ସୁନ୍ଦରଗଡ଼ ଜିଲ୍ଲାର ତିନି ଗାଁରେ ହାତୀପଲଙ୍କ ଉତ୍ପାତ ଘର ଭାଙ୍ଗି ଖାଇଲେ ବଣ୍ଟନ ଚାଉଳ

ରାଉରକେଲା : କୋଇଡା ରେଞ୍ଜ ଅନ୍ତର୍ଗତ ପାଟମୁଣ୍ଡା ପଞ୍ଚାୟତର ତିନୋଟି ଗାଁରେ ହାତୀପଲଙ୍କ ଉତ୍ପାତ ଅତିଷ୍ଠ ହେବାରେ ଲାଗିଛି । ଗତକାଲି ରାତିରେ ଏକ ହାତୀପଲ ଚକଧର ଗ୍ରାମର ବିରଗା ମୁଣ୍ଡାଙ୍କ ଘର ଭାଙ୍ଗି ଚାଉଳ ଧାନ ଖାଇବା ସହିତ ବିଭିନ୍ନ ଆସବାବପତ୍ର ନଷ୍ଟ କରିଛନ୍ତି । ଠିକ ସେହିପରି ସେହି ଗ୍ରାମର ଜୁନାଶ ମୁଣ୍ଡା ଙ୍କ ଘର ହାତୀପଲ ଭାଙ୍ଗିବା ସହିତ ସଞ୍ଚିତ ଧାନ ଖାଇବା ସହ ଲକଡାଉନରେ ମିଳିଥିବା ଚାଉଳ ଖାଇ ଘରର ବିଭିନ୍ନ ସାମଗ୍ରୀ ନଷ୍ଟ କରିଛନ୍ତି । ପରେ ବଡ଼ପାଟୁଳି ଗ୍ରାମର ଗିରିପୋଷ ସାହିରେ ହାତୀପଲ ପଶି ଘରର କାନ୍ଥ ଭାଙ୍ଗି ଦେଇଥିବା ବେଳେ ଆମ୍ବିଳିଆମ ଗ୍ରାମର ରଞ୍ଜିତ ପାତ୍ରଙ୍କ ଘରର କାନ୍ଥ ଭାଙ୍ଗି ଚାଉଳ ଖାଇ ବିଭିନ୍ନ ସାମଗ୍ରୀ ନଷ୍ଟ କରିଛନ୍ତି ।

ଘଟଣା ବିଷୟରେ ସ୍ଥାନୀୟ ସରପଞ୍ଚ ଅଭିନାଶ ସୁମନ ବାଗେ ତିନୋଟି ଗ୍ରାମର କ୍ଷତିଗ୍ରସ୍ତ ପରିବାର ଲୋକଙ୍କ ପାଖରେ ପହଁଚି କ୍ଷତିଗ୍ରସ୍ତ ପରିବାରକୁ ପଞ୍ଚାୟତ ତରଫରୁ ଚାଉଳ ପ୍ରଦାନ କରିଥିଲେ । ଲକଡାଉନ ସମୟରେ ହାତୀ ମାନଙ୍କ ଉପଦ୍ରବ ବୋଝ ଉପରେ ନଳିତା ବିଡା ସାଜିଥିବାବେଳେ ଘଟଣାକୁ ଦୁଇଦିନ ବିତି ଯାଇଥିଲେ ସୁଦ୍ଧା ବନ ବିଭାଗର କ୍ଷତିଗ୍ରସ୍ତ ଲୋକଙ୍କ ପାଖରେ ନପହଂଚିବା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l

ଏପଟେ କ୍ଷତିଗ୍ରସ୍ତ ପରିବାର ଲୋକଙ୍କ କହିବା ଅନୁସାରେ ବନ ବିଭାଗକୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ଗାଡି ଖରାପ ଥିବାରୁ ସେ ଘଟଣା ସ୍ଥଳକୁ ଯାଇ ପାରୁନଥିବା ସଫେଇ ଦେଇଛନ୍ତି l ଯଥାଶୀଘ୍ର କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ ଗ୍ରାମବାସୀ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ।

ସମ୍ବନ୍ଧିତ ଖବର