ଜାଲ୍‌ ଜାତିଗତ ପ୍ରମାଣପତ୍ର ମାମଲା: କ୍ରାଇମବ୍ରାଞ୍ଚ୍‌ ଡିଏସ୍‌ପିଙ୍କ ନାମରେ ମାମଲା ରୁଜୁ

ବରଗଡ଼ : କ୍ରାଇମବ୍ରାଞ୍ଚ ଡିଏସ୍‌ପି ରମେଶଚନ୍ଦ୍ର ଦୋରାଙ୍କ ଅଡ଼ୁଆ ବଢ଼ିଛି। ଜାଲ୍ ଜାତିଗତ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଅଭିଯୋଗରେ ତାଙ୍କ ନାମରେ ବରଗଡ଼ ଟାଉନ ଥାନାରେ ମାମଲା ରୁଜୁ ହୋଇଛି।

ପୂର୍ବରୁ ଏନେଇ ଆଇନଜୀବୀ ସୁରେନ୍ଦ୍ର  ମହାପାତ୍ର ହାଇକୋର୍ଟରେ ଅପିଲ୍‌ କରିବାପରେ  କ୍ରାଇମବ୍ରାଞ୍ଚ୍‌ର ଅତିରିକ୍ତ ଏସ୍‌ପିଙ୍କ ସହିତ ଦୁଇ ଜଣିଆ ଟିମ୍‌ ବରଗଡ଼ ତହସିଲ ଅଫିସ ପହଁଚି  ଜାତିଗତ ପ୍ରମାଣପତ୍ର ନେଇ ଖୋଳତାଡ଼ ଆରମ୍ଭ କରିଥିଲେ। ମାମଲା ଗଡ଼ି ଚାଲିବାପରେ ଏବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବରଗଡ଼ ଟାଉନ ଥାନାରେ  ପୂର୍ବତନ ସମ୍ବଲପୁର ଟାଉନ ଥାନା ଅଧିକାରୀ ତଥା ବର୍ତ୍ତମାନର କ୍ରାଇମବ୍ରାଞ୍ଚ ଡିଏସ୍‌ପି ଶ୍ରୀ ଦୋରାଙ୍କ ନାମରେ  ମାମଲା ରୁଜୁ ହୋଇଛି । ବରଗଡ଼ ଏସ୍‌ଡିପିଓ ଦୀପକ  ଗୋଚ୍ଛାୟତ ଏହାର ତଦନ୍ତ କରୁଥିବା ବେଳେ ଆଜି ଅଭିଯୋଗକାରୀ ଆଇନଜୀବୀ ଶ୍ରୀ ମହାପାତ୍ରଙ୍କ ବୟାନ ରେକର୍ଡ କରାଯାଇଛି। ତଦନ୍ତ ପ୍ରକ୍ରିୟା‌ରେ ଶ୍ରୀ ଦୋରାଙ୍କ ଚାକିରି ସମୟରେ ଦେଇଥିବା ଜାତିଗତ ପ୍ରମାଣପତ୍ର  ଏବଂ କ୍ରାଇମବ୍ରାଞ୍ଚ ବିଭାଗ ପକ୍ଷରୁ ହୋଇଥିବା ତଦନ୍ତ ରିପୋର୍ଟ ମଗାଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ,  ଶ୍ରୀଦୋରା ମୂଳତଃ ତେଲେଙ୍ଗା ଜାତି (ଓବିସି ଓ ଏସଇବିସି)ର ହୋଇଥିବା ବେଳେ ନିଜକୁ କଣ୍ଡ ଦୋରା (ତଫସିଲଭୁକ୍ତ ଜନଜାତି) ଦର୍ଶାଇ ଚାକିରି କରିଥିବା ନେଇ ଗତବର୍ଷ ହାଇକୋର୍ଟରେ ମାମଲା ହୋଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସମ୍ବଲପୁର ଏସ୍‌ପି ତଦନ୍ତଭାର ସମ୍ବଲପୁରର ତତ୍କାଳୀନ ଅତିରିକ୍ତ ଏସ୍‌ପି ଅମରେଶ ପଣ୍ଡାଙ୍କୁ  ଦେଇଥିଲେ। ଅମରେଶ ପଣ୍ଡା  ତଦନ୍ତ କରି ଶ୍ରୀ ଦୋରାଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିଲେ। ଏହାଭିତରେ ଶ୍ରୀ ଦୋରା ପଦୋନ୍ନତି ପାଇ ଡିଏସ୍‌ପି ଭାବେ କଟକ ଯାଇଥିଲେ। କିନ୍ତୁ, ଶ୍ରୀ ପଣ୍ଡାଙ୍କ ରିପୋର୍ଟରେ ଅସନ୍ତୁଷ୍ଟ ମାମଲାର ମୂଳ ଅଭିଯୋଗକାରୀ ଆଇନଜୀବୀ ଶ୍ରୀ ମହାପାତ୍ର  ଏନେଇ କ୍ରାଇମବ୍ରାଞ୍ଚରେ ଅଭିଯୋଗ ପରେ ମାମଲା ପୁଣି ଉଜ୍ଜୀବିତ ହୋଇଛି।

ସମ୍ବନ୍ଧିତ ଖବର