ଇଂଲଣ୍ଡ ଶୃଙ୍ଖଳାରେ ‘ବ୍ଲାକ୍ ଲାଇଭ୍ସ ମ୍ୟାଟର୍‌’ ଲୋ‌‌ଗୋ ପିନ୍ଧିବେ ଇଣ୍ଡିଜ୍ ଖେଳାଳି

ଲଣ୍ଡନ: ପୁଲିସ ବର୍ବରତାରେ ଆମେରିକାର କୃଷ୍ଣକାୟ ନାଗରିକ ଜର୍ଜ ଫ୍ଲଏଡ୍ ମୃତ୍ୟୁ ବରଣ କରିବା ପରେ ସମଗ୍ର ବିଶ୍ବରେ ଏହାକୁ ନେଇ ବିରୋଧ ଓ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। କୃଷ୍ଣକାୟମାନେ ଏବେବି ରଙ୍ଗଭେଦର ଶିକାର ହେଉଥିବା‌ ଅଭିଯୋଗ ଆଣି ବିଭିନ୍ନ ଦେଶର ସାମାଜିକ କର୍ମୀ ଏହି ବିଷୟକୁ ନାନା ଉପାୟରେ ନିଜ ଦେଶର ସରକାରଙ୍କ ଧ୍ୟାନ ଆକର୍ଷଣ କରୁଛନ୍ତି। ସେମାନେ ‘ବ୍ଲାକ୍ ଲାଇଭ୍ସ ମ୍ୟାଟର’ ନାମରେ ଆନ୍ଦୋଳନ ବି ଆରମ୍ଭ କରିଛନ୍ତି। ୱେ‌ଷ୍ଟଇଣ୍ଡିଜ୍ କ୍ରିକେଟ୍ ଦଳର ଖେଳାଳିମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। କରୋନା ମହାମାରୀ ସଙ୍କଟ ଭିତରେ ଇଂଲଣ୍ଡ ବିପକ୍ଷରେ ସେମାନେ ଖେଳିବାକୁ ଯାଉଥିବା ତିନି ଟିକିଆ ଟେଷ୍ଟ୍ ଶୃଙ୍ଖଳା ଅବସରରେ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତି। ଆଇସିସି ମଧ୍ୟ ଏହାକୁ ଅନୁମତି ‌ଦେଇଛି। ଏହି ଶୃଙ୍ଖଳା ଅବସରରେ ଇଣ୍ଡିଜ୍ ଖେଳାଳିମାନେ ନିଜ ସାର୍ଟ କଲରରେ ‘ବ୍ଲାକ୍ ଲାଇଭ୍ସ ମ୍ୟାଟର’ ଲୋଗୋ ଲଗାଇ ଖେଳିବେ।

ଏଭଳି କରି କ୍ରୀଡ଼ାରେ ଥିବା ବର୍ଣ୍ଣବୈଷମ୍ୟକୁ ଇଣ୍ଡିଜ୍ ଖେଳାଳିମାନେ ପ୍ରତିକାତ୍ମକ ବିରୋଧ କରିବେ। ଏହି ଲୋଗୋକୁ ଆଲିସା ହୋସନାହ ଡିଜାଇନ୍ କରିଛନ୍ତି। ଲୋଗୋ’ଟିକୁ ପୂର୍ବରୁ ପ୍ରିମିୟର ଲିଗ୍ ଫୁଟବଲ୍ ପ୍ରତିଯୋଗିତାର ଖେଳାଳିମାନେ ପରିଧାନ କରି ସାରିଛନ୍ତି। ‘‘କ୍ରୀଡ଼ା ଇତିହାସ, କ୍ରିକେଟ୍ ଜଗତ ଓ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ପାଇଁ ଏହା ଏକ ମହତ୍ବପୂର୍ଣ୍ଣ ଘଟଣା ହେବ। ୱିଜଡେନ୍ ଟ୍ରଫି ପାଖରେ ରଖିବାକୁ ଆମେ ଇଂଲଣ୍ଡ ଆସିଛୁ। ହେଲେ ଆମ ଚର୍ତୁପାର୍ଶ୍ବରେ ଘଟୁଥିବା ଅନ୍ୟାୟ ଅତ୍ୟାଚାର ଓ ଅସମାନତା ଉପରେ ମଧ୍ୟ ଆମର ନଜର ରହିଛି। ୱେଷ୍ଟଇଣ୍ଡିଜ୍ କ୍ରିକେଟ୍‌ର ଗୌରବମୟ ଇତିହାସ ବିଷୟରେ ଆମେ ଭଲ ଭାବରେ ଜାଣିଛୁ। ଆଗାମୀ ଅନେକ ପିଢ଼ି ପାଇଁ ଆମେ ହିଁ କ୍ରିକେଟର ଅବିଭାବକ ଭାବେ କାର୍ଯ୍ୟ କରିବୁ’’ ବୋଲି ୱେଷ୍ଟଇଣ୍ଡିଜ୍ ଅଧିନାୟକ ଜାସନ ହୋଲ୍ଡର କହିଛନ୍ତି। ୱେ‌ଷ୍ଟଇଣ୍ଡିଜ୍ ଖେଳାଳିମାନେ ଓଲ୍ଡ ଟ୍ରାଫର୍ଡଠାରେ ଜୁଲାଇ ପହିଲାରୁ ଆରମ୍ଭ ହେବାକୁ ଥିବା ଚାରି ଦିନିକିଆ ଅଭ୍ୟାସ ମ୍ୟାଚ୍‌ରେ ମଧ୍ୟ ଏହି ଲୋଗୋ ଲଗାଇ ଖେଳିବେ। ୱେଷ୍ଟଇଣ୍ଡିଜ୍-ଇଂଲଣ୍ଡ ପ୍ରଥମ ଟେଷ୍ଟ୍ ଜୁଲାଇ ୮ ତାରିଖରୁ ସାଉଥାମ୍ପଟନର ଏଜେସ୍ ବାୱେଲଠାରେ ଆରମ୍ଭ ହେବ।

ସମ୍ବନ୍ଧିତ ଖବର