ସରାଟ ଶାସନ ପ୍ରାଥମିକ ବିଦ୍ୟାଳୟ: ଭଙ୍ଗା ପାଚେରି ଭୁଶୁଡ଼ିବା ଭୟରେ ଛାତ୍ରଛାତ୍ରୀ

ବାଲିପାଟଣା: ପମ୍ପାଲୋ ପଞ୍ଚାୟତ ସରାଟ ଶାସନ ପ୍ରାଥମିକ ବିଦ୍ୟାଳୟରେ କୋମଳମତି ଛାତ୍ରଛାତ୍ରୀଙ୍କୁ ଭଙ୍ଗା ପାଚେରି ଭୟ ଘାରିଛି। ୩ ମାସ ହେଲା ପାଚେରିର ବଡ଼ ଅଂଶ ଭୁଶୁଡ଼ି ପଡ଼ିଥିବା ବେଳେ ଆଉ କିଛି ଅଂଶ ଗୋଟିଏ କଡ଼କୁ ଢଳେଇହୋଇ ରହିଛି। ବର୍ଷା ଦିନ ଆରମ୍ଭ ହୋଇସାରିଥିବାରୁ କୌଣସି ସମୟରେ ଏହି ଅଂଶ ଭୁଶୁଡ଼ିବା ଆଶଙ୍କା ରହିଛି। ତେଣୁ ବିଦ୍ୟାଳୟ ଖୋଲା ଥିବା ବେଳେ ଏଭଳି ଅଘଟଣ ହେଲେ, ପିଲାମାନେ ପ୍ରଭାବିତ ହେବ ବୋଲି ଅଭିଭାବକମାନେ ଚିନ୍ତାରେ ପଡ଼ିଛନ୍ତି। ମାତ୍ର ଏନେଇ ଅଭିଯୋଗ ହୋଇଥିଲେ ମଧ୍ୟ କର୍ତ୍ତୃପକ୍ଷ ଅଚିନ୍ତାରେ ଥିବା ଅଭିଯୋଗ ହୋଇଛି।

୧୯୬୧ ମସିହାରୁ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟ ପରିସରରେ ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ଉଭୟ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ପ୍ରାୟ ୮୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ପ୍ରାୟ ୩୦ ବର୍ଷ ତଳେ ତିଆରି ହୋଇଥିବା ପାଚେରି ୩ ମାସ ତଳୁ ଭାଙ୍ଗି ପଡ଼ିଛି। ପାଖାପାଖି ୭୦ ଫୁଟ୍‌ ଲମ୍ବର ପାଚେରି ଭାଙ୍ଗି ଯାଇଛି। ଅବଶିଷ୍ଟ ଭଗ୍ନାଂଶ ଗୋଟିଏ ପଟକୁ ବିପଜ୍ଜନକ ଭାବେ ଢ଼ଳି ରହିଛି। ପୁଣି ପିଲାମାନେ ଚଳପ୍ରଚଳ ହେଉଥିବା ଅଂଶଟି ଢଳି ରହିଛି। ପାଚେରି ଭାଙ୍ଗିଥିବା ଅଂଶରେ ବାଉଁଶ, ପ୍ଲାଷ୍ଟିକ ନେଟ୍‌ ବନ୍ଧା ହୋଇଛି। କିନ୍ତୁ ସେହି ବାଟ ଦେଇ ବୁଲା ଗୋରୁ, ଛେଳି, ମେଣ୍ଢା, କୁକୁର, ମାଙ୍କଡ଼ ପରିସରକୁ ପଶି ବେଶ୍ ଅପରିଷ୍କାର କରୁଛନ୍ତି। ସେହିପରି ଘର ଅଭାବରୁ ଖୋଲା ଆକାଶ ତଳେ ମଧ୍ୟାହ୍ନ ଭୋଜନ ରୋଷେଇ ହେଉଛି। ବର୍ଷା ହେଲେ ସମସ୍ୟା ହେଉଛି। ରୋଷେଇ ଚାଲିଥିବା ବେଳେ ରନ୍ଧା ଖାଦ୍ୟରେ ବିଷାକ୍ତ ପୋକଜୋକ ପଡ଼ିବା ଆଶଙ୍କା ରହିଛି। ଶିକ୍ଷକମାନଙ୍କ କହିବା କଥା ପାଚେରି ଭାଙ୍ଗିଯାଇଥିବା ସମ୍ପର୍କରେ ସିଆରସିସିଙ୍କ ଜରିଆରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି। କିନ୍ତୁ କିଛି ଲାଭ ହୋଇନି। ଖେଳଛୁଟିରେ ପିଲାଙ୍କୁ ଗୋଡ଼େଗୋଡ଼େ ଜଗିବାକୁ ପଡ଼ୁଛି। ଏନେଇ ପମ୍ପାଲୋ ସରପଞ୍ଚ ବାହାନ ଭୋଇଙ୍କ କହିବା କଥା ପାଚେରି ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି ଏବଂ ଏଥିପାଇଁ ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର