୫-ଟି ଅଧ୍ୟକ୍ଷଙ୍କୁ ଭେଟିଲେ ଆଶୀର୍ବାଦ, ସଞ୍ଜୟ ଓ ୧୦ କର୍ପୋରେଟର୍‌

ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ବିଜୟ ପାଇଁ କାମ କରିବୁ: ସଞ୍ଜୟ

କଟକ: ବାରବାଟୀ-କଟକ ବିଜେଡିରେ ନେତୃତ୍ବକୁ ନେଇ ଗତ କିଛିଦିନ ଧରି ବିବାଦ ଦେଖାଯାଇଥିବା ବେଳେ ଆଜି ଓଡ଼ିଶା ଅଲମ୍ପିକ ଆସୋସିଏସନ୍‌ ସମ୍ପାଦକ ଆଶୀର୍ବାଦ ବେ‌ହେରା ଓ ଓସିଏ ସମ୍ପାଦକ ସଞ୍ଜୟ ବେ‌ହେରାଙ୍କ ସହିତ ପାଖାପାଖି ୧୦ଜଣ ବିଜେଡି କର୍ପୋରେଟର୍‌ ନବୀନ ନିବାସ ଯାଇଥିଲେ। ଆଜି ପୂର୍ବାହ୍ନରେ ଆଶୀର୍ବାଦ ଓ ସଞ୍ଜୟଙ୍କ ନେତୃତ୍ବରେ ସେମାନେ ୫-ଟି ଅଧ୍ୟକ୍ଷଙ୍କୁ ଭେଟିଥିଲେ। ବୈଠକରେ କେଉଁ ବିଷୟରେ ଆଲୋଚନା କରାଯାଇଥିଲା, ତାହାକୁ ନେଇ କୌଣସି କର୍ପୋରେଟର୍‌ ମୁହଁ ଖୋଲୁ ନଥିବା ବେଳେ ବିଗତ ଦିନରେ ବାରବାଟୀ-କଟକରେ ନେତୃତ୍ବକୁ ନେଇ ଦେଖାଯାଇଥିବା ବିବାଦ ଉପରେ ଆଲୋଚନା ହୋଇଥିବା ଚର୍ଚା ହେଉଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଲୋକସଭା ପ୍ରାର୍ଥୀ ଓ ବାରବାଟୀ-କଟକ ବିଧାୟକ ପ୍ରାର୍ଥୀ ଭାବେ ଯାହାଙ୍କୁ ଟିକେଟ ଦେଇଛନ୍ତି ତାଙ୍କ ବିଜୟ ପାଇଁ ଆମେ କାମ କରିବୁ। ତେବେ, ମେୟର୍‌ ସୁବାସ ସିଂହ, ଆଶୀର୍ବାଦ ବେହରା ଓ ସଞ୍ଜୟ ବେ‌ହେରାଙ୍କ ଦିଗଦର୍ଶନରେ କାମ କରିବୁ ବୋଲି କେତେଜଣ କର୍ପୋରେଟର୍‌ ଆଗରୁ କହିଥିଲେ। ଏନେଇ ମେୟର୍‌, ଆଶୀର୍ବାଦ ଓ ସଞ୍ଜୟଙ୍କୁ ଗତ ଶୁକ୍ରବାର ଭେଟି କର୍ପୋରେଟର୍‌ମାନେ ଆଲୋଚନା କରିଥିଲେ। ଅନ୍ୟପଟେ ବିଧାୟକ ପ୍ରାର୍ଥୀ ୱାର୍ଡ ବୁଲିବା ସମୟ‌ରେ କର୍ପୋରେଟର୍‌ଙ୍କୁ ସାଙ୍ଗରେ ନେଉ ନାହାନ୍ତି ବୋଲି କେତେଜଣ କର୍ପୋରେଟର୍‌ ଅଭିଯୋଗ କରିବା ସହ ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ ଭେଟିବେ ବୋଲି କହିଥିଲେ। ଏଥିପାଇଁ ଆଜି ଆଶୀର୍ବାଦ, ସଞ୍ଜୟଙ୍କ ସହିତ ପାଖାପାଖି ୧୦ଜଣ କର୍ପୋରେଟର ନବୀନ ନିବାସ ଯାଇଥିଲେ। କଟକ ଲୋକସଭା ସାଂସଦ ପ୍ରାର୍ଥୀ ଓ ବାରବାଟୀ-କଟକ ବିଧାୟକ ପ୍ରାର୍ଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଦେଇଛୁ। ରାଜ୍ୟ ଯାଦବ ସଙ୍ଗଠନକୁ ଜମି ଦେବା ଓ କ୍ରୀଡାର ବିକାଶ ପ‌ାଇଁ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କ ସହିତ ଆଜି ଆଲୋଚନା ହୋଇଛି। ନିର୍ବାଚନରେ ସମସ୍ତେ ଏକାଠି ହୋଇ କାମ କରିବୁ ବୋଲି ସାକ୍ଷାତକାରେ ଆଲୋଚନା କରାଯାଇଥିବା ଓସିଏ ସମ୍ପାଦକ ସଞ୍ଜୟ ବେ‌ହେରା କହିଛନ୍ତି। ଆଜିର ସାକ୍ଷାତକାରରେ ଆଶୀର୍ବାଦ ଓ ସଞ୍ଜୟ ବେହେରାଙ୍କ ସହିତ କର୍ପୋରେଟର୍‌ ବିକାଶ ବେହେରା, ଏ. ଶ୍ରୀଦେବୀ, ମହମ୍ମଦ୍‌ ଇଫତକାର୍‌ ଆଲମ, ବସନ୍ତ କୁମାର ବେ‌ହେରା, ନମିତା ବାରିକ, ପୁଷ୍ପଲତା ମହାନ୍ତି, ପ୍ରଦୀପ କୁମାର ରାଉତ, ପ୍ରିୟମ୍ବଦା ମହାନ୍ତି, ଲକ୍ଷ୍ମୀପ୍ରିୟା ବେହେରା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର