ଆଦିବାସୀ ଓ ବଙ୍ଗୀୟ କାର୍ଡ ଖେଳିଲା ବିଜେପି: ମିଶ୍ରମ ପର୍ବରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ 

ମାଲକାନଗିରି: ଭାରତୀୟ ଜନତା ପାର୍ଟି (ବିଜେପି) କାର୍ଯ୍ୟାଳୟ ଠାରେ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳ ଶକ୍ତି ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମୁଖ୍ୟ ଅତିଥି ଯୋଗ ଦେଇଥିବା ବେଳେ ସମାନ୍ନିତ ଅତିଥି ଭାବେ ଜିଲ୍ଲା ସଭାପତି ନିମାଇଁ ଚନ୍ଦ୍ର ପାଲ, ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝି, ବିଧାୟକ ପ୍ରାର୍ଥୀ ନରସିଂହ ମାଡ଼କାମୀ, ସିନେ ନାୟିକା ବିଦୁସ୍ମିତା ମନ୍ତ୍ରୀ, ପୂର୍ବତନ ଜିଲ୍ଲା ସଭାପତି ଅଶୋକ ପରିଡ଼ା, ସ୍ଵତନ୍ତ୍ର ନିମନ୍ତ୍ରିତ ସଦସ୍ୟ କମଲେଶ ରାୟ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ।
ଜିଲ୍ଲା ସମ୍ପାଦକ ଭବାନୀ ଶଙ୍କର ମୁଖାର୍ଜୀ ମଞ୍ଚ ପରିଚାଳନା କରିଥିଲେ। ମହା ମିଶ୍ରଣ ପର୍ବରେ ମାଲକାନଗିରି ଜିଲ୍ଲା କଂଗ୍ରେସ ଦଳର ଟାଣୁଆ ନେତା ତଥା ପୂର୍ବତନ ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟ ଉଙ୍ଗା ପୋଡ଼ିଆମି ତାଙ୍କର ୩୦୦ରୁ ଊର୍ଦ୍ଧ୍ବ ସମର୍ଥକଙ୍କ ସହିତ ବିଜେପିରେ ସାମିଲ ହୋଇଥିଲେ। ତମସା ସରପଞ୍ଚ ଗୀତା ପୋଡ଼ିଆମି ବିଜେପି ଦଳରେ ସାମିଲ ହୋଇଛନ୍ତି। କାଲିମେଳା ବ୍ଲକର ଟାଣୁଆ ବିଜେଡି ନେତା କାର୍ତ୍ତିକ ଦେବନାଥ ଓ ହରବନ୍ଧୁ ନାୟକ ସେମାନଙ୍କ ୫୦୦ରୁ ଊର୍ଦ୍ଧ୍ବ ସମର୍ଥକଙ୍କ ସହିତ ବିଜେପିରେ ସାମିଲ ହେଲେ।
ଅବସରପ୍ରାପ୍ତ ଏଏସଆଇ ଭାଗିରଥି ଦଳେଇ ମଧ୍ୟ ବିଜେପିରେ ଯୋଗଦାନ କଲେ। ଅବସରପ୍ରାପ୍ତ ସହ ଗୋଷ୍ଠୀ ଶିକ୍ଷାଧିକାରୀ ସଞ୍ଜୟ କୁମାର ମାଲାକାର ମଧ୍ୟ ଆଜି ବିଜେପିରେ ଯୋଗଦାନ କଲେ। ଏଥିସହ ପାଣ୍ଡ୍ରିପାଣି ମଣ୍ଡଳୀରୁ କଂଗ୍ରେସରୁ ୧୩, ପଦ୍ମଗିରି ମଣ୍ଡଳୀରୁ ୪୦, କୋରୁକୋଣ୍ଡା ମଣ୍ଡଳୀରୁ ୫୦ରୁ ଅଧିକ ବିଜେଡିରୁ ବିଜେପିରେ ସାମିଲ ହେଲେ। ମାଣିକଲାଲ ଚକ୍ରବର୍ତ୍ତୀ, ଗଙ୍ଗାଧର ସୋଡି, ନିହାର ରାୟ, ନିରଞ୍ଜନ ହାଲଦାର, ଅଶୋକ ବୈଦ୍ୟ, ନବଘନ ଲୋକେଇ, ବାଲାଜୀ ପୋଡ଼ାଲ, ରାହୁଲ ତିୱାରୀ, ସଞ୍ଜୟ ସରକାର, ବିଜୟ ମହାରଣା, ରତନ ବଣିକ, ସତ୍ୟ ସରନ ପାଲ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।
ସେହିପରି ଆଜି ପୋଟେରୁ ଏବଂ ଏମଭି-୩୦ ଗ୍ରାମରେ କେନ୍ଦ୍ରମନ୍ତ୍ରୀ ସାନ୍ତୁନୁ ଠାକୁର ପହଞ୍ଚି ମତୁଆ ସଂପ୍ରଦାୟଲ ଲୋକଙ୍କୁ ଭୋଟ ଭିକ୍ଷା କରିଥିଲେ। ଶ୍ରୀ ଠାକୁର ମତୁଆ ସଂପ୍ରଦାୟର ରାଷ୍ଟ୍ରୀୟ ସଭାପତି ରହିଥିବା ବେଳେ ସେ ମତୁଆଙ୍କୁ ବିଜେପିରେ ଭୋଟ ଦେବାକୁ ଅନୁରୋଧ କରିଥିଲେ। ବିଜେପି ହିଁ ଏହି ସଂପ୍ରଦାୟର ଉନ୍ନତି ଚାହୁଁଥିବା କହିଥିଲେ। ଦେଶର ବିକାଶରେ ମୋଦୀ ସରକାରଙ୍କର କେତେ ଭୁମିକା ରହିଛି ସମସ୍ତେ ଜାଣିଛନ୍ତି ବୋଲି କହିଥିଲେ। ରାଜ୍ୟରେ ମଧ୍ୟ ବିଜେପି ସରକାର ଗଢିଲେ ଜିଲ୍ଲାରେ ରହିଥିବା ବଂଗୀୟ ସଂପ୍ରଦାୟର ଉନ୍ନତି ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମୋଦୀଙ୍କ ଗ୍ୟାରେଣ୍ଟ କାର୍ଡରେ କାହାର ମଧ୍ୟ ସଂଦେହ ରହିବା କଥା ନୁହେଁ। ବେଜିପି କଣ କରୁଛି ଓ ଆଗକୁ କଣ କରିବ ତାହା ଲୋକଙ୍କୁ ଦେଖାଇବ ବୋଲି ଶ୍ରୀ ଠାକୁର କହିଥିଲେ। ଦେଶରେ ସିଏଏ ଲାଗୁ କରି ବଂଗୀୟମାନଙ୍କୁ ନାଗରିକତ୍ବ ପ୍ରଦାନ କରିଛନ୍ତି। ଜିଲ୍ଲାରେ ବଂଗୀୟ ଶିକ୍ଷକ କୌଣସି ସ୍କୁଲରେ ନାହାନ୍ତି। ବଂଗୀୟ ସ୍କୁଲ ନାହିଁ। ଲୋକେ ପାଣି, ରାସ୍ତା, ସ୍ବାସ୍ଥ୍ୟ ପାଇଁ ନାହିଁ ନଥିବା ହଇରାଣ ହେଉଥିବା କହିଥିଲେ।
ସମ୍ବନ୍ଧିତ ଖବର