୫ ବର୍ଷ ଏକାଠି ରହିବା ପରେ ଧୋକା: ପ୍ରେମିକକୁ ଖୋଜିଖୋଜି ବାଲେଶ୍ବରରେ ବାଂଲାଦେଶୀ ଯୁବତୀ

ବାଲେଶ୍ବର: ପ୍ରେମିକଙ୍କୁ ଖୋଜି ଖୋଜି ପଡ଼ୋଶୀ ଦେଶ ବାଂଲାଦେଶରୁ ଆସି ବାଲେଶ୍ବରରେ ପହଞ୍ଚିଛନ୍ତି ଜଣେ ଯୁବତୀ। ତାଙ୍କ ନାଁ ରୁମା ମାରିୟମ୍‌ (୨୫)। ଘର ବାଂଲାଦେଶର ବର୍ଦ୍ଧନା ଜିଲ୍ଲା ଅନ୍ତର୍ଗତ ଆମତୋଲି ଅଞ୍ଚଳରେ। ଭିସା ମଞ୍ଜୁର ପରେ ଗତକାଲି ସେ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ୍‌ କମର୍ଦ୍ଦା ଥାନା ବୁଢ଼ାକୁସୁମୀ ଗାଁରେ ରହୁଥିବା ତାଙ୍କ ପ୍ରେମିକଙ୍କ ଘରକୁ ଆସିଥିଲେ। ହେଲେ ସେଠାରେ ନିର୍ଯାତନାର ଶିକାର ହୋଇ ଆଜି (ରବିବାର) ସନ୍ଧ୍ୟାରେ ବାଲେଶ୍ବର ଏସ୍‌ପିଙ୍କ ଦ୍ବାରସ୍ଥ ହୋଇଥିବା ଜଣାପଡ଼ିଛି।

ରୁମାଙ୍କ ଅଭିଯୋଗ ଅନୁସାରେ, ୬ ବର୍ଷ ତଳେ ପ୍ରେମିକ ବୀରେନ୍ଦ୍ର ପ୍ରତାପ ଭଞ୍ଜଙ୍କ ସହ ତାଙ୍କର ଫେସ୍‌ବୁକ୍‌ ମାଧ୍ୟମରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସମ୍ପର୍କ ନିବିଡ଼ ହେବା ପରେ ବୀରେନ୍ଦ୍ର ବାଂଲାଦେଶ ଯାଇ ରୁମାଙ୍କୁ ଭେଟିବା ସହ ବାଂଲାଦେଶର ବକ୍ସବଜାରରେ ମୌଲାନାଙ୍କ ଉପସ୍ଥିତିରେ ଉଭୟ ମୁସ୍‌ଲିମ ପ୍ରଥା ଅନୁସାରେ ବିବାହ କରିଥିଲେ। ରୁମାଙ୍କ ସହ ସେଠାରେ ୫ ବର୍ଷ ବିତାଇବା ପରେ ବୀରେନ୍ଦ୍ର ବର୍ଷକ ତଳେ ଘରକୁ ଆସି ଆଉ ଫେରିନଥିଲେ। ଏମିତିକି ତାଙ୍କ ସହ ସବୁ ସମ୍ପର୍କ ଛିନ୍ନ କରି ବୀରେନ୍ଦ୍ର ଦ୍ବିତୀୟ ବିବାହ କରିଥିବା ଜାଣିବାକୁ ପାଇଥିଲେ ରୁମା। ଫଳରେ ପତ୍ନୀର ପରିଚୟ ପାଇଁ ବିବାହ ସଂକ୍ରାନ୍ତୀୟ ସମସ୍ତ ପ୍ରମାଣପତ୍ର, ଉଭୟଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଏକାଠି କରି ରୁମା ଭାରତ ଆସିବା ପାଇଁ ଭିସା ଆବେଦନ କରିଥିଲେ। ଭିସା ପାଇବା ପରେ ଗତକାଲି ସେ ପଶ୍ଚିମବଙ୍ଗରେ ପହଞ୍ଚି ସେଠାରୁ ଟ୍ରେନ୍ ଯୋଗେ ବାଲେଶ୍ବର କମର୍ଦ୍ଦାସ୍ଥିତ ବୁଢ଼ାକୁସୁମୀ ଗାଁରେ ପହଞ୍ଚିଥିଲେ। ହେଲେ ବୀରେନ୍ଦ୍ରଙ୍କ ପରିବାର ତାଙ୍କୁ ତଡ଼ିଦେବାରୁ ଜଣେ ସହଯୋଗୀଙ୍କ ସହାୟତାରେ ସେ ଆଜି ବାଲେଶ୍ବର ଏସ୍‌ପିଙ୍କୁ ଭେଟିବାକୁ ଆସିଥିଲେ। ନ୍ୟାୟ ନପାଇବା ପର୍ଯ୍ୟନ୍ତ ରୁମା ବାଂଲାଦେଶ ଫେରିବେ ନାହିଁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର