୨ୟ ଟେଷ୍ଟ : ମୟଙ୍କ ଅଗ୍ରଓ୍ବାଲଙ୍କ ଲଢୁଆ ଶତକ, ପ୍ରଥମ ଦିନ ଖେଳ ଶେଷସୁଦ୍ଧା ଭାରତ ୨୨୧/୪

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୨ୟ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି । ଏହି ମ୍ୟାଚର ପ୍ରଥମ ଦିନ ଖେଳ ଶେଷସୁଦ୍ଧା ଭାରତ ୪ ଓ୍ବିକେଟ୍ ହରାଇ ୨୨୧ ରନ କରିଛି । ଆଜି ମ୍ୟାଚର ମୁଖ୍ୟ ଆକର୍ଷଣ ଥିଲା ମୟଙ୍କ ଅଗ୍ରଓ୍ବାଲଙ୍କ ଲଢୁଆ ଶତକ ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତର ଦୁଇ ଓପନର ଶୁଭମନ ଗିଲ୍ ଓ ମୟଙ୍କ ଅଗ୍ରଓ୍ବାଲ  ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ଉଭୟ ପ୍ରଥମ ଓ୍ବିକେଟ୍ ଯୋଡ଼ିରେ ୮୦ ରନ ଯୋଗ କରିଥିଲେ । କିନ୍ତୁ ଏହିଠାରୁ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇଥିଲା । ୮୦ ରନରେ ଭାରତ ୩ଟି ଓ୍ବିକେଟ ହରାଇଥିଲା । ଶୁଭମନ ୪୪ ରନ କରି ଆଉଟ ହେବା ପରେ ତାଙ୍କ ପଛେ ପଛେ ଚେତେଶ୍ବର ପୂଜାରା ଓ ବିରାଟ କୋହଲି ଶୂନ ରନରେ ଆଉଟ୍ ହୋଇଥିଲେ ।

ପରେ ମୟଙ୍କ ଅଗ୍ରଓ୍ବାଲ ଓ ଶ୍ରେୟସ୍ ଆୟର ସତର୍କତାର ସହ ବ୍ୟାଟିଂ କରି ଦଳକୁ ବିପଦମୁକ୍ତ କରିଥିଲେ । ଉଭୟ ୮୦ ରନର ସହଭାଗିତା କରିଥିଲେ । କିନ୍ତୁ ଆୟର ମାତ୍ର ୧୮ ରନ କରି ଆଉଟ ହେବା ପରେ ଦଳଉପରେ ପୁଣି ଚାପ ବଢିଯାଇଥିଲା । ତେବେ ଗୋଟିଏ ପଟେ ମୟଙ୍କ ନିଜର ସ୍ବାଭାବିକ ବ୍ୟାଟିଂ ଜାରି ରଖି ଶତକ ପୂରଣ କରିଥିଲେ । ଆଜି ଷ୍ଟମ୍ସ ଅପସାରଣ ବେଳକୁ ସେ ୧୨୦ ରନ କରି ଅପରାଜିତ ଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଅଜାଜ ପଟେଲ ୪ଟି ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର