ମହର୍ଷି କଲେଜରେ ଗଣ୍ଡଗୋଳ ଘଟଣା: ହାତଟେକି ଦେଲେ କର୍ତ୍ତୃପକ୍ଷ, ପୁଲିସ

ଭୁବନେଶ୍ବର : କଲେଜ ଯାଉଥିବା ଛାତ୍ରୀଙ୍କୁ କମେଣ୍ଟ କଲେ। ପ୍ରତିବାଦ କରିବାରୁ ସ୍ପଷ୍ଟ ଦିବାଲୋକରେ ଦଳବଳ ହୋଇ କ୍ୟାମ୍ପସ୍‌ରୁ ଛାତ୍ରଙ୍କୁ ଟାଣି ନେଇ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟି ଲହୁଲୁହାଣ କଲେ। ଏଭଳି ଏକ ସମ୍ବେଦନଶୀଳ ଘଟଣାର ୩ଦିନ ବିତିଯାଇଥିଲେ ବି ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଗିରଫ କରିବା ତ ଦୂରର କଥା ମାମଲା ବି ରୁଜୁ ହୋଇନାହିଁ। ପାଲଟା ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଯାଉଛି। କଲେଜ କର୍ତ୍ତୃପକ୍ଷ ନିରବ ରହିବା ଓ ପୁଲିସ ହାତ ଟେକିଦେବାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। କେଉଁ ପରିସ୍ଥିତିରେ ପୁଲିସ ମାମଲା ରୁଜୁ କଲାନାହିଁ? କାହିଁକି କର୍ତ୍ତୃପକ୍ଷ ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଅଭିଯୋଗ କଲେନାହିଁ? ନା ଆକ୍ରମଣ କରିଥିବା ଗୋଷ୍ଠୀଙ୍କ ପଛରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ଥିବାରୁ ପୁଲିସ ଓ ପ୍ରଶାସନ ମୁଣ୍ଡପାତି ସବୁ ସହିନେଲେ? ଆଉ ଅପରାଧୀଙ୍କୁ ଖୋଲା ଛାଡ଼ିଦେଇ ଆଗାମୀ ଦିନରେ ବଡ଼ ଅଘଟଣକୁ ନିମନ୍ତ୍ରଣ କଲେ? ଏମିତି ମାଳ ମାଳ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅନ୍ୟପଟେ ଘଟଣାକୁ ନେଇ ପୁଲିସ ଓ କଲେଜ କର୍ତ୍ତୃପକ୍ଷ ପରସ୍ପରକୁ ଆରୋପ ପ୍ରତ୍ୟାରୋପ କରିଛନ୍ତି। କଲେଜ କର୍ତ୍ତୃପକ୍ଷ କହିଛନ୍ତି‌ ଯେ, ସୋମବାର ଦିନ କଲେଜ ସମ୍ମୁଖରେ କିଛି ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ‌ଜଣେ ପିଲା ଭୟରେ କ୍ୟାମ୍ପସ ଭିତରକୁ ପଶିଆସିବାରୁ ତାକୁ ଅନ୍ୟମାନେ ବାହାରକୁ ନେଇଯାଇଥିଲେ। କ୍ୟାମ୍ପସ ବାହାର ତାଙ୍କୁ ମାର୍‌ପିଟ୍‌ କରିଥିଲେ। କୌଣସି ସୂତ୍ରରୁ ଖବରପାଇ ପୁଲିସ ‌ସେଠାରେ ପହଞ୍ଚି ହସ୍ତକ୍ଷେପ କରି ପିଲାଙ୍କୁ ଛାଡ଼ିଥିଲା। ଆମେ ପୁଲିସକୁ ଖବର ଦେଇ ନଥିଲୁ। ତେବେ ଶୁକ୍ରବାର ଦିନ ଯେଉଁ ପିଲା ଛାତ୍ରୀଙ୍କୁ କମେଣ୍ଟ କରିଥିଲେ ଆମେ ତାଙ୍କୁ ଅଣ୍ଡରଟେକିଂ ଦେଇ ଛାଡ଼ିଥି‌ଲୁ। ଗଣ୍ଡଗୋଳ ଦିନ ସେହି ପିଲା ଥିଲେ କି ନାହଁ ଆମେ ଜାଣିନାହୁଁ। ଏମିତିକି କଲେଜର କୌଣସି ଛାତ୍ର ଆକ୍ରମଣର ଶିକାର ହୋଇଥିବା ନେଇ ଆମ ନିକଟରେ ଅଭିଯୋଗ କରିନାହାନ୍ତି। ସେଥିପାଇଁ ଆମେ ପୁଲିସରେ ଅଭିଯୋଗ କରିନାହୁଁ।

ସହିଦନଗର ଥାନା ପକ୍ଷରୁ କୁହାଯାଇଛି ଯେ, ଗଣ୍ଡଗୋଳ ନେଇ କଲେଜ କର୍ତ୍ତୃପକ୍ଷ ଓ ଆକ୍ରମଣର ଶିକାର ହୋଇଥିବା ଛାତ୍ର କେହି କିଛି ଅଭିଯୋଗ କରିନାହାନ୍ତି। ଛାତ୍ରଙ୍କ ସହ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ବି ସେମାନେ ଅଭିଯୋଗ ଫର୍ଦ୍ଦ ଦାଖଲ କରିନଥିଲେ। ହେଲେ କେବଳ ସୁରକ୍ଷା ଯୋଗାଇଦେବା ପାଇଁ କଲେଜ କର୍ତ୍ତୃପକ୍ଷ ଥାନାକୁ ଲେଖିଥିଲେ। ସେଥିରେ ଗଣ୍ଡଗୋଳ କି ଆକ୍ରମଣ ନେଇ କିଛି ଲେଖାଯାଇନଥିଲା ବୋଲି ଥାନା ପକ୍ଷରୁ କୁହାଯାଇଛି। ଗୋଟିଏ ପଟେ ଛାତ୍ରଙ୍କୁ ଆକ୍ରମଣ ହୋଇଥିବା ନେଇ ପୁଲିସ କହୁଥି‌ବା ବେଳେ କଲେଜ କର୍ତ୍ତୃପକ୍ଷ ଛାତ୍ରଙ୍କୁ ଚିହ୍ନି ନପାରିବା ସମସ୍ତଙ୍କୁ ଚକିତ କରିଛି। ସମଗ୍ର ଘଟଣାରୁ ସ୍ପଷ୍ଟ ଯେ ନିଜ ନିଜ ମୁଣ୍ଡରୁ ଦୋଷ ଖସାଇବା ପାଇଁ ଏଭଳି ଉଦ୍ୟମ ଚଳାଇଛନ୍ତି। ଆଉ ଅଭିଯୁକ୍ତଙ୍କ ବିରୋଧରେ ପଦକ୍ଷେପ ନେବାକୁ ପଛଘୁଞ୍ଚା ଦେଉଛନ୍ତି। ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିକୁ ଯାଞ୍ଚ୍‌ କରି ପୁଲିସ୍‌ ଅପରାଧୀଙ୍କୁ ଧରିବାକୁ ଉଦ୍ୟମ କରୁନାହିଁ। ଏଭଳି ସମ୍ବେଦନଶୀଳ ଘଟଣାରେ ପୁଲିସ୍‌ ଓ କଲେଜ କର୍ତ୍ତୃପକ୍ଷ ହାତ ଟେକିଦେବା ଘଟଣାକୁ ଅଭିଭାବକମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି।

ପ୍ରକାଶ ଥାଉ, ଗତ ଶୁକ୍ରବାର ଏକ ନିର୍ଦ୍ଦିଷ୍ଟ‌ ଗୋଷ୍ଠୀର କିଛି ଯୁବକ ମହର୍ଷି କଲେଜ ସମ୍ମୁଖରେ ଖଟି ଜମାଇ କଲେଜକୁ ଆସୁଥିବା ଛାତ୍ରୀଙ୍କୁ କମେ‌ଣ୍ଟ କରିଥିଲେ। ଛାତ୍ରୀଙ୍କ ସହପାଠୀ ସେଠାରେ ପହଞ୍ଚି ଯୁବକମାନଙ୍କୁ କାବୁ କରିବା ସହ ଅଧ୍ୟକ୍ଷଙ୍କ ନିକଟକୁ ନେଇ ଭୁଲ ମଗାଇ ଅଣ୍ଡରଟେକିଂ ଲେଖାଇ ଛାଡ଼ିଥିଲେ। କିନ୍ତୁ ସ୍ଥିତି ସୁଧୁରିବା ବଦଳରେ ଆହୁରି ବିଗିଡ଼ି ଯାଇଥିଲା। ପ୍ରତିଶୋଧ ପାଇଁ ସେହି ଗୋଷ୍ଠୀର ଯୁବକମାନେ ସୋମବାର ଦିନ ହାତରେ ବ୍ୟାଟ୍‌, ହକିଷ୍ଟିକ୍ ଆଦି ମାରଣାସ୍ତ୍ର ଧରି କଲେଜ୍‌ କ୍ୟାମ୍ପସରେ ପଶି ଆତଙ୍କ ଖେଳାଇଥିଲେ। ଛାତ୍ରଙ୍କୁ କ୍ୟାମ୍ପସରୁ ନେଇ ବାହାରେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଅକ୍ରମଣ ଯୋଗୁଁ ୩ଜଣ ଛାତ୍ର ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର