ଭୁବନେଶ୍ୱର: ଆଚାର୍ଯ୍ୟବିହାର ସ୍ଥିତ ଏକ ସର୍ବସାଧାରଣ ଜାଗାରେ ପ୍ରେମୀଯୁଗଳଙ୍କ ଅସଂଯତ ଆଚରଣକୁ ବିରୋଧ କରିବାରୁ ପ୍ରେମିକ ଜଣଙ୍କ ସ୍ଥାନୀୟ ଅଞ୍ଚଳର ଶୁଭେନ୍ଦୁ ଦାସ ନାମକ ଜଣେ ଯୁବକଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଛି। ସୂଚନା ମୁତାବକ, ଶନିବାର ସନ୍ଧ୍ୟାରେ ସତ୍ୟରଞ୍ଜନ ସେଠୀ ନାମକ ଜଣେ ଯୁବକ ନିଜ ବାନ୍ଧବୀଙ୍କ ସହ ଶୁଭେନ୍ଦୁଙ୍କ ଘର ନିକଟରେ ଥିବା ଏକ ଅନ୍ଧାରିଆ ସ୍ଥାନରେ ଅସଂଯତ ଅବସ୍ଥାରେ ବସିଥିଲେ। ଏହା ଦେଖି ଶୁଭେନ୍ଦୁଙ୍କ ମା’ ପାଟି କରିଥିଲେ। ମା’ଙ୍କ ପାଟି ଶୁଣି ଶୁଭେନ୍ଦୁ ତଳକୁ ଚାଲିଆସି ପ୍ରେମୀଯୁଗଳଙ୍କୁ ଅନ୍ୟସ୍ଥାନକୁ ଯିବା ପାଇଁ କହିଥିଲେ। ଯାହାକୁ ନେଇ ଶୁଭେନ୍ଦୁ ଓ ସତ୍ୟରଞ୍ଜନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସତ୍ୟରଞ୍ଜନ ରାଗିଯାଇ ଶୁଭେନ୍ଦୁଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା। ଫଳରେ ଶୁଭେନ୍ଦୁଙ୍କ ମୁଣ୍ଡ ଫାଟିଯାଇଥିଲା। ପାଟିତୁଣ୍ଡ ଦେଖି ସ୍ଥାନୀୟ ଲୋକମାନେ ସତ୍ୟରଞ୍ଜନକୁ ଅଟକାଇ ପୁଲିସକୁ ଫୋନ୍‌ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶୁଭେନ୍ଦୁଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇବା ସହ ସତ୍ୟରଞ୍ଜନକୁ ଥାନାକୁ ନେଇଥିଲେ।

Advertisment

ରବିବାର ‘ସମ୍ବାଦ’ର ମହାନଗର ପୃଷ୍ଠାରେ ଏହି ଖବର ପ୍ରକାଶ ପାଇଥିଲେ ହେଁ ଭୁଲ୍‌ କ୍ରମେ ଶୁଭେନ୍ଦୁଙ୍କ ଫଟୋ ଅନ୍ୟ ଏକ ଖବରରେ ପ୍ରକାଶ ପାଇଥିଲା। ଏହି ଅନିଚ୍ଛାକୃତି ତ୍ରୁଟି ପାଇଁ ଆମେ ଦୁଃଖିତ।