ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଲାଞ୍ଚ

ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡାକ୍ତର, କାରବାରର ମଧ୍ୟସ୍ଥି ସୁରକ୍ଷା କର୍ମୀ ବି ଗିରଫ

ଦାନଗଦୀ : ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବାପାଇଁ ୨୦ ହଜାର ଟଙ୍କା ଲାଞ୍ଚ। ଏହି ଲାଞ୍ଚ ଟଙ୍କା ଗ୍ରହଣ କରି ଯାଜପୁର ଜିଲ୍ଲା ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡାକ୍ତର ପବିତ୍ର କୁମାର ସେଠୀ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି। ଡାକ୍ତରଖାନାରେ ନିୟୋଜିତ ଜଣେ ସୁରକ୍ଷାକର୍ମୀଙ୍କ ଜରିଆରେ ସେ ଏହି ଟଙ୍କା ନେଉଥିଲେ। ସୁରକ୍ଷାକର୍ମୀ ଅଭିରାମ କାଣ୍ଡିଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଛି।

ଯାହାଙ୍କ ଶବ ବ୍ୟବଚ୍ଛେଦ ହୋଇଥିଲା, ସେ ହେଉଛନ୍ତି ସୁକିନ୍ଦା ବ୍ଲକ୍‌ ଗିରିଙ୍ଗାମାଳି ଗ୍ରାମର ବିକାଶ ମହାନ୍ତଙ୍କ ବାପା ଦୁଃଖବନ୍ଧୁ ମହାନ୍ତ। ଗତ ମାର୍ଚ୍ଚ ୩୧ ତାରିଖରେ ବଜ୍ରପାତରେ ପ୍ରାଣ ହରାଇଥିଲେ ଦୁଃଖବନ୍ଧୁ। ସରକାରୀ ଯୋଜନା ଅନୁଯାୟୀ, ବଜ୍ରପାତରେ ମୃତ୍ୟୁ ହେଉଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ୪ଲକ୍ଷ ଟଙ୍କା ଅନୁକମ୍ପାରାଶି ପ୍ରଦାନ କରିବାର ବ୍ୟବସ୍ଥା ଅଛି। ଏଥିପାଇଁ ବ୍ୟବଚ୍ଛେଦ ରିପୋର୍ଟ ଦରକାର ହୋଇଥାଏ। ତେଣୁ ଡାକ୍ତର ସେଠୀ ବଜ୍ରପାତ ମୃତ୍ୟୁ ପ୍ରମାଣପତ୍ର ଦେବାପାଇଁ ବିକାଶଙ୍କଠାରୁ ୨୦ ହଜାର ଟଙ୍କା ଦାବି କରିଥିଲେ। ବାରମ୍ବାର ଦୌଡ଼ି ନିରାଶ ହେବାପରେ ଶେଷରେ ବିକାଶ ଭିଜିଲାନ୍ସ ବିଭାଗ ନିକଟରେ ସେ ଅଭିଯୋଗ କରିଥିଲେ।

ବୁଧବାର ଭିଜିଲାନ୍ସ ଦଳ ଦାନଗଦୀ ଡାକ୍ତରଖାନାରେ ପହଞ୍ଚି ଡାକ୍ତର ସେଠୀଙ୍କୁ ଧରିବା ସହ ତାଙ୍କଠାରୁ ୨୦ ହଜାର ଲାଞ୍ଚ ଟଙ୍କା ଜବତ କରିଛନ୍ତି। ଏଥିସହିତ, ଲାଞ୍ଚ କାରବାରରେ ମଧ୍ୟସ୍ଥତା କରୁଥିବା ଡାକ୍ତରଖାନାରେ କାର୍ଯ୍ୟରତ ଘରୋଇ ସୁରକ୍ଷାକର୍ମୀ ଅଭିରାମ କାଣ୍ଡିଙ୍କୁ ମଧ୍ୟ ଗିରଫ କରିଛନ୍ତି। ଏହି ଚଢ଼ଉରେ ଭିଜିଲାନ୍ସ ଡିଏସପି ସୁଶୀଲ କୁମାର ଏକ୍କା, ଇନ୍ସପେକ୍ଟର ଅନସୂୟା ସେନାପତି, ବିକେ ସେଠୀ, ଜ୍ୟୋତି ଶଙ୍କର ସାହୁ, ଏସ୍‌କେ କହଁର ଓ ଏଏସ୍‌ଆଇ ଶ୍ରୀକାନ୍ତ ନାୟକ ସାମିଲ୍ ରହିଥିଲେ।

ଏହାପରେ ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିବା ପାଇଁ ଡାକ୍ତର ସେଠୀଙ୍କ କାର୍ଯ୍ୟାଳୟ, ଭଡ଼ାଘର ଓ ନିଜ ଘର ଜାରକା ଥାନୁଆଳ ସମେତ ୩ ଟି ସ୍ଥାନରେ ମଧ୍ୟ ଚଢ଼ଉ କରାଯାଇଛି। ଏ ସଂକ୍ରାନ୍ତରେ କଟକ ଭିଜିଲାନ୍ସ ପକ୍ଷରୁ କେସ୍‌ ନମ୍ବର ୮/୧୮-୪-୨୩ ରୁଜୁ କରି ତଦନ୍ତ ଜାରି ରହିଛି।

ଉଲ୍ଲେଖଯୋଗ୍ୟ ଯେ ଗତ କିଛି ବର୍ଷ ଭିତରେ ଏହି ଡାକ୍ତରଖାନାର ଦୁଇଜଣ ଡାକ୍ତର ଲାଞ୍ଚ ନେଇ ଧରାପଡ଼ିଥିଲେ। ଏହା ଭିଜିଲାନ୍ସର ତୃତୀୟ ମାମଲା।

ସମ୍ବନ୍ଧିତ ଖବର