ବିଜେପି ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେଲେ ସିଇଓ

ଧାମନଗରରେ ୨ ଜଣଙ୍କ ବିରୋଧରେ ମାମଲା ରୁଜୁ

ଭୁବନେଶ୍ବର : ଧାମନଗର ଉପନିର୍ବାଚନରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ବିଜେଡି ପକ୍ଷରୁ ଟଙ୍କା ବଣ୍ଟାଯିବା ଏବଂ ପଞ୍ଚାୟତକୁ ୧କୋଟି ଦେବାକୁ ପ୍ରଲୋଭନ ଦେଖାଯାଉଥିବା ନେଇ ବିଜେପି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ସମସ୍ତ ପ୍ରମାଣ ଦେଇ ଅଭିଯୋଗ କରିଥିଲା। ଏହି ଦୁଇଟି ଘଟଣାରେ ଦୁଇ ଜଣଙ୍କ ବିରୋଧରେ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଦୁଇ ଜଣଙ୍କ ବିରୋଧରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ ହୋଇଛି।

ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ବୁଧବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ,ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ଏକ ନିର୍ଦ୍ଦିଷ୍ଟ ଭିଡିଓ ଫୁଟେଜ୍ (ଦୁଇ ଜଣ ମହିଳାଙ୍କ କଥୋପକଥନ) ଲୋକଲୋଚନକୁ ଆସିବା ସଙ୍ଗେ ସଙ୍ଗେ ୪୮ଘଣ୍ଟା ମଧ୍ୟରେ ଏହାର ତଦନ୍ତ କରାଯାଇ ଧାମନଗର ଥାନାରେ ଲୋକ ପ୍ରତିନିଧି ଆଇନ ଅନୁସା‌େର କେସ୍‌ ରୁଜୁ କରାଯାଇଛି। ସେହିପରି ଅନ୍ୟ ଏକ ଭିଡ଼ିଓ ଫୁଟେଜ୍ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ଲୋକଲୋଚନକୁ ଆସିବା ପରେ ତତ୍‌କ୍ଷଣାତ୍ ଏହାର ତଦନ୍ତ କରି ୨୪ଘଣ୍ଟା ମଧ୍ୟରେ ବ୍ୟକ୍ତିଙ୍କୁ ଚିହ୍ନଟ କରି ଧାମନଗର ଜେଏମ୍‌ଏଫ୍‌ସି କୋର୍ଟରେ କେସ୍‌ ରୁଜୁ କରଯାଇଛି।

ହେଲେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଏହି କାର୍ଯ୍ୟାନୁଷ୍ଠାନରେ ବିଜେପି ସନ୍ତୁଷ୍ଟ ନୁହେଁ। ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, କେବଳ ଏଫ୍‌ଆଇଆର୍‌ ରୁଜୁ ହେଲେ ହେବନି। ସେମାନଙ୍କୁ ଗିରଫ କରାଯାଉ। ସେ କହିଛନ୍ତି ଯେ ଏହି ଦୁଇଟି ଘଟଣ‌ାରେ ସିଇଓଙ୍କ କାର୍ଯ୍ୟାନୁଷ୍ଠାନ ପରେ ସ୍ପଷ୍ଟ ହୋଇଛି ଯେ ବିଜେଡି ବିଜେପିକୁ ଟକ୍କର ଦେବା ଲାଗି ମିଛ ଅଭିଯୋଗ ନେଇ ସିଇଓଙ୍କୁ ଭେଟୁଛି।

ସିଇଓ କହିଛନ୍ତି ଯେ ଏହି ଉପନିର୍ବାଚନକୁ ପରିଚାଳନା କରିବା ପାଇଁ ସମୁଦାୟ ୧୧୦୮ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସେମାନଙ୍କର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ତାଲିମ୍ କାର୍ଯ୍ୟ ଶେଷ ହୋଇଛି। ଉପନିର୍ବାଚନକୁ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ପ୍ରଶାସନ ତରଫରୁ ଧାମନଗର ନିର୍ବାଚନ ମଣ୍ଡଳୀର ବାସିନ୍ଦା, ନିର୍ବାଚନ ମଣ୍ଡଳୀର ଭୋଟର ହୋଇଥିବା କର୍ମଚାରୀଙ୍କୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯାଇନାହିଁ। ସମସ୍ତ କର୍ମଚାରୀ ଧାମନଗର ନିର୍ବାଚନ ମଣ୍ଡଳୀ ବାହାରର। ଉପନିର୍ବାଚନରେ ୫୦% ବୁଥ୍‌ରେ ୱେବ୍‌ କାଷ୍ଟିଂ କରାଯିବ ଏବଂ ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ବୁଥ୍‌ରେ ୨୬ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ଏହି ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସାଧାରଣ ପର୍ଯ୍ୟବେକ୍ଷକ ଭାବେ ପଶ୍ଚିମବଙ୍ଗ କ୍ୟାଡରର ବରିଷ୍ଠ ପ୍ରଶାସନିକ ଅଧିକାରୀ ନିରଞ୍ଜନ କୁମାର ଏବଂ ବ୍ୟୟ ପର୍ଯ୍ୟବେକ୍ଷକ ଭାବେ ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ ପ୍ରଣେଶ୍ ଗୁପ୍ତାଙ୍କୁ ନିଯୁକ୍ତ କରାଯାଇଛି।

ଉପନିର୍ବାଚନ ପାଇଁ ଆବଶ୍ୟକ ଇଭିଏମ୍‌ ଓ ଭିଭିପ୍ୟାଟ୍ ରିଟର୍ଣ୍ଣିଂ ଅଧିକାରୀଙ୍କ ସ୍ତରରେ ଗଚ୍ଛିତ ଅଛି। ନଭେମ୍ବର ୧ରେ ପୁଲିଂ ପାର୍ଟି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ନିର୍ବାଚନ ସାମଗ୍ରୀ ଧରି ଭୋଟ୍ ଗ୍ରହଣ ନିମନ୍ତେ ବୁଥ୍‌କୁ ଯିବେ। ସମୁଦାୟ ୨୫୨ଟି ବୁଥ୍‌ରୁ ୧୦୬ଟି ସମ୍ବେଦନଶୀଳ ବୁଥ୍ ଅଛି। ଉପନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ କଡ଼ାକଡ଼ି ଯାଞ୍ଚ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୬୪୧ଟି ମାରଣାସ୍ତ୍ର ଜବତ ହୋଇଥିବାବେଳେ ୧୯୦୯ ଜଣ ବ୍ୟକ୍ତିଙ୍କୁ ସିଆର୍‌ପିସି ଧାରା ୧୦୭/୧୧୬ ଅନୁସାରେ ଅଟକ ରଖାଯାଇଛି। ୧୭୨ଜଣଙ୍କ ବିରୁଦ୍ଧରେ ଜାମିନ ବିହୀନ ପରୱାନା ଜାରି ହୋଇଛି।

ସମ୍ବନ୍ଧିତ ଖବର