ବିଶ୍ବ ଦୌଡ଼କୁଦ ଆଜିଠୁ, ମଧ୍ୟରାତ୍ରିରେ ମାରାଥନ

ଦୋହା: କାତାରର ରାଜଧାନୀ ଦୋହାରେ ଶୁକ୍ରବାରଠାରୁ ସପ୍ତଦଶ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା ଆରମ୍ଭ ହେବ। ଏହି ପ୍ରତିଯୋଗିତା ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଦୌଡ଼ରାଣୀ ଦୂତି ଚାନ୍ଦଙ୍କ ସହ ଏଥିରେ ୩୦ ଜଣିଆ ଭାରତୀୟ ଦଳ ଅଂଶଗ୍ରହଣ କରିବ। ବିଶ୍ବର ଅନେକ ତାରକା ଧାବକ ଓ ଧାବିକା ଯଥା ୧୦୦ ମିଟରର ବର୍ତମାନ ବିଜେତା ଜଷ୍ଟିନ ଗାଟଲିନ୍, ୬ ଥର ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜୟିନୀ ଆଲିସନ୍ ଫେଲିକ୍ସ, ସେଲିଆନ୍ ଫ୍ରେଜର ପ୍ରାଇସଙ୍କୁ ଏହି ଅବସରରେ ନିଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବା ଦେଖିବାକୁ ମିଳିବ। ମଧ୍ୟରାତ୍ରିରେ ମାରାଥନ, ମିଶ୍ରିତ ରିଲେ ଏବଂ ସଂଧ୍ୟାରେ ଅଧିକାଂଶ ଦୌଡ଼ର ଆୟୋଜିତ ଦୋହା ବିଶ୍ବ ଦୌଡ଼କୁଦର ମୁଖ୍ୟ ଆକର୍ଷଣ ହେବ। କାତାର ମଧ୍ୟ ପ୍ରଥମ ମଧ୍ୟପ୍ରାଚ୍ୟ ଦେଶ ଭାବେ ବିଶ୍ବ ଦୌଡ଼କୁଦ ଆୟୋଜନ କରିବାର ଗୌରବ ଅର୍ଜନ କରିବ। ୧୦ ଦିନ ଧରି ୨୪ ଇଭେଣ୍ଟରେ ୨୧୦ ଦେଶର ୧୯୦୦ ବଛା ବଛା ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିବେ। ଅନ୍ତର୍ଜାତୀୟ ଦୌଡ଼କୁଦ ମହାସଂଘ (ଆଇଏଏଏଫ୍‌)ର ନୂଆ ପୁରୁଷ ହର୍ମୋନ ନିୟମ ପାଇଁ ଦକ୍ଷିଣ ଆଫ୍ରିକାର ଚର୍ଚିତ ଧାବିକା କାଷ୍ଟର ସିମେନ୍ୟାଙ୍କୁ ଏଥର ଦେଖିବାକୁ ମିଳିବ ନାହିଁ। ଦୋହା ଖଲିଫା ଅନ୍ତର୍ଜାତୀୟ ବହୁମୁଖୀ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତା ଅବସରରେ ୨ ଲକ୍ଷ କ୍ରୀଡ଼ା‌ ପ୍ରେମୀ ପ୍ରତିଦ୍ବନ୍ଦ୍ବିତାର ମଜା ନେବେ।

ଭାରତର ଆଶା କମ୍
ଭାରତ ଏଥର କେତେକ ତାରକା ଖେଳାଳିଙ୍କ ବିନା ହିଁ ‌ଦୋହା ଯାଇଛି। ଆଘାତ ଜନିତ ସମସ୍ୟା ପାଇଁ ଦୁଇ ଜଣ ସମ୍ଭାବ୍ୟ ପଦକ ବିଜେତା ନୀରଜ ଚୋପ୍ରା ଓ ହିମା ଦାସ ଭାରତୀୟ ଦଳରେ ନାହାନ୍ତି। ବିଶ୍ବ ଦୌଡ଼କୁଦରେ ପ୍ରଥମ ଥର ପାଇଁ ସାମିଲ ହୋଇଥିବା ୪ ଗୁଣା ୪୦୦ ରିଲେରେ କେବଳ ଯାହା ଭାରତର କ୍ଷୀଣ ଆଶା ରହିଛି। ୪୦୦ ମିଟରରେ ମହମ୍ମଦ ଆନସ ବି ଖେଳିବେନି। ଅବଶ୍ୟ ଲମ୍ବଡିଆରେ ଏଥର କେରଳର ଏମ ଶ୍ରୀଶଙ୍କର କିଛିଟା କମାଲ କରିପାରନ୍ତି। ୨୦୦୩ରେ ଅଞ୍ଜୁ ବବି ଜର୍ଜ ମହିଳା ଲମ୍ବ ଡିଆଁରେ କାଂସ୍ୟ ପଦକ ଜିତିବା ଭାରତର ଏକମାତ୍ର ପଦକ ହୋଇରହିଛି। ୨୦୧୭ରେ କେବଳ ପୁରୁଷ ଜାଭେଲିନରେ ଦେବୀନ୍ଦର ସିଂହ କାଙ୍ଗା ଏକମାତ୍ର ଭାରତୀୟ ଭାବେ ଫାଇନାଲରେ ପ୍ରବେଶ କରିଥିଲେ। ହେଲେ ସେ ପଦକ ଜିତିବାକୁ ସକ୍ଷମ ହୋଇ ନଥିଲେ। ମାରାଥନର ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ।

ଶନିବାର ଓହ୍ଲାଇବେ ଦୂତି
ଭାରତର ଅନ୍ୟ ଖେଳାଳିଙ୍କ ଅପେକ୍ଷା ଦୌଡ଼ରାଣୀ ଦୂତି ଚାନ୍ଦଙ୍କ ଉପରେ ସମସ୍ତଙ୍କ ଅଧିକ ନଜର ରହିବ। ଦୂତି ଏଆଇଏଫଏଫର ଆମନ୍ତ୍ରଣ କ୍ରମେ ଏହି ପ୍ରତିଯୋଗିତା ଖେଳିବେ। ସେ ମହିଳା ୧୦୦ ମିଟରରେ ପ୍ରତିଦ୍ବନ୍ଦ୍ବିତା କରିବେ। ସେ ଶନିବାର ମହିଳା ୧୦୦ ମିଟରର ହିଟରେ ଅବତୀର୍ଣ୍ଣ ହେବେ। ଦୂତି ଏଠାରେ ଟୋକିଓ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିବାକୁ ଚେଷ୍ଟା କରିବେ। ଦୂତି ଶନିବାର ପଡ଼ିଆକୁ ଓହ୍ଲାଇବେ। ଶନିବାର ସଂଧ୍ୟା ୭ଟାରେ ସେମିଫାଇନାଲ୍ ଟିକେଟ ପାଇଁ ଲଢ଼ିବେ। ପଦକ ସହ ଟୋକିଓ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିବାକୁ ଚେଷ୍ଟା କରିବେ। ଏହା ପୂର୍ବରୁ ଦୋହାରେ ଆୟୋଜିତ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଦୂତି କାଂସ୍ୟ ପଦକ ପାଇଥିଲେ।

ସମ୍ବନ୍ଧିତ ଖବର