ବିଏମସିର ନୂଆ ବିଲଡିଂ ଏବଂ ଓ ହବ ପରିଦର୍ଶନ କଲେ ୫-ଟି ସଚିବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ଆଜି ସତ୍ୟନଗରରେ ନିର୍ମାଣାଧୀନ ବିଏମସିର ନୂଆ ବିଲଡିଂ ଏବଂ ଓ ହବ ପରିଦର୍ଶନ କରି ଅଗ୍ରଗତିର ସମୀକ୍ଷା କରିଛନ୍ତି। ନୂତନ ବିକାଶ କେନ୍ଦ୍ରଗୁଡ଼ିକ କାର୍ଯ୍ୟକ୍ଷମ ହେବା ପାଇଁ ଆବଶ୍ୟକ କାର୍ଯ୍ୟର ଠିକ୍ ସମୟରେ ସମାପ୍ତ ହେବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି। ପ୍ରଥମ ଥର ପାଇଁ ଓଡ଼ିଶାରେ ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା କରିବାକୁ ଆଇବିଏମ ଓ ଡେଲୋଏଟ ଭଳି ବହୁରାଷ୍ଟ୍ରୀୟ କମ୍ପାନି ଆଗ୍ରହ ପ୍ରକାଶ କରିଛନ୍ତି ।
ଭୁବନେଶ୍ୱରରେ ବହୁରାଷ୍ଟ୍ରୀୟ କମ୍ପାନିମାନଙ୍କର ଏତେ ବଡ଼ ବିକାଶ କେନ୍ଦ୍ର ଖୋଲିବା ଦ୍ବାରା ଯୁବକମାନଙ୍କ ପାଇଁ ବଡ଼ ଚାକିରି ସୁଯୋଗ ସୃଷ୍ଟି କରିବ। ଉଭୟ ବହୁରାଷ୍ଟ୍ରୀୟ କମ୍ପାନି ପ୍ରଥମ ଥର ପାଇଁ ଓଡିଶାରେ ପାଦ ରଖିଛନ୍ତି ଏବଂ ଉଭୟ କେନ୍ଦ୍ର ୨୦୨୨ ଅକ୍ଟୋବର ମଧ୍ୟଭାଗ ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁ ଲକ୍ଷ୍ୟ ରଖାଯାଇଛି।
ଏହାସହ ସେ ଭୁବନେଶ୍ବର ସ୍ମାର୍ଟସିଟି କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର କାର୍ଯ୍ୟର ଅଗ୍ରଗତି ନେଇ ସନ୍ତୋଷ ପ୍ରକାଶ କରିଛନ୍ତି । ଏଠାରେ ସାଧାରଣ ଲୋକଙ୍କ ପାଇଁ ମିଟିଂ ହଲ୍, କ୍ୟାଣ୍ଟିନ ଓ ପାର୍କିଂ ବ୍ୟବସ୍ଥା କରିବାକୁ ସେ ଗୁରୁତ୍ବ ଦେଇଛନ୍ତି। ‘ଓ’ ହବରେ ଦ୍ବିତୀୟ ଟାୱାର ନିର୍ମାଣକୁ ସେ ପ୍ରାଧାନ୍ୟ ଦେଇଛନ୍ତି।


ସେଠାରେ ଇନକ୍ୟୁବେସନ ସେଣ୍ଟର ସହ ଷ୍ଟାଟଅପ ପାଇଁ ଆବଶ୍ୟକ ଜାଗା ଯୋଗାଇବାକୁ ଗୁରୁତ୍ବ ଦେଇଛନ୍ତି। ଇନଫୋସିଟି ଅଞ୍ଚଳରେ ବହୁତଳ ବିଶିଷ୍ଟ ପାର୍କିଂ ବ୍ୟବସ୍ଥା କରିବାକୁ ୫- ଟି ସଚିବ ପରାମର୍ଶ ଦେଇଛନ୍ତି। ଏହାଦ୍ବାରା ଆଇଟି କମ୍ପାନିଗୁଡ଼ିକର ପାର୍କିଂ ସମସ୍ୟା ଦୂର ହେବ।
ଏହି ପରିଦର୍ଶନ ସମୟରେ ଶ୍ରୀ ପାଣ୍ଡିଆନଙ୍କ ସହ ଶିଳ୍ପ ସଚିବ ହେମନ୍ତ ଶର୍ମା, ଇ ଆଣ୍ଡ ଆଇଟି ସଚିବ ମନୋଜ ମିଶ୍ର, ବିଏସସିଏଲ ଅଧ୍ୟକ୍ଷ ସଞ୍ଜୟ ସିଂ, ବିଏମସି କମିସନର ବିଜୟ ଅମୃତ କୁଲାଙ୍ଗେ ଏବଂ ଇଡକୋର ପରିଚାଳନା ନିର୍ଦେଶକ ଭୁପିନ୍ଦର ସିଂ ପୁନିଆଙ୍କ ସମେତ ସମ୍ପୃକ୍ତ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର