ବାହାନଗା ଟ୍ରେନ୍‌ ଦୁର୍ଘଟଣା: ଦ୍ବିତୀୟ ଦିନରେ ଖୋଳତାଡ଼ କଲା ସିବିଆଇ

ଅଧିକାରୀଙ୍କ ମୋବାଇଲ ଜବତ, ଯାଞ୍ଚ ହେବ କଲ୍‌ ରେକର୍ଡ, ଷ୍ଟେସନ୍‌ମାଷ୍ଟରଙ୍କୁ ରିପୋର୍ଟ ମାଗିଲା ରେଳ ନିରାପତ୍ତା ବିଭାଗ

ବାଲେଶ୍ବର : ବାହାନଗା ରେଳ ଦୁର୍ଘଟଣା ପଛରେ ସମ୍ଭାବ୍ୟ କାରଣକୁ ନେଇ ନାନା ଚର୍ଚ୍ଚା ହେଉଥିବା ବେଳେ ସନ୍ଦେହ ଉପରୁ ପରଦା ଉଠାଇବା ପାଇଁ ସିବିଆଇଠାରୁ ଆରମ୍ଭ କରି ରେଳ ବିଭାଗର ବରିଷ୍ଠ ଅଧିକାରୀ ତନାଘନା ଚଳାଇଛନ୍ତି। ଦୁର୍ଘଟଣା ପରଦିନ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସିବିଆଇ ତଦନ୍ତ ପାଇଁ ସୁପାରିସ କରିଥିଲେ। ସୋମବାର ଦକ୍ଷିଣପୂର୍ବ ରେଳବାଇ ସୁରକ୍ଷା ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ୍‌ ବାହାନଗାରେ ପହଞ୍ଚି ଷ୍ଟେସନ୍‌ର ସିଗ୍‌ନାଲ ରୁମ୍‌ ଓ ଷ୍ଟେସନ୍‌ ମାଷ୍ଟରଙ୍କ କାର୍ଯ୍ୟାଳୟରେ ତଦନ୍ତ କରିଥିବା ବେଳେ ଅପରାହ୍‌ଣରେ କୋଲକାତାରୁ ସିବିଆଇର ଏକ ୪ ଜଣିଆ ଟିମ୍‌ ଦୁର୍ଘଟଣାସ୍ଥଳକୁ ଆସି ଅନୁସନ୍ଧାନ କରିଥିଲା।

ମଙ୍ଗଳବାର ନୂଆଦିଲ୍ଲୀରୁ ସେଣ୍ଟ୍ରାଲ୍‌ ଫରେନ୍‌ସିକ୍‌ ଟିମ୍‌ ସହ ସିବିଆଇର ଏକ ୧୦ ଜଣିଆ ଟିମ୍‌ ବାହାନଗାରେ ପହଞ୍ଚି ରେଳଲାଇନ୍‌, ସିଗ୍‌ନାଲ୍‌ ସିଷ୍ଟମ୍‌, ରିଲେ ରୁମ୍‌, ବିଦ୍ୟୁତ ବ୍ୟବସ୍ଥାର ଅନୁଧ୍ୟାନ କରିବା ସଙ୍ଗେ ସଙ୍ଗେ ଷ୍ଟେସନ୍‌ ମାଷ୍ଟରଙ୍କ କାର୍ଯ୍ୟାଳୟରେ ରହିଥିବା ବିଭିନ୍ନ ମେସିନ୍‌ ଯାଞ୍ଚ କରିଥିଲେ। ଏଥିସହିତ ମାଲବାହୀ ଟ୍ରେନ୍‌ର ଚାଳକ, ଗାର୍ଡ, ଷ୍ଟେସନ୍‌ମାଷ୍ଟର, ସିଗ୍‌ନାଲ୍‌ ମ୍ୟାନ୍‌ ଓ ଅନ୍ୟ କର୍ମଚାରୀଙ୍କୁ ଜେରା କରି ଭୁବନେଶ୍ବର ଫେରି ଯାଇଥିଲା ତଦନ୍ତକାରୀ ଟିମ। ବୁଧବାର ଦିନ ପ୍ରାୟ ଗୋଟାଏ ବେଳେ ସିବିଆଇ ଟିମ୍‌ ବାହାନଗା ବଜାର ଷ୍ଟେସନ୍‌ରେ ପହଞ୍ଚି ପାଖାପାଖି ୪୫ ମିନିଟ୍‌ କାଳ ତନାଘନା କରିଥିବା ଜଣାପଡ଼ିଛି। ସାଙ୍ଗରେ ଆସିଥିବା ଟେକ୍ନିକାଲ୍‌ ଓ ଫରେନ୍‌ସିକ୍‌ ଟିମ୍‌ ମଧ୍ୟ ତଦନ୍ତ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ଷ୍ଟେସନ୍‌ରୁ ଜଣେ ରେଳ ଅଧିକାରୀଙ୍କ ମୋବାଇଲ୍‌ ଜବତ ହୋଇଥିବାର ସୂଚନା ମିଳିଛି। ଦୁର୍ଘଟଣା ସନ୍ଧ୍ୟାରେ ଷ୍ଟେସନ୍‌ ମାଷ୍ଟରଙ୍କ ସମେତ ଦାୟିତ୍ବରେ ଥିବା ସମସ୍ତ କର୍ମଚାରୀଙ୍କ କଲ୍ ରେକର୍ଡ ଆଦି ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି। ଅପ୍‌ଲାଇନ୍‌ରେ ଯିବା ପାଇଁ ଗ୍ରିନ୍ ସିଗନାଲ୍‌ ମିଳିଥିବା ବେଳେ କେମିତି ଓ କେଉଁ ପରିସ୍ଥିତିରେ କରମଣ୍ଡଳ ଲୁପ୍‌ଲାଇନ୍‌ରେ ଯାଇ ମାଲବାହୀ ଟ୍ରେନ୍ ସହ ଧକ୍କା ହେଲା, ଇଣ୍ଟରଲକିଂ ବ୍ୟବସ୍ଥା କାମ କରୁଥିଲା ନା ନାହିଁ, ସେ ସମୟରେ ଷ୍ଟେସନ୍‌ ମାଷ୍ଟର ଓ ଅନ୍ୟ କର୍ମଚାରୀଙ୍କ ଭୂମିକା କଣ ଥିଲା, ସେ ବାବଦରେ ତଦନ୍ତକାରୀ ଟିମ୍‌ ଖୋଳତାଡ଼ ଚଳାଇଛି। ଏତଦ୍ୟବତୀତ ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସ୍‌, ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ୍‌ ଓ ମାଲବାହୀ ଟ୍ରେନ୍‌ର ଲୋକୋ ପାଇଲଟ୍‌, ଗାର୍ଡ ଓ ଅନ୍ୟ କର୍ମଚାରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ସୂଚନା ମିଳିଛି।

ଅନ୍ୟପଟେ ରେଳ କର୍ତ୍ତୃପକ୍ଷ ମଧ୍ୟ ନିଜ ଆଡ଼ୁ ତଦନ୍ତ ଜାରି ରଖିଛନ୍ତି। ରେଳବାଇ ନିରାପତ୍ତା ବିଭାଗର ତଦନ୍ତକାରୀ ଟିମ୍ ଏହି ମାମଲାରେ ଷ୍ଟେସନ୍‌ ମାଷ୍ଟରଙ୍କୁ ରିପୋର୍ଟ ମାଗିଛନ୍ତି। ବାହାନଗା ରେଳ ଦୁର୍ଘଟଣାରେ ୨୮୮ ଜଣ ଯାତ୍ରୀଙ୍କ ଜୀବନ ଯାଇଥିବା ବେଳେ ୧୨୦୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆସାମ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଆଦି ରାଜ୍ୟର ଯାତ୍ରୀମାନେ ଏହି ଟ୍ରେନ୍‌ରେ ଯାତ୍ରା କରୁଥିବା ବେଳେ ଅଧିକାଂଶ ଯାତ୍ରୀ ଅପୂରଣୀୟ କ୍ଷତି ସହିଛନ୍ତି।

ସମ୍ବନ୍ଧିତ ଖବର