ଟେଲରଙ୍କ ଶତକ ପରେ ସାଣ୍ଟନର୍‌ ଛଡ଼ାଇନେଲେ ମ୍ୟାଚ୍‌

ଇଂଲଣ୍ଡଠୁ ୩ ଓ୍ଵିକେଟ୍‌ରେ ଜିତିଲା ନ୍ୟୁଜିଲାଣ୍ଡ୍‌

ହାମିଲଟନ୍‌: ରସ୍‌ ଟେଲରଙ୍କ ଆକର୍ଷଣୀୟ ଶତକ ଏବଂ ଟମ୍‌ ଲଥାମ୍‌ଙ୍କ ଲଢ଼ୁଆ ଅର୍ଧଶତକ ପରେ ମିଚେଲ ସାଣ୍ଟନର୍‌ଙ୍କ ବିସ୍ଫୋରକ ବ୍ୟାଟିଂ ହିଁ ଇଂଲଣ୍ଡ ପଞ୍ଛାରୁ ମ୍ୟାଚ୍‌ ଛଡ଼ାଇନେଲା। ସେଡନ୍‌ ପାର୍କରେ ରବିବାର ଖେଳାଯାଇଥିବା ଏହି ପ୍ରଥମ ଦିନିକିଆକୁ ରୋମାଞ୍ଚକ ଭାବେ ୩ ଓ୍ଵିକେଟ୍‌ରେ ଜିତି ଘରୋଇ ନ୍ୟୁଜିଲାଣ୍ଡ ମଧ୍ୟ ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଗଲା। ୨୮୫ ରନ୍‌କୁ ପିଛା କରିଥିବା ନ୍ୟୁଜିଲାଣ୍ଡ୍‌ ଦଳ ୧୦ ଓଭର ଭିତରେ ୨୭ ରନରେ ୩ ଓ୍ଵିକେଟ୍‌ ହରାଇ ଗଭୀର ସଙ୍କଟରେ ପଡ଼ିଥିଲା। ମାର୍ଟିନ ଗପ୍ଟିଲ୍‌ (୧୩), କଲିନ୍‌ ମୁନ୍‌ରୋ (୬) ଏବଂ ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ (୮) ଶସ୍ତାରେ ଚାଲିଯାଇଥିଲେ। ଏହି ସମୟରେ ପଡ଼ିଆରେ ଏକାଠି ହୋଇଥିବା ରସ୍‌ ଟେଲର (୧୧୩, ୧୧୬ ବଲ୍‌, ୧୨ ଚୌକା) ଏବଂ ଓ୍ଵିକେଟରକ୍ଷକ ଟମ୍‌ ଲଥାମ୍‌ (୭୯, ୮୪ ବଲ୍‌, ୬ ଚୌକା) ଦାୟିତ୍ୱପୂର୍ଣ୍ଣ ଭାଗୀଦାରି କରି ମ୍ୟାଚ୍‌କୁ ନିୟନ୍ତ୍ରଣକୁ ନେଇଥିଲେ। ଉଭୟ ୩୦.୨ ଓଭରରେ ୧୭୮ ରନ୍‌ ଯୋଡ଼ିବା ପରେ ଘରୋଇ ଦଳ ବିଜୟ ସମ୍ଭାବନା ସୃଷ୍ଟି କରିଥିଲା। ଏହି ଭାଗୀଦାରି ଅଲଗା ହେବା ପରେ ନ୍ୟୁଜିଲାଣ୍ଡ୍‌ ପୁଣି ଏକ ମିନି ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୦ ରନ ଭିତରେ ୩ ଓ୍ଵିକେଟ୍‌ ହରାଇଥିଲା। ରସ୍‌ ଟେଲର୍‌ ଆଉଟ୍‌ ହେବା ବେଳକୁ ନ୍ୟୁଜିଲାଣ୍ଡ୍‌କୁ ଶେଷ ୪ ଓଭରରେ ୪୧ ରନ୍‌ ଆବଶ୍ୟକ ହେଉଥିଲା। ହାତରେ ଥିଲା ୩ ଓ୍ଵିକେଟ୍‌। ଟିମ୍‌ ସାଉଦି (୮*, ୭ ବଲ୍‌, ୧ ଚୌକା)ଙ୍କୁ ସାଥୀ କରି ମିଚେଲ ସାଣ୍ଟନର୍‌ (୪୫*, ୨୭ ବଲ୍‌, ୨ ଚୌକା, ୪ ଛକା) କିନ୍ତୁ ଅସମ୍ଭବ ଲାଗୁଥିବା ଲକ୍ଷ୍ୟକୁ ସମ୍ଭବ କରିଥିଲେ। କ୍ରିସ୍‌ ଓ୍ଵକସଙ୍କୁ ଛକା ମାରି ୪ ବଲ୍‌ ପୂର୍ବରୁ ମ୍ୟାଚ୍‌ ଶେଷ କରିଥିଲେ। ରସ୍‌ ଟେଲର୍‌ କିନ୍ତୁ ତାଙ୍କ ୧୮ତମ ଦିନିକିଆ ଶତକ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ପୂର୍ବରୁ ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ଇଂଲଣ୍ଡ ଜାସନ୍‌ ରୟ (୪୯, ୬୬ ବଲ୍‌, ୫ ଚୌକା, ୧ ଛକା), ଜୋ ରୁଟ୍‌ (୭୧, ୭୫ ବଲ୍‌, ୫ ଚୌକା, ୧ ଛକା), ଜୋସ୍‌ ବଟଲର୍‌ (୭୯, ୬୫ ବଲ୍‌, ୫ ଚୌକା, ୫ ଛକା)ଙ୍କ ଭଲ ବ୍ୟାଟିଂ ବଳରେ ନିର୍ଧାରିତ ୫୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ୨୮୪ ରନ୍‌ କରିଥିଲା। ଟ୍ରେଣ୍ଟ୍‌ ବୋଲ୍‌ଟ, ମିଚେଲ ସାଣ୍ଟନର୍‌ ଏବଂ ଈଶ ସୋଢ଼ୀ ୨ ଲେଖାଏଁ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ଦୀର୍ଘ ୬ ମାସ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିଥିବା ଇଂଲଣ୍ଡ ଅଲରାଉଣ୍ଡର୍‌ ବେନ୍‌ ଷ୍ଟୋକ୍‌ସଙ୍କୁ ପରାଜୟ ପାର୍ଶ୍ୱରେ ରହିବାକୁ ପଡ଼ିଥିଲା। ସେହିଭଳି ଏହି ମ୍ୟାଚ୍‌ ଅବସରରେ କ୍ରିସ୍‌ ଓ୍ଵକ୍‌ସ ତାଙ୍କ ୧୦୦ ଓ୍ଵିକେଟ୍‌ ଏବଂ ରସ୍‌ ଟେଲର୍‌ ତୃତୀୟ ନ୍ୟୁଜିଲାଣ୍ଡ୍‌ ଖେଳାଳି ଭାବେ ୭୦୦୦ ଦିନିକିଆ ରନ୍‌ କ୍ଲବରେ ସାମିଲ ହୋଇଥିଲେ। ଷ୍ଟିଫେନ୍‌ ଫ୍ଲେମିଂ ଏବଂ ନାଥନ୍‌ ଆସ୍‌ଲେ ପୂର୍ବରୁ ଏହି କ୍ଲବ୍‌ରେ ଥିଲେ।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ୫୦ ଓଭରରେ ୨୮୪/୮ (ଜେସ୍‌ ବଟଲର୍‌-୭୯, ଜୋ ରୁଟ୍‌-୭୧, ଜାସନ୍‌ ରୟ-୪୯, ମୋଇନ୍‌ ଅଲୀ-୨୮, ମିଚେଲ୍‌ ସାଣ୍ଟନର୍‌-୨/୫୪, ଈଶ ସୋଢ଼ୀ-୨/୬୩, ଟ୍ରେଣ୍ଟ୍‌ ବୋଲ୍‌ଟ-୨/୬୪)। ନ୍ୟୁଜିଲାଣ୍ଡ୍‌ ୪୯.୨ ଓଭରରେ ୨୮୭/୭ (ରସ୍‌ ଟେଲର୍‌-୧୧୩, ଟମ୍‌ ଲଥାମ୍‌-୭୯, ମିଚେଲ୍‌ ସାଣ୍ଟନର୍‌-୪୫*, ବେନ୍‌ ଷ୍ଟୋକ୍‌ସ-୪୩, କ୍ରିସ୍‌ ଓ୍ଵକ୍‌ସ-୪୭ )।

ସମ୍ବନ୍ଧିତ ଖବର