୨୦ ଲକ୍ଷ ଟଙ୍କା ସଂଗ୍ରହ କଲା ମହିଳା ହକି ଦଳ

ବେଙ୍ଗାଲୁରୁ: ‌ମହାମାରୀ କରୋନା ବିପକ୍ଷ ଲଢ଼େଇରେ ସହଯୋଗ ଲାଗି ଭାରତୀୟ ମହିଳା ହକି ଦଳ ୨୦ ଲକ୍ଷ ଟଙ୍କା ସଂଗ୍ରହ କରିଛି। ଭାରତୀୟ ଦଳ ୧୮ ଦିନିଆ ‘ଫିଟ୍‌ନେସ୍ ଚ୍ୟାଲେଞ୍ଜ’ ମାଧ୍ୟମରେ ଏହି ଅର୍ଥ ସଂଗ୍ରହ କରିଛି। ଏହି ଚ୍ୟାଲେଞ୍ଜ ମେ ୩ ତାରିଖରେ ଶେଷ ହୋଇଥିଲା ବେଳେ ମୋଟ ୨୦,୦୧,୧୩୦ ଟଙ୍କା ସଂଗ୍ରହ ହୋଇଥିଲା। ଏହି ପାଣ୍ଠିକୁ ଦିଲ୍ଲୀସ୍ଥିତ ଏନ୍‌ଜିଓ ଉଦୟ ଫାଉଣ୍ଡେସନକୁ ଦାନ କରାଯାଇଛି। ଏହି ପାଣ୍ଠି ବିଭିନ୍ନ ସ୍ଥାନରେ ରୋଗୀ, ପ୍ରବାସୀ ଶ୍ରମିକ ଏବଂ ବସ୍ତି ବାସିନ୍ଦାଙ୍କ ମୌଳିକ ଆବଶ୍ୟକତା ଯୋଗାଇବା ପାଇଁ ବ୍ୟବହୃତ ହେବ।

‘‘ଆମର ଏହି କାଯ୍ୟକ୍ରମକୁ ଅତ୍ୟଧିକ ମାତ୍ରାରେ ପ୍ରତିକ୍ରିୟା ମିଳିଥିଲା। ବିଶ୍ବର ବିଭିନ୍ନ ସ୍ଥାନରେ ଥିବା ହକିପ୍ରେମୀ ଆମର ଏହି ଫିଟ୍‌ନେସ୍‌ ଚ୍ୟାଲେଞ୍ଜରେ ଭାଗନେବା ସହ ସହଯୋଗ କରିଥିଲେ। ଭାରତୀୟ ମହିଳା ଦଳ ତରଫରୁ ମୁଁ ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏହି ପଦକ୍ଷେପରେ ଭାଗ ନେଇଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି।’’ ବୋଲି ଅଧିନାୟିକା ରାଣୀ ରାମପାଲ କହିଛନ୍ତି। ଏହି ଚ୍ୟାଲେଞ୍ଜରେ ଦଳର ସଦସ୍ୟମାନେ ଜଡ଼ିତ ଥିଲେ। ଫିଟ୍‌ନେସ୍‌ ଟାସ୍କ ଅନୁଯାୟୀ ବର୍ପିଜ୍‌, ଲଙ୍ଗ୍ସ, ସ୍କ୍ୱାଟସ୍ ଠାରୁ ଆରମ୍ଭ କରି ସ୍ପାଇଡର୍ ମ୍ୟାନ୍ ପୁସ୍ଅପ୍, ପୋଗୋ ହପ୍ ଏବଂ ଅନ୍ୟାନ୍ୟ ବ୍ୟାୟାମ କରିଥିଲେ। ପ୍ରତ୍ୟେକ ଦିନ ଜଣେ ଖେଳାଳି ନୂଆ ଚ୍ୟାଲେଞ୍ଜ ଦେବା ସହ ସ‌ାମାଜିକ ଗଣମାଧ୍ୟମରେ ୧୦ ଜଣଙ୍କୁ ଟ୍ୟାଗ୍‌ କରି ଚ୍ୟାଲେଞ୍ଜକୁ ଗ୍ରହଣ କରିବା ଓ ପାଣ୍ଠି ପାଇଁ ୧୦୦ ଟଙ୍କା ଦାନ କରିବାକୁ କହିଥିଲେ।

ସମ୍ବନ୍ଧିତ ଖବର