ସୋସିଆଲ୍‌ ମିଡିଆରେ ନିଜ ଝିଅର ଫଟୋ ସେୟାର କରି ଏପରି ଲେଖିଲେ ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ: କିଛି ମାସ ତଳେ ‘ସରୋଗେସି’ ଜରିଆରେ ମାଆ ବନିଥିବା ବଲିଉଡ୍‌ ତଥା ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ତାଙ୍କ ଶିଶୁ କନ୍ୟାର ଫଟୋକୁ ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ୍‌ କରିଛନ୍ତି। ସେ ତାଙ୍କ ଝିଅ ମାଳତୀ ମ୍ୟାରି ଚେପ୍ରା ଜୋନ୍‌ସର ୨ଟି ଫଟୋ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ସେୟାର କରି ଲେଖିଛନ୍ତି, ‘ଅନ୍ୟ କାହାକୁ ଏତେ ଭଲ ପାଉନଥିବା ପରି ପ୍ରେମ’।

ପ୍ରଥମ ଫଟୋରେ ସେ ତାଙ୍କ ଝିଅ ମାଳତୀଙ୍କୁ ନିଜ‌ କୋଳରେ ଧରିଥିବା ବେଳେ ଦ୍ବିତୀୟ ଫଟୋରେ ମାଳତୀ ତ‌ାଙ୍କ କୁନି କୁନି ପାଦକୁ ପ୍ରିୟଙ୍କାଙ୍କ ମୁହଁରେ ଥୋଇଥିବାର ଦେଖିବାକୁ ମିଳିଛି। ତେବେ ସେୟାର କରିଥିବା ୨ଟି ଯାକ ଫଟୋରେ ପ୍ରିୟଙ୍କା ତାଙ୍କ ଶିଶୁ କନ୍ୟାର ମୁହଁ ଦେଖାଇ ନାହାନ୍ତି। ଉଭୟ ମାଆ ଓ ଝିଅ ଫଟୋରେ ଧଳା ପୋଷାକ ପିନ୍ଧିଥିବାର ଦେଖିବାକୁ ମିଳିଛନ୍ତି।

୨୦୧୮ରେ ବିବାହ କରିଥିବା ପ୍ରିୟଙ୍କା ଏବଂ ନିକ୍‌ ଜୋନ୍‌ସଙ୍କର ଏହା ହେଉଛି ପ୍ରଥମ ସନ୍ତାନ। ଗତ ଜାନୁଆରିରେ ମାଳତୀ ଜନ୍ମ ଗ୍ରହଣ କରିଥିବା ବେ‌ଳେ ତାଙ୍କ ଜନ୍ମ ହେବା ଖବର ପ୍ରଥମେ ଲୋକଙ୍କୁ ଦେଇଥିଲେ ନିଜେ ପ୍ରିୟଙ୍କା। ସେ ତାଙ୍କ ‘ଇନ୍‌ଷ୍ଟାଗ୍ରାମ୍‌’ରେ ଏକ ପୋଷ୍ଟ କରି  ଲେଖିଥିଲେ, ‘‘ସରୋଗେଟ୍‌’ ଜରିଆରେ ସନ୍ତାନଟିଏ ପାଇଥିବା କଥା ସୁନିଶ୍ଚିତ କରି ଆମେ ଆନନ୍ଦରେ ଅଧୀର ହୋଇପଡ଼ିଛୁ। ଏଭଳି ଗୁରୁତ୍ବପୂର୍ଣ୍ଣ ସମୟରେ ଆମେ ପରିବାର ଉପରେ ଧ୍ୟାନ ନିବଦ୍ଧ କରିଥିବାରୁ ଆମକୁ ଟିକେ ନିରୋଳାରେ ଛାଡ଼ିବାକୁ ସବିନୟ ଅନୁରୋଧ। ଆପଣମାନଙ୍କୁ ଅଶେଷ ଧନ୍ୟବାଦ।’ ନିକ୍‌ ଜୋନାସ୍‌ ମଧ୍ୟ ତାଙ୍କ ସୋସିଆଲ୍‌ ମିଡିଆ ପେଜ୍‌ରେ ଉକ୍ତ ପୋଷ୍ଟ୍‌କୁ ସେୟାର୍‌ କରିଥିଲେ।

ସମ୍ବନ୍ଧିତ ଖବର