କାଡାଭରିକ୍‌ ପ୍ରତିରୋପଣକୁ ବ୍ୟାପକ କରାଯିବ: ସ୍ବାସ୍ଥ୍ୟମନ୍ତ୍ରୀ

ଏସ୍‌ସିବିରେ ବିଶ୍ବ କିଡ୍‌ନି ଦିବସ, ଯୋଗଦେଲେ ଭାରତର ପ୍ରଥମ କାଡାଭେରିକ୍‌ ପ୍ରତିରୋପଣ ବିଶେଷଜ୍ଞ ବତ୍ସଳା ତ୍ରିବେଦୀ

କଟକ : କାଡାଭରିକ୍‌ ପ୍ରତିରୋପଣ ଓ ଅଙ୍ଗଦାନ ପ୍ରକ୍ରିୟାକୁ ବ୍ୟାପକ କରାଯିବ। କଟକ ବଡ଼ ଡାକ୍ତରଖାନା ନେଫ୍ରୋଲୋଜି ବିଭାଗ ପକ୍ଷରୁ ଅନୁଷ୍ଠିତ ବିଶ୍ବ କିଡ୍‌ନି ଦିବସରେ ଯୋଗଦେଇ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଏହା କହିଛନ୍ତି।

ଡିନ୍‌ ତଥା ଅଧ୍ୟକ୍ଷା ପ୍ରଫେସର ଡାକ୍ତର ଜୟଶ୍ରୀ ମହାନ୍ତିଙ୍କ ପୌରୋହିତ୍ୟରେ ଏହି ବୈଠକ ଆୟୋଜିତ ହୋଇଥିଲା। ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ କହିଥିଲେ ଯେ, କାଡାଭରିକ୍‌ ପ୍ରତିରୋପଣ କ୍ଷେତ୍ରରେ ଏସ୍‌ସିବି ଯେଉଁ ଇତିହାସ ସୃଷ୍ଟି କରିଛି, ତାହା ରାଜ୍ୟ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ସ୍ବର୍ଣ୍ଣିମ ଅଧ୍ୟାୟ। ଆଗାମୀ ଦିନରେ କିଡ୍‌ନି ସହ ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ କିପରି ପ୍ରତିରୋପଣ କରାଯାଇପାରିବ, ସେ ସମ୍ପର୍କିତ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯିବ। ତା’ ଛଡ଼ା, ମୁଖ୍ୟମନ୍ତ୍ରୀ ଏସ୍‌ସିବିକୁ ବିଶ୍ବସ୍ତରୀୟ ମାନ୍ୟତା ପାଇଁ ଯେଉଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି, ସେଥିରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କହିଥିଲେ।

ଏହି ଅବସରରେ ଭାରତର ପ୍ରଥମ କାଡାଭରିକ୍‌ ପ୍ରତିରୋପଣ କରିଥିବା ମୁମ୍ବାଇର ପ୍ରସିଦ୍ଧ ଚିକିତ୍ସା ବିଶେଷଜ୍ଞା‌ ପ୍ରଫେସର ଡାକ୍ତର ବତ୍ସଳା ତ୍ରିବେଦୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସେ କହିଥିଲେ, କାଡାଭରିକ୍‌ ପ୍ରତିରୋପଣ କ୍ଷେତ୍ରରେ ଗୋଟିଏ ମାସରେ ଓଡ଼ିଶା ତଥା କଟକ ବଡ଼ ମେଡିକାଲ ଏକ ନୂଆ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଆଗକୁ ରାଜ୍ୟରେ ଏହି କାଡାଭରିକ୍‌ ପ୍ରତିରୋପଣ ଅନେକ ରୋଗୀଙ୍କୁ ନୂଆ ଜୀବନ ଦେବ ବୋଲି ସେ ମତବ୍ୟକ୍ତ କରିଥିଲେ। ସୂଚନାଯୋଗ୍ୟ, ପ୍ରଫେସର ତ୍ରିବେଦୀ ୧୯୯୭ରେ ଭାରତର ପ୍ରଥମ କାଡାଭରିକ୍‌ ପ୍ରତିରୋପଣ ଅସ୍ତ୍ରୋପଚାର କରିଥିଲେ। ଅନ୍ୟତମ ଅତିଥି ଭାବେ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ସତ୍ୟଜିତ୍‌ ମହାନ୍ତି, ଚୌଦ୍ବାର-କଟକ ବିଧାୟକ ସୌଭିକ୍‌ ବିଶ୍ବାଳ, ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ଅନ୍ନଦା ପ୍ରସାଦ ପଟ୍ଟନାୟକ, ୟୁରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତା, ନେଫ୍ରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଚିତ୍ତରଞ୍ଜନ କର, ପ୍ରଫେସର ଶଶିଭୂଷଣ ରାଉତ୍‌ ପ୍ରମୁଖ ମଂଚାସୀନ ଥିଲେ। ଏସ୍‌ସିବିରେ ବର୍ତ୍ତମାନ ସୁଦ୍ଧା ୧୬୫ଜଣ ରୋଗୀଙ୍କ କିଡ୍‌ନି ପ୍ରତିରୋପଣ କରାଯାଇଥିବା ବେଳେ ଆଗାମୀ ଦିନରେ ଏହି ବ୍ୟବସ୍ଥାକୁ ଅଧିକ କରାଯିବ ବୋଲି ପ୍ରଫେସର ହୋତା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର