ଆଠମଲ୍ଲିକରେ ଧର୍ମେନ୍ଦ୍ର: ଓଡ଼ିଶାକୁ ୧ ନମ୍ବର କରିବାକୁ ଆହ୍ବାନ

ବିଜେପି ସରକାର ଆସିଲେ ବେନାମୀ ସମ୍ପତ୍ତି ଥିବା ଲୋକଙ୍କୁ ଜେଲ୍ ପଠାଯିବ

ଅନୁଗୁଳ: ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଆ ଲୋକଙ୍କୁ ଘୃଣା କରୁଥିବା ଲୋକଙ୍କ ପାଖରେ ରାଜ୍ୟର ରିମୋଟ୍‌ କଣ୍ଟ୍ରୋଲ ଥିବା କହି ଏଥର ଓଡ଼ିଶାର ଅସ୍ମିତା ପାଇଁ ଭୋଟ ଦେବାକୁ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ଆମ ରାଜ୍ୟ ଓଡ଼ିଶାକୁ ଏକ ନମ୍ବର ରାଜ୍ୟ ଭାବରେ ଗଢ଼ି ତୋଳିବା ପାଇଁ ବିଜେପି ହିଁ ଏକମାତ୍ର ଭରସା ବୋଲି ସେ କହିଛନ୍ତି। ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ବିଜେପି ସରକାର ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ବିଜେପି ସରକାର ଆସିଲେ ବେନାମୀ ସମ୍ପତ୍ତି ଥିବା ଲୋକଙ୍କୁ ଜେଲ୍ ପଠାଯିବ
ବିଜେପିରେ ଯୋଗ ଦେଲେ ପ୍ରକାଶ ଡାଙ୍ଗ

ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ଆଠମଲ୍ଲିକ ନିର୍ବାଚନମଣ୍ଡଳୀରେ ସୋମବାର ଶ୍ରୀ ପ୍ରଧାନ ବିଜେପି ପାଇଁ ଭୋଟ ମାଗିଛନ୍ତି। ପ୍ରଥମେ ଶ୍ରୀ ପ୍ରଧାନ ଏହି ନିର୍ବାଚନମଣ୍ଡଳୀର କୃତ୍ତିବାସପୁରରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଇ କଂଗ୍ରେସ ନେତା ସିଦ୍ଧେଶ୍ୱର ସାହୁ, ସର୍ବେଶ୍ୱର ପ୍ରଧାନଙ୍କ ସମେତ ଶତାଧିକ ନେତା, କର୍ମୀ ଓ ସମାଜସେବୀଙ୍କୁ ଦଳରେ ସ୍ୱାଗତ କରିଥିଲେ। ଏହି ଅବସରରେ ଠାକୁରଗଡ଼ରେ ଦଳ ପକ୍ଷରୁ ଅନୁଷ୍ଠିତ ପରିବର୍ତ୍ତନ ସମାବେଶ ଓ ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ। ତାଙ୍କ ଉପସ୍ଥିତିରେ ବିଜେଡି ନେତା ପ୍ରକାଶ ଡାଙ୍ଗଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ଶତାଧିକ ନେତା ଓ କର୍ମୀମାନେ ବିଜେପିରେ ସାମିଲ ହୋଇଥିଲେ। ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଓ ବିକାଶର ଏହା ସମାବେଶ। ଓଡ଼ିଆ ଅସ୍ମିତା, ଓଡ଼ିଆ ଭାଷା ଏବେ ସଂକଟରେ ଅଛି ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି। ଏଣୁ ଆମେ ସମସ୍ତେ ଯୋଡ଼ି ଫୁଲରେ ଭୋଟ ଦେଇ ଓଡ଼ିଆ ଭାଷା, ଅସ୍ମିତା ଓ ସ୍ୱାଭିମାନକୁ ସୁରକ୍ଷିତ ରଖିବା। ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶାକୁ ସବୁଠୁ ଧନୀ ରାଜ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ କାମ କରିବା ପାଇଁ ସୁଯୋଗ ଦେବାକୁ ସେ ନିବେଦନ କରିଥିଲେ। ଓଡ଼ିଆ ଲୋକଙ୍କ କଷ୍ଟ ଅର୍ଜିତ ଅର୍ଥକୁ ଲୁଟ କରୁଥିବା ଲୋକମାନଙ୍କୁ ପ୍ରଶ୍ନ କଲେ ଏବେ ନାଲି ଆଖି ଦେଖାଉଛନ୍ତି। ଲୋକମାନେ ଏହାର ଜବାବ ଦେବେ। ବିଜେପି ସରକାର ଆସିଲେ ବେନାମୀ ସମ୍ପତ୍ତି ଥିବା ଲୋକଙ୍କ ସ୍ଥାନ ଜେଲ ଭିତରେ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ପ୍ରଚାର କାଳରେ ଶ୍ରୀ ପ୍ରଧାନ ଆଠମଲ୍ଲିକ ତିଳେଶ୍ୱର ମା’ ପଥରପୁଞ୍ଜି ମନ୍ଦିରରକୁ ଯାଇ ପୂଜାର୍ଚ୍ଚନା କରିଥିଲେ।

ସମ୍ବନ୍ଧିତ ଖବର