ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର ପ୍ରଥମ ଜିଲ୍ଲାସ୍ତରୀୟ କମିଟି ବୈଠକ ଶେଷ ହୋଇଛି। ଅଗଷ୍ଟ ୩୧ରୁ ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାରେ ଆୟୋଜିତ ହୋଇଥିବା ବୈଠକରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର ବିଭିନ୍ନ ପୁରସ୍କାର ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ), ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ, ଜିଲ୍ଲା ଜନମଙ୍ଗଳ ଅଧିକାରୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ‘ମୋ ସ୍କୁଲ’ର ପ୍ରତିନିଧି ଉପସ୍ଥିତ ଥିଲେ। ପ୍ରଥମ ବୈଠକରେ ଛାତ୍ରଛାତ୍ରୀ ପୁରସ୍କାର ଉପରେ ଗୁରୁତ୍ୱ ଦିଆଯାଇଥିଲା। ୩୧ ତାରିଖରେ ସୁନ୍ଦରଗଡ, କନ୍ଧମାଳ , ଢେଙ୍କାନାଳ, କେନ୍ଦ୍ରାପଡା ଜିଲ୍ଲାରେ ଜିଲ୍ଲାସ୍ତରୀୟ କମିଟି ବୈଠକ ବସିଥିବା ବେଳେ ୧ ତାରିଖରେ କେନ୍ଦୁଝର, କଟକ, ଜଗତସିଂହପୁର ଓ ଅନୁଗୁଳ, ୨ରେ ମୟୂରଭଞ୍ଜ, ବୌଦ୍ଧ, ସୋନପୁର, ଦେବଗଡ଼, ନୟାଗଡ଼, ବରଗଡ଼, ସମ୍ବଲପୁର, ମାଲକାନଗିରି, ପୁରୀ, ବାଲେଶ୍ୱର ଓ ଯାଜପୁର, ୪ରେ ଭଦ୍ରକ, ନବରଙ୍ଗପୁର, ଝାରସୁଗୁଡା, ଗଜପତି ଓ କଳାହାଣ୍ଡି, ୫ରେ ବଲାଙ୍ଗୀର, ଗଞ୍ଜାମ, କୋରାପୁଟ ଏବଂ ୭ରେ ରାୟଗଡା, ନୂଆପଡା ଓ ଖୋର୍ଦ୍ଧା ଜିଲ୍ଲାରେ ବୈଠକ ଅନୁଷ୍ଠିତ ହୋଇଥିଲା।
ଶୁକ୍ରବାର ସାରା ରାଜ୍ୟରେ ବିଦ୍ୟାଳୟସ୍ତରରେ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ। ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ କରାଯିବ। ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ଅଧ୍ୟକ୍ଷତାରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ପୁରାତନ ଛାତ୍ର କମିଟିର ସଦସ୍ୟ, ଅଭିଭାବକ, ଗ୍ରାମ ପଞ୍ଚାୟତ ପ୍ରତିନିଧି ଯୋଗଦେବେ। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଉପସ୍ଥିତ ବ୍ୟକ୍ତିବିଶେଷଙ୍କୁ ବିଦ୍ୟାଳୟ ପୁରସ୍କାର, ପ୍ରଧାନଶିକ୍ଷକ ପୁରସ୍କାର, ଶିକ୍ଷକ ପୁରସ୍କାର ଏବଂ ପୁରାତନ ଛାତ୍ର କମିଟି ପୁରସ୍କାର ଉପରେ ବିସ୍ତୃତ ସୂଚନା ଦେବେ। ଏହି ପୁରସ୍କାର ପାଇଁ ଆବେଦନ ପ୍ରକ୍ରିୟା, ଏହାର ଯୋଗ୍ୟତା ଓ ମାନଦଣ୍ଡ ଏବଂ ଚୟନ ପ୍ରକ୍ରିୟା ଉପରେ ସଚେତନ କରାଇବେ। ସେହିପରି ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉପସ୍ଥିତ ବ୍ୟକ୍ତିବିଶେଷଙ୍କୁ ବିଦ୍ୟାଳୟ ପୁରସ୍କାର, ପ୍ରଧାନଶିକ୍ଷକ ପୁରସ୍କାର, ଶିକ୍ଷକ ପୁରସ୍କାର, ବିଦ୍ୟାଳୟ ପରିଚାଳନା କମିଟି ପୁରସ୍କାର ଏବଂ ପୁରାତନ ଛାତ୍ର କମିଟି ପୁରସ୍କାର ଉପରେ ସଚେତନ କରାଇବେ ।