ସ୍କୁଲ ପିଲାଙ୍କ ଦକ୍ଷତା ବୃଦ୍ଧି ପାଇଁ ୩ ରାଜିନାମା

ଭୁବନେଶ୍ୱର : ବିଦ୍ୟାଳୟଗୁଡ଼ିକର ଶୈକ୍ଷିକ ପରିବେଶରେ ଉନ୍ନତି ଆଣିବା ନିମନ୍ତେ ଆକାଂକ୍ଷୀ କାର୍ଯ୍ୟକ୍ରମ ମାଧ୍ୟମରେ ହାଉସ୍‌ ସିଷ୍ଟମ୍‌ ଏବଂ ସ୍କୁଲ କ୍ଲବ୍‌ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହାକୁ ଆଉ ପାଦେ ଆଗକୁ ନେବା ଲାଗି ଆଜି ଦୁଇଟି ଜାତୀୟସ୍ତରୀୟ ସଂସ୍ଥା ସହ ରାଜିନାମା ସ୍ୱାକ୍ଷରିତ ହୋଇଛି। ରୂପାନ୍ତରିତ ବିଦ୍ୟାଳୟରେ ଅସ୍ପିରେସନାଲ୍‌ କରିକୁଲମ୍‌ ଆରମ୍ଭ କରିବାକୁ ‘ମୋ ସ୍କୁଲ ଅଭିଯାନ’ ଓ ‘ମ୍ୟାଜିକ୍‌ ବସ୍‌ ଫାଉଣ୍ଡେସନ୍‌’ ମଧ୍ୟରେ ହୋଇଥିବା ରାଜିନାମା ଅନୁଯାୟୀ ପିଲାଙ୍କ ସର୍ବାଙ୍ଗୀନ ବିକାଶରେ ସହାୟକ ହେବ। ସେମାନଙ୍କ ଦକ୍ଷତା ବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ପାଠପଢ଼ା ସହ ସେମାନେ ଖେଳକୁଦରେ ନିଜକୁ ଦକ୍ଷ ଭାବରେ ଗଢ଼ି ତୋଳିପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି।

ସେହିପରି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀ ଗଣିତ ଶିକ୍ଷାକୁ ଅଧିକ ସହଜ କରିବାକୁ ‘ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ’ ଓ ‘ଖାନ୍‌ ଏକାଡେମି’ ମଧ୍ୟରେ ଏକ ରାଜିନାମା ହୋଇଛି। ଏହାମାଧ୍ୟମରେ ଓଡ଼ିଶାର ୩୧୫ଟି ଆଦର୍ଶ ବିଦ୍ୟାଳୟର ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ‘ଖାନ୍‌ ଏକାଡେମି’ ଉପାଦେୟ ଶିକ୍ଷଣ ଉପକରଣ ଯୋଗାଇଦେବ। ଏଥିସହ ଗଣିତ ଶିକ୍ଷକମାନଙ୍କୁ ମଧ୍ୟ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ପ୍ରଦାନ କରିବ। ଶିକ୍ଷାକ୍ଷେତ୍ରରେ ଗ୍ରହଣ କରିଥିବା ଏକାଧିକ ବିକାଶମୂଳକ ପଦକ୍ଷେପକୁ ସଫଳ କରିବାରେ ଏହି ଦୁଇଟି ରାଜିନାମା ବିଶେଷ ଭାବରେ ସହାୟକ ହେବ ବୋଲି ବିଭାଗୀୟ ଶାସନ ସଚିବ ଅଶ୍ୱଥୀ ଏସ୍‌ କହିଛନ୍ତି। ଆଜିର କାର୍ଯ୍ୟକ୍ରମରେ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ପ୍ରକଳ୍ପ ନିର୍ଦ୍ଦେଶକ ଦୁର୍ଗାପ୍ରସାଦ ମହାପାତ୍ର, ‘ମୋ ସ୍କୁଲ’ କାର୍ଯ୍ୟନିର୍ବାହୀ ଅଧିକାରୀ ଅମରଜିତ ଜେନା, ମ୍ୟାଜିକ୍‌ବସ୍‌ ଫାଉଣ୍ଡେସନ୍‌ର ଅଜୟ ରାସ୍ତୋଗୀ, ‘ଖାନ୍‌ ଏକାଡେମି’ ପ୍ରତିନିଧି ଶୁଭ୍ରା ମିତଲ୍‌ ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି ଗତ ୫ ତାରିଖରେ ସିଙ୍ଗାପୁରଠାରେ ପ୍ରବାସୀ ଓଡ଼ିଶା ଦିବସ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଆଇଟିଇ ଏଜୁକେସନ୍‌ ସର୍ଭିସେସ୍‌, ସିଙ୍ଗାପୁର ମଧ୍ୟରେ ବୈଷୟିକ, ଧନ୍ଦାମୂଳକ ଶିକ୍ଷା ଓ ପ୍ରଶିକ୍ଷଣ କ୍ଷେତ୍ରରେ ସହଯୋଗିତା ନିମନ୍ତେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଛି। ଏହାଦ୍ୱାରା ଛାତ୍ରଛାତ୍ରୀ ଓ ପ୍ରଶିକ୍ଷକମାନଙ୍କ ମଧ୍ୟରେ ଭାବବିନିମୟ ହୋଇପାରିବ। ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ହେବ। ଉକ୍ତ କାର୍ଯ୍ୟକ୍ରମରେ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାହା, ଗଣଶିକ୍ଷା ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ମହାପାତ୍ର ଏବଂ ଆଇଟିଇ ଏଜୁକେସନ୍‌ ସର୍ଭିସେସ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବ୍ରୁସ୍‌ ପୋ ଜିଓକ୍‌ ହୁଆଟ୍‌ ଓ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଲିମ୍‌ ବୁନ୍‌ ତିଓଙ୍ଗ୍‌ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର