ଜୟପୁରରେ ୧୦ ହଜାରରୁ ଊର୍ଦ୍ଧ୍ବ ନୂଆ ମତଦାତା: କାହା ସପକ୍ଷରେ ଯିବ ଭୋଟ, ବ୍ୟକ୍ତିତ୍ବ ଓ ବିକାଶକୁ ପ୍ରାଥମିକତା

ଜୟପୁର: ଏଥର ୧୦ ହଜାର ୯୩୨ ନୂଆ ମତଦାତା ଏଥରର ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ସାଧାରଣ ନିର୍ବାଚନରେ ପ୍ରଥମ ଥର ଲାଗି ଭୋଟ ଦେବେ ଛାତ୍ରଛାତ୍ରୀ ଏବଂ ଯୁବକ। ଜୟପୁର ନିର୍ବାଚନମଣ୍ଡଳୀରେ ଏମାନଙ୍କ ସଂଖ୍ୟା ହେଉଛି ୨.୪୫ ପ୍ରତିଶତ, ଯାହା ମତଦାନ ହାର ସହ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣକୁ ପ୍ରଭାବିତ କରିବା ସମ୍ଭାବନା ରହିଛି। ଦଳୀୟ ରାଜନୀତି, ମିଥ୍ୟା ପ୍ରତିଶ୍ରୁତି କିମ୍ବା ପ୍ରଲୋଭନରେ ନପଡ଼ି ବିଧାୟକ ଏବଂ ସାଂସଦ ଚୟନ କରାଯିବ। ମତଦାନ ବେଳେ ବ୍ୟକ୍ତିତ୍ବ, ଶିକ୍ଷା, ବିକାଶ ଏବଂ ରୋଜଗାରକୁ ପ୍ରାଥମିକତା ଦିଆଯିବ ବୋଲି ଅନେକ କଲେଜ ପଢ଼ୁଆ ଛାତ୍ରଛାତ୍ରୀ କହିଛନ୍ତି।

ପ୍ରଥମ ପର୍ଯ୍ୟାୟ ଅର୍ଥାତ ମେ’ ୧୩ରେ ଅବିଭକ୍ତ କୋରାପୁଟର ୨ଟି ସଂସଦୀୟ ଏବଂ ୧୪ଟି ବିଧାନସଭା ଲାଗି ମତଦାନ ହେବ। ଏ ଭିତରେ ବିଜେଡ଼ି ଏବଂ ବିଜେପି ପକ୍ଷରୁ ସାଂସଦ ପ୍ରାର୍ଥୀ ଘୋଷଣା କରାଯାଇଛି। ଜୟପୁର ବିଧାନସଭା କ୍ଷେତ୍ରର କଂଗ୍ରେସର ପ୍ରାର୍ଥୀ ଭାବେ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନାଁ ଘୋଷଣା ହୋଇଥିବା ବେଳେ ବିଜେଡି ଓ ବିଜେପିର ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନି। ଜିଲ୍ଲା ପ୍ରଶାସନ ପକ୍ଷରୁ ଅବାଧ ନିର୍ବାଚନ ଲାଗି ପ୍ରସ୍ତୁତି ଜୋରଦାର କରାଯାଇଛି। ୨୦୨୪ ଜାନୁଆରି ୫ରେ ପ୍ରକାଶ ପାଇଥିବା ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ ଏଥର ୧୪୩- ଜୟପୁର ନିର୍ବାଚନମଣ୍ଡଳୀର ୨ ଲକ୍ଷ ୧୧ ହଜାର ୯୦୮ ଜଣ ମତଦାନ କରିବେ। ସେମାନଙ୍କ ମଧ୍ୟରୁ ପ୍ରଥମ ଥର ଲାଗି ଭୋଟ ଦେବେ(୧୮-୧୯ ବର୍ଷୀୟ) ୪ ହଜାର ୮୬୬। ଯାହା ୨.୩ ପ୍ରତିଶତ। ସେଥିମଧ୍ୟରେ ପୁରୁଷ ଭୋଟରଙ୍କ ସଂଖ୍ୟା ୨ ହଜାର ୬୮୩ ହୋଇଥିବା ବେଳେ ମହିଳା ଅଛନ୍ତି ୨ ହଜାର ୧୮୩। ବରିଷ୍ଠ( ୮୫ ବର୍ଷରୁ ଅଧିକ)ଙ୍କ ସଂଖ୍ୟା ହେଉଛି ୯୪୦। ସେହିପରି ୧୪୨-କୋଟପାଡ଼ ନିର୍ବାଚନମଣ୍ଡଳୀରେ ଅଛନ୍ତି ୨ ଲକ୍ଷ ୮ ହଜାର ୨୮୩ ଭୋଟର। ଯୁବକ(୧୮-୧୯ ବର୍ଷୀୟ) ଭୋଟରଙ୍କ ସଂଖ୍ୟା ହେଉଛି ୫ ହଜାର ୪୩୭। ହାର ରହିଛି ୨.୬ ପ୍ରତିଶତ। ୩ ହଜାର ୩୩ ପୁରୁଷ ଏବଂ ୨ ହଜାର ୪୦୪ ଭୋଟର ପ୍ରଥମ କରି ଭୋଟ ଦେବେ। ୯୩୦ ଜଣ ବରିଷ୍ଠ(୮୫ ବର୍ଷରୁ ଅଧିକ) ବି ଭୋଟ ଦେବେ।

ପ୍ରାୟ ୫ ହଜାର ନୂଆ ଭୋଟର ଏଥର ପ୍ରଥମ ଥର ଲାଗି ଭୋଟ ଦେବେ। ଛାତ୍ର ଛାତ୍ରୀ ଏବଂ ଯୁବକ ଏକତରଫା ଭୋଟିଂ କଲେ ହାରଜିତ ପ୍ରଭାବିତ ହେବ। ବିଭିନ୍ନ ଦଳ ପକ୍ଷରୁ ଏହାକୁ ଗୁରୁତର ସହ ନିଆଯାଉଛି। ଯୁବା ଏବଂ ଛାତ୍ରଛାତ୍ରୀଙ୍କୁ ସଂଗଠିତ ରଖିବାକୁ ଫୋକସରେ ରଖିଛନ୍ତି। ଛାତ୍ର ଛାତ୍ରୀ କୌଣସି ଦଳ ପ୍ରତି ଅନୁପ୍ରାଣିତ ହେବା ଭଳି ଦେଖାଯାଉନି। ଅଧିକାଂଶ କହିଛନ୍ତି, ପ୍ରଥମ ଥର ଭୋଟ ଦେବାକୁ ଯାଉଥିବାରୁ ଭାବିଚିନ୍ତି ମତଦାନ କରିବେ। କୌଣସି ଦଳ ପ୍ରତି ଆନୁଗତ୍ୟ ରହିବନି। ଛାତ୍ରଛାତ୍ରୀଙ୍କ ସ୍ବାର୍ଥ, ଅଞ୍ଚଳର ବିକାଶ, ଶିକ୍ଷା ଏବଂ ରୋଜଗାର ପ୍ରତି ଯେଉଁ ଦଳ ଗୁରୁତ୍ବ ଦେବ-ଭୋଟ ଦେବା ବେଳେ ଭକ୍ତ ଦଳର ପ୍ରାର୍ଥୀଙ୍କୁ ପ୍ରାଥମିକତା ଦିଆଯିବ। ପ୍ରାର୍ଥୀ କିମ୍ବା ଦଳୀୟ ଏଜେଣ୍ଡା ମନକୁ ନପାଇଲେ ସ୍ବାଧୀନଙ୍କୁ ଭୋଟ ଦିଆଯିବ। ଦରକାର ହେଲେ ନୋଟା ସୁଇଚ୍ ଚିପିବାକୁ ପଛାଇବେନି। ନୂଆ ଭୋଟରଙ୍କ ଏଭଳି ଆଭିମୁଖ୍ୟ ରାଜନୈତିକ ଦଳଗୁଡ଼ିକୁ ଅଡୁଆରେ ପକାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି।

 

ସମ୍ବନ୍ଧିତ ଖବର