ସଂଯୁକ୍ତାଙ୍କ ବିରୋଧରେ ସିପିଙ୍କୁ ଫେରାଦ ହେଲେ ମା’

ଭୁବନେଶ୍ବର: ବିଜେଡି ମହିଳା ମୋର୍ଚ୍ଚାର ଉପ-ସଭାନେତ୍ରୀ ତଥା ରାଜ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ସଦସ୍ୟା ସଂଯୁକ୍ତା ମହଲଙ୍କ ବିରୋଧରେ ଅଭିଯୋଗ ଆଣି ଆଜି ପୁଲିସ୍‌ କମିସନର୍‌ଙ୍କ ଦ୍ବାରସ୍ଥ ହୋଇଛନ୍ତି ତାଙ୍କ ମା’ ନମିତା ପାତ୍ର। ତାଙ୍କୁ ନ୍ୟାୟ ଦେବା ପାଇଁ ନମିତା ପୁଲିସ କମିସନରଙ୍କୁ ଗୁହାରି କରିଛନ୍ତି। କିଛି ଦିନ ତ‌େଳେ ସଂଯୁକ୍ତା ଜଣେ ମନ୍ତ୍ରୀଙ୍କ ବିରୋଧରେ ସଂଗୀନ୍‌ ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଥିଲେ।

ନମିତା ଅଭିଯୋଗ କରିଛନ୍ତି ଯେ ସଂଯୁକ୍ତା ତାଙ୍କ ପରିବାରରେ ଫାଟ ସୃଷ୍ଟି କରିଛନ୍ତି। ସ୍ବାମୀଙ୍କୁ ତାଙ୍କଠାରୁ ଅଲଗା କରିବା ସହ ଚଞ୍ଚକତା କରି ତାଙ୍କର ସବୁ ପେନସନ୍‌ ଟଙ୍କାକୁ ଦୀର୍ଘ ବର୍ଷ ହେଲା ହଡ଼ପ କରି ଆସୁଛନ୍ତି। ସାନପୁଅ କୋରାପୁଟ ଆଇଆର୍‌ବିରେ ଚାକିରି କରୁଥିବା ବେଳେ ଦୁଇ ନାତୁଣୀ ଓ ସାନବୋହୂଙ୍କ ସହ ନମିତା ଭୁବନେଶ୍ବରରେ ରହୁଛନ୍ତି। ସାନପୁଅ ଭୁବନେଶ୍ବରକୁ ବଦଳି ହୋଇ ଆସିବା ପାଇଁ ଚେଷ୍ଟା କରୁଥିବା ଜାଣି ସଂଯୁକ୍ତା ଶାସକ ଦଳର କିଛି ନେତାଙ୍କ ଜରିଆରେ ଏହି ବଦଳି କରାଇ ଦେଉନାହାନ୍ତି। ଏମିତିକି ତାଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ତାଙ୍କ ନାମରେ ବିଭିନ୍ନ ମିଛ ମାମଲା କରିଛନ୍ତି। ସେହିପରି ସାନବୋହୂକୁ ବି ବିଭିନ୍ନ ସମୟରେ ରାସ୍ତାରେ ଅଟକାଇ ଧମକ ଚମକ ଦେଉଛନ୍ତି। ପାଖାପାଖି ଦୁଇ ସପ୍ତାହ ତଳେ ବୋହୂର କିଛି ଫଟୋ ଭାଇରାଲ୍‌ କରି ତାଙ୍କୁ ଅପମାନିତ କରିଛନ୍ତି। ଏହାସହ ତାଙ୍କ ପରିବାରକୁ ହତ୍ୟା ଧମକ ମଧ୍ୟ ଦେଇଛନ୍ତି। ତେଣୁ ତାଙ୍କର ତଥା ତାଙ୍କ ପରିବାରର ଜୀବନ ପ୍ରତି ବିପଦ ରହିଥିବାରୁ ପୁଲିସ୍‌ କମିସନର୍‌ ସଂଯୁକ୍ତାଙ୍କ ବିରୋଧ‌ରେ ପଦକ୍ଷେପ ନେବାକୁ ନମିତା ଅନୁରୋଧ କରିଛନ୍ତି। ଏ ସଂପର୍କରେ ନମିତା ଆଜି ଗଣମାଧ୍ୟମରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି।

ପାରିବାରିକ କଳହକୁ ନେଇ ଆସିଲା ସାଂଘାତିକ ଅଭିଯୋଗ
ପୂର୍ବତନ ମନ୍ତ୍ରୀ ଓ ଭାଇ ମିଶି ଷଡ଼୍‌ଯନ୍ତ୍ର କରିଛନ୍ତି: ସଂଯୁକ୍ତା

ଅନ୍ୟପଟେ ପ୍ରତିକ୍ରିୟାରେ ସଂଯୁକ୍ତା କହିଛନ୍ତି ଯେ ଏସବୁ ମୋ ବିରୋଧରେ ଷଡ଼ଯନ୍ତ୍ର। ପୂର୍ବତନ ମନ୍ତ୍ରୀ ଓ ମୋ’ ଭାଇ ଚକ୍ରାନ୍ତ କରି ମା’କୁ ଫସାଇଛନ୍ତି। କୌଣସି ଗୋଟିଏ ବି ଅଭିଯୋଗରେ ସତ୍ୟତା ନାହଁ। କାରଣ ଗତ ୫ବର୍ଷ ହେବ, ମୋର ସେମାନଙ୍କ ସହ ସମ୍ପର୍କ ନାହିଁ। ମୋ ବାପା ନହରକଣ୍ଟାରେ ଏକୁଟିଆ ଭଡ଼ାରେ ରହୁଛନ୍ତି। ଆଉ କୋର୍ଟ ମାଧ୍ୟମରେ ପେନ୍‌ସନ ଟଙ୍କା ମା’ଙ୍କ ନିକଟକୁ ଯାଉଛି। ସେ ଟଙ୍କା ଭାଇ ରଖୁଛି। ଭାଉଜର‌ କୌଣସି ଫଟୋ ମୁଁ ସୋସିଆଲ୍‌ ମିଡିଆରେ କି ଅନ୍ୟ କେଉଁଠି ପୋଷ୍ଟ କି ସେୟାର କରିନାହିଁ। ନା କାହାକୁ କେବେ ଧମକ ଦେଇଛି ନା ସେମାନଙ୍କ ନାଁରେ ଥାନାରେ ଅଭିଯୋଗ କରିଛି। ସେମିତି ଭାଇ ପୁଲିସ ଚାକିରି କରି କିଭଳି କୋଟି କୋଟି ଟଙ୍କାର ସମ୍ପତ୍ତି କରିଛି? ତାର ଲେବର ଅଫିସ୍‌ ଅଛି? ଏ ସବୁର ତଦନ୍ତ ହେଉ। ମୋ ବିରୋଧରେ ହୋଇଥିବା ଅଭିଯୋଗରେ ଯଦି କିଛି ପ୍ରମାଣ ଅଛି, ତୁରନ୍ତ ଲୋକଲୋଚନକୁ ଆଣନ୍ତୁ। ସଂପୃକ୍ତ ମନ୍ତ୍ରୀଙ୍କ ପଦ ଯିବା ପରେ ଏଭଳି ଷଡ଼ଯନ୍ତ୍ର କରାଯାଇଛି। ତେଣୁ ପ୍ରତ୍ୟେକ ଘଟଣାର ସଠିକ୍‌ ତଦନ୍ତ କାରାଯାଉ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର