ଭୁବନେଶ୍ୱରରୁ ପୁଣି ୨୧୫ କରୋନା ପଜିଟିଭ ଚିହ୍ନଟ, ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୨୩୬୫

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ କ୍ରମଶଃ ସଙ୍ଗୀନ ସ୍ଥିତିକୁ ଗତି କରୁଛି। ଗତକାଲି ୧୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ପାର କରିଛି।  ଭୁବନେଶ୍ବର ମହାନଗର ନିଗମ ଟୁଇଟ୍ କରି ଜଣାଉଛି କି ରାଜଧାନୀରୁ ଆଜି ୨୧୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୫୦ ଜଣ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୬୫ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ଗତ ମାର୍ଚ୍ଚ ୧୫ ତାରିଖରେ ବିଦେଶ ଫେରନ୍ତା ଜଣେ ଯୁବକ ପ୍ରଥମ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଥିଲେ। ଏ ପର୍ଯ୍ୟନ୍ତ ଭୁବନେଶ୍ୱରରେ ୨୩୬୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୧୪୧ ଜଣ ସୁସ୍ଥ ହୋଇଥିବା ବେଳେ ୧୨୦୯ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। କିନ୍ତୁ ଦୁଃଖର କଥା ହେଲା ଯେ, ୧୩ ଜଣଙ୍କର ମୃତ୍ୟୁ ହୋଇଛି।

ଆଜି ୟୁନିଟ-୯ ବସ୍ତିର ବାୟାବାବା ମଠ ନିକଟ ବସ୍ତିରୁ ସର୍ବାଧିକ ୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୮ ଜଣ ମହିଳା ଅଛନ୍ତି ଓ  ସେମାନଙ୍କର ବୟସ ୨୪ରୁ ୬୪ ବର୍ଷ ମଧ୍ୟରେ ରହିଛି।  ସେହିପରି ଏକ ଘରୋଇ ହସ୍‌ପିଟାଲରୁ ଜଣେ ୩୧ ବର୍ଷୀୟ ମହିଳା କର୍ମଚାରୀଙ୍କ ସମେତ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟ ପକ୍ଷରେ ସାଲିଆ ସାହିରୁ ମଧ୍ୟ ଆଜି ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଇଗିଣିଆରୁ ୧୦ ଜଣ ଆକ୍ରାନ୍ତ  ହୋଇଥିବା ଜଣାପଡ଼ିଛି । ଏମାନେ ସମସ୍ତେ ପୂର୍ବରୁ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ।

ସମ୍ବନ୍ଧିତ ଖବର