ଭିଜିଲାନ୍ସ ଜାଲରେ ସବ୍‌-ରେଜିଷ୍ଟ୍ରାରଙ୍କ ବଡ଼ବାବୁ, ୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

ପୁରୀ : ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୁରୀ ଜିଲ୍ଲା ସବ୍‌ ରେଜିଷ୍ଟ୍ରାର୍‌ଙ୍କ ବଡ଼ବାବୁ (ମୁଖ୍ୟ କିରାଣି) ରଘୁନାଥ ବିଶୋଇ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି।

ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଛି ଯେ ଶ୍ରୀ ବିଶୋଇ ଜଣେ ଜମିର ମାଲିକଙ୍କୁ ରୋଗାଗ୍ରସ୍ତ ଦର୍ଶାଇ ତାଙ୍କ ପୁଅକୁ ପାୱାର ଅଫ୍‌ ଆଟର୍ଣ୍ଣି ନିର୍ଦ୍ଦେଶନାମା ଜାରି କରିବାକୁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ମାତ୍ର, ଆବେଦନକାରୀ ଏତେ ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରିଥିଲେ। ଶେଷ‌ରେ, ୫ ହଜାର ଟଙ୍କା ଦେବାପାଇଁ କଥା ଛିଣ୍ଡିଥିଲା। ତେବେ, ଏନେଇ ଆବେଦନକାରୀ ଭୁବନେଶ୍ବର ଭିଜିଲାନ୍ସ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତିକରି ଭିଜିଲାନ୍ସ ବିଭାଗ ୧୦/୨୩ ନମ୍ବରରେ ଏକ ମାମଲା ରୁଜୁ କରିବା ସହ ଆଜି ଯୋଜନାବଦ୍ଧ ଭାବେ ପୁରୀ ଜିଲ୍ଲା ସବ୍‌-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ନିକଟରେ ବିଭାଗର ଟିମ୍‌ ଛଦ୍ମବେଶରେ ଛପି ରହିଥିଲେ। ଏବଂ, ୫ହଜାର ଟଙ୍କା ଗ୍ରହଣ କରି ପକେଟ୍‌ରେ ରଖିବା ପରେ ଚଢ଼ାଉ କରି ଶ୍ରୀ ବିଶୋଇଙ୍କୁ ଧରିଥିଲେ।

ଏହାପରେ ଭିଜିଲାନ୍ସ ଟିମ୍‌ ଶ୍ରୀ ବିଶୋଇଙ୍କୁ ଗିରଫ କରି ଭୁବନେଶ୍ବର ଭିଜିଲାନ୍ସ ଥାନାକୁ ନେଇଯାଇଥିବା ଜଣାପଡ଼ିଛି। ଏବେ ରଘୁନାଥଙ୍କ ସମସ୍ତ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିକୁ ନେଇ ଯାଞ୍ଚ କରିବା ପରେ ବିସ୍ତୃତ ତଥ୍ୟ ମିଳିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର