ରାତି ୨ଟା ୨୨ରେ ଶେଷ ହେବ ପରାଗ; ଭାରତବାସୀଙ୍କୁ ନଜର ଆସିବନି ମହାଜାଗତିକ ଦୃଶ୍ୟ

ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ ଲାଗିବା ଆରମ୍ଭ ହେଇଛି । ଏହି ଖାସ୍ ମହାଜାଗତିକ ଦୃଶ୍ୟକୁ ଦେଖିବାକୁ ସାରା ବିଶ୍ୱର ଅନେକ ଲୋକ ଚାତକ ଭଳି ଚାହିଁ ରହିଥିଲେ । ତେବେ ମହାକାଶର ଏହି ମହାଜାଗତିକ ଦୃଶ୍ୟ ଭାରତବାସୀଙ୍କୁ ନଜର ଆସିବନି । ମିଳିଥିବା ସୂଚନା ମୁତାବକ, ଦୀର୍ଘ ୫୦ ବର୍ଷ ପରେ ଏପରି ସୂର୍ଯ୍ୟୋପରାଗ ପଡୁଛି । ଯାହାର ଅବଧି ୫ ଘଣ୍ଟା ଧରି ରହିବ । ଖାଲି ସେତିକି ନୁହେଁ, ପାଖାପାଖି ୭ ମିନିଟ୍ ଧରି ପୂର୍ଣ୍ଣ ସୂର୍ଯ୍ୟୋପରାଗ ଦେଖିବାକୁ ମିଳିବ ବୋଲି ସୂଚନା ରହିଛି ।

ଭାରତୀୟ ସମୟ ୯ଟା ୧୨ ମିନିଟରେ ସୂର୍ଯ୍ୟୋପରାଗ ଆରମ୍ଭ ହେଇଛି । ଯାହାକି ରାତି ୨ଟା ୨୨ ମିନିଟରେ ଶେଷ ହେବ । ମୋଟ ୫ ଘଣ୍ଟା ୧୦ ମିନିଟ୍ ଧରି ସୂର୍ଯ୍ୟୋପରାଗର ଅବଧି ରହିବ । ଆମେରିକା ସହିତ ମେକ୍ସିକୋ, କାନାଡା, ଆର୍ୟଲ୍ୟାଣ୍ଡ, ଇଂଲଣ୍ଡ ଭଳି ଦେଶରେ ଏହା ଦୃଶ୍ୟମାନ ହେବ।

ଆମ ସମାଜରେ ଆବାହମାନ କାଳରୁ ଗ୍ରହଣ ଓ ପରାଗକୁ ନେଇ ଅନେକ ବିଶ୍ୱାସ ଓ ଅନ୍ଧ ବିଶ୍ୱାସ ରହିଛି । ମଣିଷ ଚନ୍ଦ୍ରରେ ପାଦ ଥାପିଲାଣି ଓ ବିଜ୍ଞାନର ଅଗ୍ରଗତି ଫଳରେ ଆମେ ଗ୍ରହଣ ଓ ପରାଗ କାହିଁକି ଓ କିପରି ଘଟେ ତାହା ସଠିକ ଭାବରେ ଜାଣିସାରିଲେଣି । ଗ୍ରହଣ ଓ ପରାଗ ଏକ ଛାଇ ଆଲୁଅର ଖେଳ ଯାହା ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀର ଏକ ବିଶେଷ ଅବସ୍ଥିତିରେ ଘଟିଥାଏ । ସୂର୍ଯ୍ୟୋପରାଗ ସମୟରେ ‘ପୃଥିବୀ ଓ ସୂର୍ଯ୍ୟ’ ମଝିରେ ଚନ୍ଦ୍ର ଏକ ସରଳରେଖାରେ ରହିଥାଏ ଓ ଚନ୍ଦ୍ରର ଛାଇ ପୃଥିବୀ ଉପରେ ପଡିଥାଏ ଓ ସେହି ଅଞ୍ଚଳର ଲୋକମାନେ କିଛି ସମୟ ପାଇଁ ଦିନବେଳେ ସୂର୍ଯ୍ୟକୁ ଦେଖିପାରନ୍ତି ନାହିଁ । ଏହା ରାତିର ଭ୍ରମ ସୃଷ୍ଟି କରିଥାଏ ।

ସମ୍ବନ୍ଧିତ ଖବର