୧୨ ଫୁଟିଆ ଅହିରାଜ ଉଦ୍ଧାର

ଭଞ୍ଜନଗର: ଗ୍ରାମ ନିକଟରେ ୧୨ ଫୁଟରୁ ଅଧିକ ଲମ୍ବା ଅହିରାଜ। ପୂର୍ବରୁ ଏଭଳି ‌ସାପ ଆଖପାଖରେ ଦେଖିବାକୁ ମିଳିନଥିଲା ବେଳେ ଏତେବଡ଼ ସାପକୁ ଦେଖି ସ୍ଥାନୀୟ ଲୋକ‌େ ଭୟଭୀତ ହୋଇ ପଡିଥିଲେ। ଗତ କିଛି ଦିନ ଧରି ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜର ବେଣାକୁନ୍ଦା ଗ୍ରାମ ନିକଟରେ ଏଭଳି ଏକ ବିରାଟକାୟ ଅହିରାଜ ସାପ ଘୂରି ବୁଲୁଥିବା ଖବର ଆସୁଥିବା ବେଳେ ଆଜି ତାକୁ ଉଦ୍ଧାର କରାଯାଇଛି। କିଛି କ୍ଷଣ ପାଇଁ ଦେଖା ଦେବା ପରେ କେଉଁଆଡେ ଅନ୍ତର୍ଦ୍ଦାନ ହେଉଯାଉଥିବା ସ୍ଥାନୀୟ ଲୋକ‌େ ପ୍ରକାଶ କରୁଥିଲେ। କେହି କେହି ନିଜ ମୋବାଇଲରେ ଫଟୋ ମଧ୍ୟ ଉଠାଉଥିଲେ କିନ୍ତୁ ତାକୁ ଉଦ୍ଧାର କରାଯାଇ ପାରୁନଥିଲା।

ଆଜି ଅପରାହ୍ନ ସମୟରେ ଗ୍ରାମ ଠାରୁ କିଛି ଦୂର ଏକ ବାଉଁଶବୁଦା ମୂଳରେ ସେହି ବିରାଟ ଅହିରାଜ ସାପକୁ ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। ଦୀର୍ଘ ୪ ଦିନ ହେବ ନିକଟସ୍ଥ ଜଙ୍ଗଲରୁ ଏହି ସାପଟି ଆସି ଗ୍ରାମର ବିଭିନ୍ନ ସ୍ଥାନରେ ବିଚରଣ କରୁଥିଲା। ଏତେ ବଡ ସାପକୁ ଦେଖି ଗ୍ରାମବାସୀମାନେ ଭୟଭୀତ ହୋଇ ପଡିଥିଲେ। ରାତିରେ ଯିବା ଆସିବା କରିବା ସମୟରେ ତଥା ପିଲାମାନଙ୍କୁ ଏଣେତେଣ‌େ ବୁଲିବା ସମୟରେ ସାବଧାନତା ଅବଲମ୍ବନ କରିବାକୁ କୁହାଯାଇଥିଲା। ବୁଧବାର ଅପରାହ୍ନରେ ସାପଟି କେନାଲ ନିକଟ ବାଉଁଶବୁଦାରେ ରହିଥିବା ଦେଖି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ଏହା ପରେ ସେଠାରେ ପ୍ରାକ୍ତନ ରେଞ୍ଜର ଅନୁପମ ବାନାର୍ଜୀ, ସେକ୍ନ ହେଲ୍ପ ଲାଇନ ସଦସ୍ୟ ସଞ୍ଜୟ କୁମାର ସ୍ୱାଇଁ, କେଦାର ନାଥ ମଲ୍ଲିକ ପହଞ୍ଚି ସାପଟିକୁ ବିଭିନ୍ନ କୌଶଳ କ୍ରମେ ଉଦ୍ଧାର କରିଥିଲେ। ପରେ ଏକ ଜରି ଅଖାରେ ଭର୍ତ୍ତି କରି ନିରାପଦ ଭାବେ ବିଞ୍ଜଗିରି ବିଟ୍ର କଳାକାଠି ମୁଣ୍ଡିଆ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡି ଥିଲେ। ସାପଟିର ଲମ୍ବ ପ୍ରାୟ ୧୨ଫୁଟରୁ ଉର୍ଦ୍ଧ୍ବ ହେବ ବୋଲି ପ୍ରାକ୍ତନ ରେଞ୍ଜର ଶ୍ରୀ ବାନାର୍ଜୀ ସୂଚନା ଦେଇଛନ୍ତି। ଏଥିସହ ଏହି ଅଞ୍ଚଳରେ ପୂର୍ବରୁ ଏହି ପ୍ରଜାତିର ସାପଙ୍କୁ ଦେଖିବାକୁ ମିଳୁନଥିବା ବେଳେ ଜନବସତି ନିକଟରୁ ଏଭଳି ଉଦ୍ଧାର ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏମାନଙ୍କ ସୁରକ୍ଷା କରିବା ନିତ୍ୟାନ୍ତ ଜରୁରୀ ବୋଲି ଶ୍ରୀ ବାନାର୍ଜି ପ୍ରକାଶ କରିଛନ୍ତି।

 

ସମ୍ବନ୍ଧିତ ଖବର