୨ ବର୍ଷର ଶିଶୁକନ୍ୟାକୁ ନେଇ ଅଙ୍ଗନୱା‌ଡି ଦିଦିଙ୍କ ବିପଦପୂର୍ଣ୍ଣ  ଯାତ୍ରା, ସୃଷ୍ଟିକଲେ ଉଦାହରଣ

ପ୍ରତିଦିନ ଡଙ୍ଗାରେ ଜଳଭଣ୍ଡାର ଓ ୪ କିମି ଦୁର୍ଗମ ଜଙ୍ଗଲ ପାର ହୋଇ ଯାତ୍ରା

ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି : ନିଜ କର୍ତ୍ତବ୍ୟ  ପ୍ରତି ପଛଘୁଞ୍ଚା ନାହିଁ। ଜଣେ ମହିଳା  ୨ ବର୍ଷକ ଶିଶୁ କନ୍ୟାକୁ କୋଳରେ ବାନ୍ଧି ପ୍ରତି ଦିନ ଡଙ୍ଗାରେ ଜଳଭଣ୍ଡାର ଓ ଦୁର୍ଗମ ଜଙ୍ଗଲ ପାର ହୋଇ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି।  ସେହି ଜଙ୍ଗଲରେ ପୁଣି ଭାଲୁ, କଲରାପତରିଆବାଘ, ବାରହା ଭଳି ହିଂସ୍ରଜନ୍ତୁ ରହିଛନ୍ତି। ସେ  କୌଣସି ଉଚ୍ଚ ବେତନପ୍ରାପ୍ତ ସରକାରୀ କର୍ମଚାରୀ ନୁହନ୍ତି। ଏପରି ଏକ ଜ୍ବଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଞ୍ଚାୟତର ତଳଙ୍ଗ ଅଙ୍ଗନୱାଡି ଦିଦି ନନ୍ଦେଇ ଜାନୀ । ଦିଦିଙ୍କୁ ପୁଣି ସାହାଯ୍ୟ କରୁଛନ୍ତି ତାଙ୍କ ସ୍ବାମୀ ରଘୁନାଥ ଜାନୀ।

ତେନ୍ତୁଳିଖୁଣ୍ଟି ବ୍ଲକର ଖାତିଗୁଡା ନିକଟରେ ଇନ୍ଦ୍ରାବତୀ ଜଳଭଣ୍ଡାର ହେବା ପରେ ବ୍ଲକର ମଞ୍ଚାଗାଁ ପଞ୍ଚାୟତର ୫ ଖଣ୍ଡ ଗାଁ ଜଳଭଣ୍ଡାର ଆରପଟେ ରହିଯାଇଥିଲା। ଜଳଭଣ୍ଡାର ଆରପଟେ ମଞ୍ଚାଗାଁ ପଞ୍ଚାୟତର ତଳଙ୍ଗ ସମେତ ଗୁରୁମାଇଗୁଡା, ଟଙ୍ଗାଣିକୋଟ, ବାଗରା ଓ ଝଲାଗୁଡା ଗ୍ରାମ ରହିଛି।ଏହି ସମସ୍ତ ଗାଁକୁ ଯିବାକୁ ହେଲେ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଡଙ୍ଗାରେ ପାର ହୋଇ ଯିବା ପରେ ପୁଣି ଦୁର୍ଗମ ଜଙ୍ଗଲ ପାର ହୋଇ ଯିବାକୁ ପଡିଥାଏ । ଆଉ ଏ ସବୁ ବିପଦକୁ  ଅତିକ୍ରମ କରି କର୍ତ୍ତବ୍ୟ ସଂପାଦନ କରୁଛନ୍ତି ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଞ୍ଚାୟତ ତଳଙ୍ଗ ଅଙ୍ଗନୱାଡି ଦିଦି ନନ୍ଦେଇ ଜାନୀ।

ନନ୍ଦେଇ ଜାନୀଙ୍କ ଘର ମଞ୍ଚାଗାଁ ପଞ୍ଚାୟତର କେନ୍ଦୁଗୁଡା ଗାଁ। ସେ ତଳଙ୍ଗ ଅଙ୍ଗନୱାଡି କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି। ତଳଙ୍ଗ ଗାଁକୁ ଯିବାକୁ ହେଲେ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡା ଘାଟ ରୁ ୧ କିମି ଡଙ୍ଗାରେ ଜଳଯାତ୍ରା କରି ପୁଣି ପ୍ରାୟ ୪ କିମି ଦୁର୍ଗମ ଜଙ୍ଗଲ ପାର ହୋଇ ଯିବାକୁ ପଡିଥାଏ। ପ୍ରତି ଦିନ ଅଙ୍ଗନୱାଡି ଦିଦି ନିଜ ଗାଁରୁ ୨ କିମି ଦୂର କେନ୍ଦୁଗୁଡା ଡଙ୍ଗାଘାଟକୁ ନିଜର ୨ ବର୍ଷର ଶିଶୁ କନ୍ୟାକୁ କୋଳରେ ବୋହି ଓ ଜିନିଷ ଧରି ଚାଲି ଚାଲି ଆସନ୍ତି।

ପୁଣି ଜଳଭଣ୍ଡାରର ଡଙ୍ଗାଘାଟରୁ  ଡଙ୍ଗାରେ ଜଳଯାତ୍ରା କରନ୍ତି। ଜଳଯାତ୍ରା କରିବା ପରେ ଶିଶୁ କନ୍ୟାକୁ କୋଳରେ ଝୁଲାରେ ବାନ୍ଧି ଦୁର୍ଗମ ଜଙ୍ଗଲରେ ପ୍ରାୟ ୪ କିମି ଚାଲି ଚାଲି ନିଜ କର୍ତ୍ତବ୍ୟସ୍ଥଳରେ ପହଞ୍ଚି ନିଜ କାର୍ଯ୍ୟ ତୁଲାଇ ପୁଣି ସେହିଭଳି ଭାବେ ନିଜ ଘରକୁ ଫେରନ୍ତି। ପ୍ରତି ଦିନ  ସ୍ତ୍ରୀଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କ ସହ ସ୍ବାମୀ ଯାତ୍ରା କରନ୍ତି। ସ୍ବାମୀ ଜିନିଷ ପତ୍ର ବୋହି ଯାଉଥିବା‌ ବେଳେ ଦିଦି ନିଜର ଶିଶୁ କନ୍ୟାକୁ ବୋହି ନିଅନ୍ତି।

ଏବେ ଅଙ୍ଗନୱାଡି ଦିଦିଙ୍କ ଜଙ୍ଗଲ ଯାତ୍ରାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏବେ ଏହି ଭିଡିଓ ଭାଇରାଲ ହେବା ପରେ ଅଙ୍ଗନୱାଡି ଦିଦିଙ୍କୁ ସାବାସୀ ନଦେଇ କେହି ରହିପାରୁ ନାହାନ୍ତି। ଦିଦି ଅନ୍ୟ ସରକାରୀ ଉଚ୍ଚ ବେତନପ୍ରାପ୍ତ କର୍ମଚାରୀଙ୍କ ପାଇଁ ଉଦାହରଣ ସାଜିଛନ୍ତି।

ସମ୍ବନ୍ଧିତ ଖବର