଇଛି। ଆଗାମୀ ଦିନରେ ଆଣ୍ଟି ଗ୍ରାଭିଟି ଓ୍ଵାଟର୍‌ ଫଲ୍‌ ସହିତ କଳିଙ୍ଗ ଯୁଦ୍ଧକୁ ନେଇ ଗୋଟଏ ପାନୋରମା ବିଲ୍‌ଡିଂ ତିଆରି କରାଯିବ। ଯେଉଁଥିରେ କଳିଙ୍ଗ ଯୁଦ୍ଧର ସମସ୍ତ ଇତିହାସକୁ ଦର୍ଶକ ଦେଖିବାର ସୁଯୋଗ ପାଇବେ। ଏହା ସହିତ ମେକାନିକାଲ୍‌ ଥିଏଟର୍‌ ମଧ୍ୟ ନିର୍ମାଣ କରାଯିବ। ଯାହାକି ସମାଜକୁ ଶିକ୍ଷଣୀୟ ବାର୍ତା ପ୍ରଦାନ କରିବ। କିଛି ଘଟଣା ଯାହା ଆମ ନିଦିଦିନିଆ ଜୀବନ ସହିତ ସଂପୃକ୍ତ ରହୁଛି ତାହାର ବୈଜ୍ଞାନିକ ତଥ୍ୟ ଉପରେ ଏହି ଥିଏଟର୍‌ରେ ଦେଖାଯିବ। ଏହାକୁ ପପୁଲାର ସାଇନ୍ସ ଗ୍ୟାଲେରିରେ ପ୍ରତିଷ୍ଠା କରାଯିବ ବୋଲି ଶ୍ରୀ ମଣ୍ଡଳ କହିଛନ୍ତି।

ସମ୍ବନ୍ଧିତ ଖବର